୪୫ ବର୍ଷ ପରେ ଜାତୀୟ ଉଦ୍ୟାନ ପାଲଟିଥିବା ଶିମିଳିପାଳ ଖୁସିକୁ ଦ୍ବିଗୁଣିତ କରିଛି ମହାବଳ ବଂଶର ଦ୍ରୁତି ଅଭିବୃଦ୍ଧି । ବର୍ଷକ ଭିତରେ ଶିମିଳିପାଳରେ ବାଘ ସଂଖ୍ୟା ୪୦ ଛୁଇଁଛି । ଏମିତିକି ଆଗାମୀ ୧୦-୧୨ ବର୍ଷରେ ଏ ଜାତୀୟ ଉଦ୍ୟାନର ମହାବଳ ବଂଶକୁ ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ ।
ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତ, ଏଥିପାଇଁ ରାଜ୍ୟ ସରକାରଙ୍କୁ ଶିକାରୀଙ୍କ ପ୍ରାଦୁର୍ଭାବ ରୋକିବା ସହ ବଫର ଏରିଆକୁ କରିବାକୁ ହେବ ଜନପଦ ମୁକ୍ତ । ଶିମିଳିପାଳ ପାଇଁ ଡବଲ ଖୁସି । ୪୫ ବର୍ଷ ପରେ ପାଇଲା ଜାତୀୟ ଉଦ୍ୟାନ ମାନ୍ୟତା । ଆଉ ଏଠି ଦ୍ରୁତ ବଢ଼ୁଛି ମହାବଳ ବଂଶ । ଏମିତିକି ବର୍ଷକ ଭିତରେ ଏ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ୫ ବଢ଼ିଛି । ଆଜି ଏମିତି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ।
Also Read
ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ୨୦୨୪ରେ ପ୍ରକାଶିତ ରାଜ୍ୟର ପ୍ରଥମ ବ୍ୟାଘ୍ର ଗଣନା ରିପୋର୍ଟ ଅନୁସାରେ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିଲେ ୨୭ ମହାବଳ ସହ ୮ ବାଘ ଶାବକ। ହେଲେ ଚଳିତ ବର୍ଷ କ୍ୟାମେରା ଟ୍ରାପରେ ଠାବ ହୋଇଛନ୍ତି ୪୦ ମହାବଳ । ଇନବ୍ରିଡିଂ ରୋକିବାକୁ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜୀନତ୍, ଯମୁନାକୁ ଛାଡ଼ିଦେଲେ ଶିମିଳିପାଳରେ ଅଛନ୍ତି ଆଉ ୩୨ ମହାବଳ ଓ ୬ ଶାବକ। ୩୨ ମହାବଳ ମଧ୍ୟରୁ ୧୩ଟି ପୁରୁଷ ଓ ୧୭ଟି ବାଘୁଣୀ ।
ଅନ୍ୟ ଦୁଇଟି ବାଘ ନା ବାଘୁଣୀ, ସ୍ପଷ୍ଟ ହୋଇପାରିନି । ତେବେ ଏ ବର୍ଷକ ଭିତରେ ବନ ବିଭାଗର ଚିନ୍ତା ବଢ଼ାଉଥିବା କଳା ମହାବଳଙ୍କ ସଂଖ୍ୟା କିନ୍ତୁ ୧୩ରୁ ବଢ଼ି ପହଞ୍ଚିଯାଇଛି ୧୮ରେ । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏବେ ଶିମିଳିପାଳର ୮୪୫ ବର୍ଗକିଲୋମିଟର କୋର୍ ଏରିଆ ଜନବସତି ଶୂନ୍ୟ ହୋଇ ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି ।
ବର୍ତ୍ତମାନ ଏ ଅଭୟାରଣ୍ୟ ମହାବଳ ସହ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅଭୟ କ୍ଷେତ୍ର ପାଲଟିଛି। ଏଣୁ ଆଗାମୀ ୧୦-୧୨ ବର୍ଷରେ ମହାବଳ ବାଘ ସଂଖ୍ୟା ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ବନ ବିଭାଗ ତଥ୍ୟ କହୁଛି, ୨୦୦୦ରୁ ୨୦୦୬ ମସିହା ଭିତରେ ଶିମିଳିପାଳରେ ଥିଲେ ୧୦୧ ମହାବଳ । କିନ୍ତୁ ଜନବସତି ତଥା ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି କାରଣରୁ ଧୀରେ ଧୀରେ ବାଘ ସଂଖ୍ୟା କମିଚାଲିଲା ।
ଏପରିକି ୨୦୨୨ରେ ଶିମିଳିପାଳରେ ଥିଲେ ମାତ୍ର ୨୨ଟି ମହାବଳ, ଯାହାକି ରାଜ୍ୟ ପାଇଁ ସତର୍କ ଘଣ୍ଟି ସାଜିଥିଲା । ତେବେ ପରବର୍ତ୍ତୀ ସମୟରେ ସରକାରଙ୍କ ପ୍ରୟାସ କାରଣରୁ ୨୦୨୪ରେ ମହାବଳଙ୍କ ସଂଖ୍ୟା ୨୭କୁ ବଢ଼ିବା ସହ ଏବେ ପୁଣି ଉପରମୁହାଁ ହୋଇଛି । ବନ୍ୟପ୍ରାଣୀ ବିଶେଷଜ୍ଞ ବାଘ ସଂଖ୍ୟା ବୃଦ୍ଧିକୁ ସ୍ବାଗତ କରିଥିଲେ ବି ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଏବେ ବି ଆହୁରି ଅନେକ କିଛି କରିବାକୁ ପଡ଼ିବ ବୋଲି କହିଛନ୍ତି ।
ଯେମିତିକି କୋର୍ ଏରିଆ ଭଳି ବଫର ଏରିଆକୁ ବି ଜନବସତି ମୁକ୍ତ କରିବାକୁ ପଡ଼ିବ, ଶିକାରୀମୁକ୍ତ କରିବାକୁ ପଡ଼ିବ । ଏହା ହେଲେ ଆଗାମୀ ଦିନରେ ଶିମିଳିପାଳରେ ବାଘ ସଂଖ୍ୟା ୧୦୦ ଟପିବା ଅସମ୍ଭବ ନୁହେଁ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଶିମିଳିପାଳରେ ଶହେ ମହାବଳ ସହ କଳାବାଘ ବଂଶ ବୃଦ୍ଧିରେ ରୋକ୍ ଲଗାଇବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ କେତେ ଫଳପ୍ରଦ ହେଉଛି । ତା' ଉପରେ ଏବେ ସମସ୍ତଙ୍କ ନଜର ।