• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଡ୍ଫ୍ରାଇଡେ ଖ୍ରୀଷ୍ଟିଆନମାନଙ୍କ ପାଇଁ ଏହା ଏକ ପବିତ୍ର ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ବଶେଷ କରି ଏହି ପର୍ବକୁ ପାଳନ କରିଥାନ୍ତି । ଗୁଡ୍‌ ଫ୍ରାଇଡେ ନାଁ ଶୁଣିଲେ ଲାଗୁଛି ଯେମିତି ଏହା ଏକ ଉତ୍ସବ । କିନ୍ତୁ ବାସ୍ତବରେ ତାହା ନୁହେଁ । ଗୁଡ୍‌ ଫ୍ରାଇଡେ ହେଉଛି ଏକ ଶୋକ ଦିବସ । ଅର୍ଥାତ ଏହି ଦିନ ପ୍ରଭୁ ଯିଶୁଙ୍କ ମୃତ୍ୟୁକୁ ମନେ ପକାଇ ଶୋକ ପାଳନ କରାଯାଇଥାଏ  ତଥା ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଗୁଡ୍‌ ଫ୍ରାଇଡେର କୌଣସି ନିର୍ଦ୍ଧିଷ୍ଟ ତାରିଖ ନଥାଏ । ଏଥର ଏହା ଏପ୍ରିଲ ୭ ତାରିଖରେ ପାଳନ କରାଯାଉଛି ।

କୁହାଯାଏ ଯେତେବେଳେ ୟିହୁଦି ଶାସକମାନେ ଇସା ମସିହାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ, ସେହି ଦିନ ଶୁକ୍ରବାର ହିଁ ଥିଲା । ଆଉ ଇସା ମସିହା ଏହି ମାନବ ଜାତିର ମଙ୍ଗଳ ପାଇଁ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେ ଗୁଡ୍ ଫ୍ରାଇଡେ ଭାବେ ପାଳନ କରିଥାନ୍ତି । ଏହି ଦିନକୁ ଇସାଇ ଧର୍ମର ଲୋକେ ବଳିଦାନର ଦିବସ ଭାବେ ବିବେଚନା କରି ପାଳନ କରିଥାନ୍ତି ।

ଗୁଡ୍‌ ଫ୍ରାଇଡେର ଇତିହାସ:

ପାଖାପାଖି ୨୦୦୪ ବର୍ଷ ପୂର୍ବେ ଇସା ମସିହା ଜେରୁଜେଲମରେ ରହି ମାନବ ଜାତିର କଲ୍ୟାଣ ପାଇଁ ଭାଇଚାର, ଏକତା ଓ ଶାନ୍ତି ବାର୍ତ୍ତା ଦେଉଥିଲେ । ସେଠାରେ ଲୋକମାନେ ତାଙ୍କୁ ପରମପିତା ପରମେଶ୍ୱର ବୋଲି ମାନିବାକୁ ଆରମ୍ଭ କଲେ । ଏହି କାରଣରୁ ଇସା ମସିହାଙ୍କ ବିରୋଧରେ ସେତେବେଳେ କିଛି ଭଣ୍ଡ ବାବା ତଥା ଧର୍ମଗୁରୁମାନେ ଯିହୁଦିଙ୍କ କାନରେ କୁମନ୍ତ୍ରଣା କରିବା ଆରମ୍ଭ କଲେ । ଅଚାନକ ଦିନେ ତାଙ୍କ ବିରୋଧରେ ରାଜଦ୍ରୋହର ଅଭିଯୋଗ ଆଣି ତାଙ୍କୁ ଶୁଳିରେ ଚଢ଼ାଇବା ପାଇଁ ନିର୍ଦ୍ଧେଶ ଦିଆଗଲା । ଏହାପୂର୍ବରୁ ତାଙ୍କୁ କଣ୍ଟାର ମୁକୁଟ ପିନ୍ଧେଇ ଦିଆଗଲା । ଇସା ମସିହାଙ୍କୁ ଶୁଳିକୁ କାନ୍ଧରେ ବୋହି ନେବା ପାଇଁ ବାଧ୍ୟ କରାଗଲା । ଶେଷରେ ତାଙ୍କୁ ଅତି ନିର୍ମମ ଭାବେ ହାତରେ ଗୋଡ଼ରେ କଣ୍ଟା ଫୁଟାଇ ଶୁଳିରେ ଲଟକେଇ ଦିଆଗଲା ।

ଇସା ମସିହାଙ୍କର ଏହା ଥିଲା ଶେଷ ଶବ୍ଦ:

ଶୁଳିରେ ଲଟକା ଯିବା ପୂର୍ବରୁ ତାଙ୍କୁ କଣ୍ଟାର ମୁକୁଟ ପିନ୍ଧା ଯାଇଥିଲା । ତଥାପି ସେତେବେଳେ ଇସା ମସିହା କେବଳ ଏହି ମାନବ ଜାତିର କଲ୍ୟାଣ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲେ । ତେଣୁ ଏହାକୁ ତାଙ୍କ କ୍ଷମାର ଏକ ଅଦ୍ଭୁତ ଶକ୍ତି ବୋଲି କୁହାଯାଏ । ମୃତ୍ୟୁ ପୂର୍ବରୁ ପ୍ରଭୁ ଯିଶୁଙ୍କ ମୁହଁରୁ କେବଳ ବାହାରିଥିଲା, ‘ହେ ଇଶ୍ୱର ଏମାନଙ୍କୁ କ୍ଷମା କରିଦେବ, କାରଣ ଏମାନେ ଜାଣିନାହାନ୍ତି କ’ଣ କରୁଛନ୍ତି ।’

ଶେଷ ସମୟରେ ଥିଲା ଏମିତି ସ୍ଥିତି:

ଇସାଇ ଧର୍ମର ପବିତ୍ର ବାଇବେଲରେ ଯିଶୁଙ୍କୁ ଶୁଳିରେ ଚଢ଼ାଯିବାର ପୁରା ଘଟଣାକ୍ରମ ବିସ୍ତୃତ ରୂପେ ବର୍ଣ୍ଣନା କରାଯାଇଛି । ପ୍ରଭୁ ଯୀଶୁଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ଶୁଳିରେ ଲଟକାଯାଇଥିଲା । କୁହାଯାଏ କି, ଶେଷ ତିନି ଘଣ୍ଟା ବେଳକୁ ଚାରିଆଡ଼ ଅନ୍ଧକାର ମୟ ହୋଇଯାଇଥିଲା । ଯେତେବେଳେ ଯୀଶୁଙ୍କ ପ୍ରାଣବାୟୁ ଉଡ଼ିଗଲା ସେତେବେଳେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା । ଚାରିଆଡ଼ ଥରିବାକୁ ଲାଗିଥିଲା । କବର ଦିଆଯାଇଥିବା କଫିନ୍‌ ଗୁଡ଼ିକର ଢ଼ାଙ୍କୁଣି ଭାଙ୍ଗି ଆପେ ଖୋଲିଯାଇଥିଲା । ଦିନ ବେଳେ ଅନ୍ଧକାର ପରିସ୍ଥିତି ସୃଷ୍ଟି ହୋଇଥିଲା । କୁହାଯାଏ ଏହି କାରଣରୁ ଚର୍ଚ୍ଚରେ ଅପରାହ୍ନ ୩ଟା ବେଳେ ସମସ୍ତେ ଏକାଠି ହୋଇ ପ୍ରାର୍ଥନା କରିଥାନ୍ତି । କିନ୍ତୁ କୌଣସି ପ୍ରକାର ଉତ୍ସବ ପାଳନ କରାଯାଇନଥାଏ ।

ଗୁଡ୍‌ ଫ୍ରାଇଡେରେ ସମସ୍ତ ଚର୍ଚ୍ଚ ଏବଂ ଚାପେଲ୍ସରେ ସାମୁହିକ ପ୍ରାର୍ଥନା ସଭାର ଆୟୋଜନ କରାଯାଏ । ଏହି ଦିନ ଖ୍ରୀଷ୍ଟିଆନମାନେ ଉପବାସ କରନ୍ତି ତଥା ମାଂସ ଆହାରରୁ ଦୂରେଇ ରୁହନ୍ତି ଭାରତରେ ଗୁଡ୍ ଫ୍ରାଇଡେ ଦିନ ସାଧାରଣତଃ ଛୁଟି ଘୋଷଣା କରାଯାଇଥାଏ । ଗୁଡ ଫ୍ରାଇଡେକୁ ପବିତ୍ର ଫ୍ରାଇଡେ, ଗ୍ରେଟ ଫ୍ରାଇଡେ, ବ୍ଲାକ ଫ୍ରାଇଡେ ଏବଂ ଇଷ୍ଟର ଫ୍ରାଇଡେ ମଧ୍ୟ କୁହାଯାଏ