ୟୁକ୍ରେନ୍ ଉପରେ ଆକ୍ରମଣର ଏକ ସ୍ପଷ୍ଟ ଚିତ୍ର ବିଶ୍ୱ ସମ୍ମୁଖକୁ ଆସିବା ବାକି ଅଛି। ଗୋଟିଏ ପଟେ ରୁଷ୍ ସେନା ୟୁକ୍ରେନର କେତେକ ପ୍ରାନ୍ତରେ ମିସାଇଲ୍ ମାଡ଼ ଜାରି ରଖିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ୍ ସେନା ମଧ୍ୟ ରୁଷ୍ ସେନା କବଳରୁ ନିଜ ଅଞ୍ଚଳଗୁଡ଼ିକୁ ମୁକ୍ତ କରିବାକୁ ପ୍ରତି ଆକ୍ରମଣ ପ୍ରକ୍ରିୟାକୁ ଅବ୍ୟାହତ ରଖିଛି। ଏପରିକି କେତେକ ସ୍ଥଳେ ରୁଷ୍ ସେନା ଏବେ ୟୁକ୍ରେନ୍ ଛାଡି ଚାଲିଯାଉଥିବା ନେଇ ରିପୋର୍ଟ ଆସିବାରେ ଲାଗିଛି। ଏମିତି ସ୍ଥିତିରେ ଯୁଦ୍ଧରେ ରୁଷ୍ ପରାଜୟ ସ୍ୱୀକାର କରିଥିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ଏସବୁ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏକ ବଡ଼ ଗେମ୍ ଖେଳିଛନ୍ତି।
ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ସେପ୍ଟେମ୍ବର ୩୦, ୨୦୨୨ରେ ସେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବା ସହ ୪ ରାଜ୍ୟର ମୁଖ୍ୟଙ୍କ ସହ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି। ନିଜ ସେନା ନିୟନ୍ତ୍ରଣରେ ଥିବା ୪ ରାଜ୍ୟ ଡୋନେସ୍କ, ଲୁହାନସ୍କ, ଜାପୋରିଜିୟା, ଏବଂ ଖେରସୋନ୍କୁ ରୁଷ୍ର ସୀମାରେଖାରେ ସେ ମିଶେଇଛନ୍ତି। ଭୌଗୋଳିକ ସ୍ଥିତାବସ୍ଥା ଅନୁସାରେ ଏହି ୪ ଅଞ୍ଚଳ ହିଁ ସମଗ୍ର ୟୁକ୍ରେନର ୧୮% ବୋଲି କୁହାଯାଉଛି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।
ଆତ୍ମ ସନ୍ତୋଷ:
ପ୍ରଥମତଃ ୟୁକ୍ରେନ୍ ଉପରେ ଦୀର୍ଘ ୭ମାସ ଧରି ଆକ୍ରମଣ ଜାରି ରଖିବା ଦ୍ୱାରା ନିଜ ଦେଶର ହିଁ ଅଧିକ କ୍ଷତି ହୋଇଥିବା ପୁତିନ୍ ଏବେ ଭଲଭାବେ ବୁଝିସାରିଛନ୍ତି। ରୁଷ୍ ଭଳି ଏକ ବିଶାଳ ଦେଶର ଆର୍ଥିକ ସ୍ଥିତି କେବଳ ଏହି ଯୁଦ୍ଧ କାରଣରୁ ବିଗିଡିଥିବା ଏବଂ ଏସବୁ ପାଇଁ ପୁତିନ୍ ହିଁ ଦାୟୀ ବୋଲି ଦେଶବାସୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଯାଇଥିଲା ଅର୍ଥାତ୍ ୟୁକ୍ରେନ୍ ସହ ଯୁଦ୍ଧରେ ଯଦି କୌଣସି ପରିଣାମ ନ ମିଳେ ବା କିଛି ବି ଫାଇଦା ନ ମିଳେ ତେବେ ନିଜ ଦେଶବାସୀଙ୍କ ଆକ୍ରୋଶର ଶିକାର ହେବା ନିଶ୍ଚିତ ବୋଲି ପୁତିନ୍ ହୁଏତ ହୃଦ୍ବୋଧ କରିପାରିଛନ୍ତି।
Also Read
ତେବେ ଯୁଦ୍ଧର ପରିଣାମ କ’ଣ ହେବ ତାହା ତ ସମୟ କହିବ, କିନ୍ତୁ ବର୍ତ୍ତମାନ ସମୟରେ ୟୁକ୍ରେନ୍ ସହ ସଂଲଗ୍ନ ଥିବା ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଯଦି ଅକ୍ତିଆର କରିନିଆଯାଏ ତେବେ ଏହା ଏକ ରକମ ଯୁଦ୍ଧରେ ବିଜୟକୁ ସୂଚୀତ କରିବ, ଯାହାକି ଜନ ଆକ୍ରୋଶରୁ ତାଙ୍କୁ ବଞ୍ଚିବାରେ ସହାୟକ ବୋଲି ହୁଏତ ପୁତିନ୍ ଚିନ୍ତା କରିଥାଇପାରନ୍ତି। ମୋଟାମୋଟି କେବଳ ଆତ୍ମସନ୍ତୋଷ ପାଇଁ ପୁତିନ୍ ଏସବୁ କରିଛନ୍ତି।
ଖରାପ ଛବିରୁ ବର୍ତ୍ତିବା:
ଦ୍ୱିତୀୟତଃ ୟୁକ୍ରେନ୍ର କିଛି ଅଞ୍ଚଳକୁ ନିଜ ସୀମା ସହ ମିଶାଇବା ଦ୍ୱାରା ରୁଷ୍ର ବଦଦବା ବିଶ୍ୱସ୍ତରରେ ମଧ୍ୟ ବୃଦ୍ଧି ପାଇବ କାରଣ ୟୁକ୍ରେନର ଯେଉଁ ନାଟୋ ସଦସ୍ୟତା ଆବେଦନକୁ ନେଇ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା, ଏଥିରେ ୟୁକ୍ରେନ୍ ନିଜର ୪ ଅଞ୍ଚଳ ହରାଇବା ସାର ହୋଇଛି ବୋଲି ନାଟୋ ସଦସ୍ୟତା ହାସଲ ପାଇଁ ମାନସିକତା ରଖୁଥିବା ଅନ୍ୟ ସୀମାବର୍ତ୍ତୀ ରାଷ୍ଟ୍ରଙ୍କୁ ଏକ ସ୍ପଷ୍ଟ ସଂକେତ ଦେବାରେ ରୁଷ୍ ଅନେକାଂଶରେ ସଫଳ ହୋଇପାରିଛି। ସିଧାସଳଖ କହିଲେ, ରୁଷ୍ ନିଜ ସୀମାବର୍ତ୍ତୀ ରାଷ୍ଟ୍ର (ବିଶେଷକରି ଯେଉଁମାନେ ରୁଷ୍ର ପ୍ରାଧାନ୍ୟକୁ ଅଣଦେଖା କରି ଆମେରିକା ତଥା ପାଶ୍ଚାତ୍ୟ ଦେଶ ସହ ହାତ ମିଳାଇବାକୁ ଚେଷ୍ଟା କରୁଛନ୍ତି) ଯେଉଁମାନେ ନିଜକୁ ସ୍ୱତନ୍ତ୍ର ବୋଲି ଭାବୁଛନ୍ତି ସେମାନଙ୍କୁ ଏକ ସ୍ୱଚ୍ଛ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନି।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁହଁତୋଡ ଜବାବ:
ତୃତୀୟତଃ ଆମେରିକା ତଥା ୟୁରୋପ ସଂଘୀୟ ରାଷ୍ଟ୍ରଗୁଡ଼ିକ ଏକଜୁଟ୍ ହୋଇ ରୁଷ୍ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ୟୁକ୍ରେନ୍କୁ ସୁରକ୍ଷା ଦେବା ଆଳରେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରୁଷ୍ ଏପରି କିଛି କରିବାକୁ ଚାହୁଁଥିଲା ଯେଉଁଥିରେ ସାପ ମରିଯିବ ଆଉ ବାଡ଼ି ଭାଙ୍ଗିବନି। ରୁଷ୍ ତାହା ହିଁ କରିଛି।
ଏବେ ଅନ୍ତତଃ ୟୁକ୍ରେନ୍ ଗୋଟିଏ କଥା ତ ଭଲଭାବେ ବୁଝିସାରିଥିବ, ଆମେରିକା ହେଉ କି ନାଟୋ କିମ୍ବା ୟୁରୋପୀ ସଂଘ ଏମାନେ ଅତିବେଶୀରେ କେବଳ ବାହାରୁ ସମର୍ଥନ ସହାୟତା ଦେଇପାରିବେ, କିନ୍ତୁ ପ୍ରତ୍ୟକ୍ଷ ଭାବେ କଦାପି ସାମ୍ନାକୁ ଆସିବେ ନାହିଁ। ରୁଷ୍ ଏହି ଶିକ୍ଷା ହିଁ ୟୁକ୍ରେନ୍କୁ ଦେବାକୁ ଚାହୁଁଥିଲା ବୋଲି କୁହାଯାଉଛି।
ତେବେ ଏହି ପରିପ୍ରେକ୍ଷୀରେ ଅନେକ ପ୍ରଶ୍ନ ମଧ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି।
ଜେଲେନ୍ସ୍କି ସିନା ଅସହାୟ ଥିଲେ, ବିଶ୍ୱ ନେତା କୁଆଡେ ଗଲେ:
ରୁଷ୍ ୟୁକ୍ରେନ୍ର ୪ ରାଜ୍ୟକୁ ନିଜ ସହ ମିଶାଇଦେଲା। ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍ସ୍କି ସମ୍ପୂର୍ଣ୍ଣ ଅସହାୟ ଭାବେ ଏସବୁକୁ ଦେଖି ଚୁପ୍ ରହିବାକୁ ବାଧ୍ୟ ହେଲେ; କିନ୍ତୁ ବିଶ୍ୱର ଅନ୍ୟ ନେତାମାନେ ଯେଉଁମାନେ ଜେଲେନ୍ସ୍କିଙ୍କୁ ଫୁସୁଲା ଫୁସୁଲି କରି ଯୁଦ୍ଧର କରାଳ ନିଆଁ ଝୁଲ ମଧ୍ୟକୁ ଠେଲି ଦେଇଥିଲେ ସେମାନେ କୁଆଡେ ଗଲେ।
ଶୁଣିବାକୁ ମିଳୁଛି ଆମେରିକା ଏବଂ ଜାତିସଂଘ ସୁରକ୍ଷା ପରିଷଦ କୁଆଡେ ରୁଷ୍ ସେନା ପକ୍ଷରୁ ଏହି ୪ ପ୍ରଦେଶରେ କରାଯାଇଥିବା ଜନମତ ସଂଗ୍ରହ ପ୍ରକ୍ରିୟାକୁ ଦୃଢ଼ ନିନ୍ଦା କରିଛନ୍ତି। ଏତଦ୍ବ୍ୟତୀତ ରୁଷ୍ ପକ୍ଷରୁ ଏହି ୪ ପ୍ରଦେଶ ଉପରେ ଅଧିକାରକୁ ମଧ୍ୟ ବେଆଇନ ଦର୍ଶାଯାଇଛି; କିନ୍ତୁ ଏସବୁକୁ କିଏ ଶୁଣୁଛି।
ଅନାଦି କାଳରୁ ‘ଯୁଦ୍ଧ ବିଜେତା ହିଁ ସର୍ବାଧିପତି’ ବୋଲି ଯେକୌଣସି ଯୁଦ୍ଧର ପ୍ରାରମ୍ଭିକ ପ୍ରଥା ରହିଆସିଛି ଅର୍ଥାତ୍ ଯୁଦ୍ଧରେ ଯିଏ ବିଜୟୀ ହେବ, ନିଜ ହିସାବରେ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ତା’ ପାଖକୁ ସ୍ୱତଃ ପ୍ରବୃତ୍ତ ଭାବେ ଚାଲିଯିବ। ପରାଜିତ ବ୍ୟକ୍ତି କେବଳ ମୁଣ୍ଡ ନୁଆଁଇ ସବୁକିଛି ସହ୍ୟ କରିବାକୁ ବାଧ୍ୟହେବ। ରୁଷ୍ ତାହା ହିଁ କରିଛି।
କେତେ ସତ କହୁଛନ୍ତି ପୁତିନ୍:
ୟୁକ୍ରେନ୍ର ୪ ପ୍ରଦେଶକୁ ନିଜ ଭୌଗୋଳିକ ସୀମାରେଖାରେ ମିଶ୍ରଣ କରିବା ପରିପ୍ରେକ୍ଷୀରେ ପୁତିନ୍ ଯାହା କହିଛନ୍ତି ତାହା କେତେ ସତ କେତେ ମିଛ ସେ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି। ମିଶ୍ରଣ ପର୍ବ ପୂର୍ବରୁ ରୁଷ୍ ପକ୍ଷରୁ ଏହି ୪ ପ୍ରଦେଶରେ କରାଯାଇଥିବା ଜନମତ ସର୍ଭେରୁ ଏସବୁ ଅଞ୍ଚଳର ନାଗରିକ ରୁଷ୍ ସହ ମିଶିବାକୁ ଆଗ୍ରହ ପ୍ରକାଶ କରିଥିବା ପୁତିନ୍ କହିଛନ୍ତି। ଫଟୋରୁ ମଧ୍ୟ ସେମିତି କିଛି ଆଭାସ ମିଳୁଛି।
ଏସବୁ ମଧ୍ୟରେ ପୁତିନ୍ ୟୁକ୍ରେନ୍ ଉପରେ ଯେଉଁସବୁ ଅଭିଯୋଗ ଲଗାଇଛନ୍ତି ସେଥିରେ କେତେ ସତ୍ୟତା ରହିଛି ତାହା କେବଳ ତାଙ୍କୁ ହିଁ ଜଣା; କିନ୍ତୁ ପୁତିନ୍ଙ୍କ ଅଭିଯୋଗର ଯଥାର୍ଥତାକୁ ହୃଦବୋଧ କରିବାର ମଧ୍ୟ ଆବଶ୍ୟକତା ରହିଛି। ନାଟୋରେ ସାମିଲ ହେବା ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସାମାନ୍ୟ ଜିଦ୍ ଏବଂ ପୁତିନ୍ଙ୍କ ଅହଂ ଯୁଦ୍ଧର କାରଣ ସାଜିଛି। ଏବେ ଯେତେବେଳେ ପୁତିନ୍ ୟୁକ୍ରେନ୍ର ୪ ଅଞ୍ଚଳକୁ ବଳପୂର୍ବକ ଅକ୍ତିଆର କରିନେଇଛନ୍ତି ସେତେବେଳେ ଆଗକୁ କ’ଣ କରାଯିବା ଉଚିତ୍ ତାହା ଜେଲେନ୍ସ୍କିଙ୍କ ପାଇଁ ଏକ ବଡ ପ୍ରଶ୍ନ ଭାଏ ଉଭା ହୋଇଛି।
ଯୁଦ୍ଧରୁ ଗୋଟିଏ କଥା ତ ପ୍ରମାଣିତ ହୋଇସାରିଛି ଯେ, ୟୁକ୍ରେନ୍ ନିଜର ସାହସ ବଳରେ ଏହି ଯୁଦ୍ଧକୁ କିଛି ମାତ୍ରାରେ ଜିତିସାରିଛି। ସବୁଠୁ ବଡ଼ କଥା ୟୁକ୍ରେନ୍ର ସାହସ, ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ନିରବଚ୍ଛିନ୍ନ ଦେଶବାସୀଙ୍କ ସହ ଯୋଡିହୋଇ ରହିବା, ସେନାଙ୍କ ଗହଣରେ ଯୁଦ୍ଧ ମୈଦାନରେ ଉପସ୍ଥିତ ରହିବା ଏବଂ ସେମାନଙ୍କ ମନୋବଳକୁ ବଢ଼ାଇବା ବିଶ୍ୱବାସୀଙ୍କ ହୃଦୟକୁ ଜିତିସାରିଛି। ସୁତରାଂ ଯାହା କିଛି ହେବା କଥା ହୋଇସାରିଛି, ୟୁକ୍ରେନ୍ ମଧ୍ୟ ଏବେ ଏ ଦିଗରେ ଚିନ୍ତା କରିବା ପୂର୍ବକ ପୁତିନ୍ଙ୍କ ପକ୍ଷରୁ ଦିଆଯାଇଥିବା ଶାନ୍ତି ଆଲୋଚନା ପ୍ରସ୍ତାବ ଉପରେ ବିଚାର କରିବା ଉଚିତ।
ଯୁଦ୍ଧର ପରିଣାମ କଦାପି ଶୁଭଙ୍କର ନୁହେଁ, ପଡୋଶୀ ହିଁ ପଡୋଶୀର ପ୍ରଥମ ବନ୍ଧୁ ହେବା ଉଚିତ। ଯଦି ପଡୋଶୀ ଶତ୍ରୁ ସାଜେ ତେବେ ତାହା ନିଜ ପାଇଁ ସବୁଠୁ ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ। ଜେଲେନ୍ସ୍କିଙ୍କୁ ମଧ୍ୟ ଏ ଦିଗରେ ଚିନ୍ତା କରିବା ଉଚିତ। ବେଳେବେଳେ ଅନିଚ୍ଛା ସତ୍ତ୍ୱେ ନିଜ ଲୋକଙ୍କ ପାଇଁ କିଛି ଜିଦ୍କୁ ପରିହାର କରିବା ବୁଦ୍ଧିମତାର ପରିଚୟ ଦେଇଥାଏ। ସାମାନ୍ୟ ନମ୍ରତା ବିକାଶ, ଉନ୍ନତିର ଯଦି ମାର୍ଗ ପ୍ରଶସ୍ତ କରିପାରୁଛି ତେବେ ଏଥିରେ ଅସୁବିଧା କ’ଣ?
ଏହାର ମାନେ ନୁହେଁ ଯେ, ୟୁକ୍ରେନ୍ ରୁଷ୍ ଆଗରେ ଆତ୍ମସମର୍ପଣ କରୁ କିମ୍ବା ନିଜକୁ ଛୋଟ କରୁ। ଶାନ୍ତି ଆଲୋଚନା ଦ୍ୱାରା ମଧ୍ୟ ଅନେକ ସମସ୍ୟାକୁ ଏଡାଇ ଯାଇହେବ। ଅନ୍ୟର ପ୍ରରୋଚନାରେ ପଡ଼ି ପଡୋଶୀ ରାଷ୍ଟ୍ର ସହ ଶତ୍ରୁତା କରିବା, ନିଜ ଲୋକଙ୍କ ଜୀବନକୁ ବିପନ୍ନରେ ପକାଇବା, ହଜାର ହଜାର ଜୀବନକୁ ନଷ୍ଟ ହୋଇଯିବାକୁ ଦେବା ଏସବୁ କଦାପି ବୁଦ୍ଧିମାନ ରାଜନୀତିର ପରିଚୟ ନୁହେଁ।
କିଏ ଜାଣେ ୟୁକ୍ରେନର ସାମାନ୍ୟ ପଶ୍ଚାତପଦ ପୁନର୍ବାର ୪ ପ୍ରଦେଶକୁ ଫେରିପାଇବା ଦିଗରେ ସହାୟକ ହୋଇପାରେ। ନିଷ୍ଠୁର ଶାସକ ବିବେଚିତ ହେଉଥିବା ପୁତିନଙ୍କ ମନ ଯେ ପରିବର୍ତ୍ତନ ନ ହେବ ସେକଥା କିଏ କହିବ?
ସନ୍ତୋଷ କୁମାର, ଆନାଲିଷ୍ଟ୍
ନ୍ୟାସନାଲ୍-ଇଣ୍ଟର୍ନ୍ୟାସ୍ନାଲ୍ ଇସ୍ୟୁଜ୍
ଦୂରଭାଷ : ୯୪୩୯୩୬୯୧୦୧
(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)