• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ ନେବ ବାସ୍ତବ ରୂପ ? କେମିତି ଗଡ଼ିବ ମେଟ୍ରୋ, ଆଉ କେଉଁ ରୁଟ୍ ଦେଇ ଯିବ ଏଲିଭେଟେଡ୍ କରିଡର । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ଚର୍ଚ୍ଚା । ଏବେ ପ୍ରସ୍ତୁତ ହେଉଛି ଡିପିଆର୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଆଉ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍ ଯୋଡିବାକୁ ଯୋଜନା କରିଛନ୍ତି ସରକାର ।

୨୯ କିଲୋମିଟର ଦୀର୍ଘ ଏହି ଟ୍ରାକ ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅର୍ଥାତ କିଲୋମିଟର ପିଛା ପ୍ରାୟ ୨୫୦ କୋଟି । ପ୍ରାୟ ୪୫୦ଟି ପିଲର ଉପରେ ଛିଡା ହେବ ମେଟ୍ରୋ ଟ୍ରାକ୍ । ଏହି ରୁଟରେ ୭ରୁ ୮ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ । ଷ୍ଟେସନରୁ ତଳକୁ ଓହ୍ଲାଇଲେ ତତକ୍ଷଣାତ ଅନ୍ୟ ସ୍ଥାନକୁ ଯିବା ପାଇଁ ସୁବିଧା ରହିବ। ମେଟ୍ରୋ ସ୍ୱପ୍ନ ସାକାର ହେଲେ, ଭୁବନେଶ୍ୱରରୁ କଟକକୁ ମାତ୍ର ୧୫ ମିନିଟ୍ ଓ ପୁରୀ କୁ ଅଧାଘଣ୍ଟାରେ ପହଞ୍ଚିହେବ ବୋଲି କୁହାଯାଉଛି । ତେବେ ଏଲିଭେଟେଡ୍ କରିଡର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସହ ବିସ୍ଥାପନ ମୁଖ୍ୟ ସମସ୍ୟା ସାଜିପାରେ ।

ଦେଖନ୍ତୁ ଭିଡିଓ | ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍

କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି ଟ୍ରାଫିକ୍ । ପିକ୍ ଆୱାର ହେଉ କିମ୍ବା କୌଣସି ବଡ କାର୍ଯ୍ୟକ୍ରମ ଥିଲେ ପୋଲିସକୁ ବି ଭିଡ଼ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡୁଛି। ଏପରିକି ଭିଡ଼ରେ ଆମ୍ବୁଲାନ୍ସ ଫଶିବା, ନିତିଦିନିଆ ଘଟଣା ହେଲାଣି । ତେଣୁ ମେଟ୍ରୋ ଗଡ଼ିଲେ ଟ୍ରାଫିକ୍ ଜାମ କମିବା ସହ ଲୋକେ ଠିକ୍ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରିବେ ବୋଲି ଆଶା କରାଯାଉଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତି ଦିନ ୫୦ ଲକ୍ଷ ଲୋକ ଯାତାୟତ କରୁଥିବା ଦିଲ୍ଲୀ ମେଟ୍ରୋ ବି କ୍ଷତିରେ ଚାଲିଥିବା କୁହାଯାଉଛି । ତେଣୁ ଏଠି ମେଟ୍ରୋ ରେଲ୍ ପ୍ରକଳ୍ପ ହେଲେ ଏହାକୁ ଚଲାଇବା ପାଇଁ ସରକାର କେତେ ଦୂର ସକ୍ଷମ ହେବେ, ତାହା ବି ଏକ ବଡ଼ ପ୍ରଶ୍ନ । ଡିପିଆର ପ୍ରସ୍ତୁତ ହେବା ପରେ ଖୁବ ଶୀଘ୍ର ଶିଳାନ୍ୟାସ ସହ ୩ ବର୍ଷ ମଧ୍ୟରେ କାମ ସାରିବାକୁ ଯୋଜନା କରିଛନ୍ତି ସରକାର ।

(ଭୁବନେଶ୍ୱରରୁ କ୍ୟାମେରାପର୍ସନ ସନ୍ତୋଷ ନାୟକଙ୍କ ସହ କପିଳେନ୍ଦ୍ର ପ୍ରଧାନ, ହରିହର ଚାନ୍ଦ ଓ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ, ଓଟିଭି)