• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଫିସର୍ ପ୍ରୀତିକୁ ନେଇ ଚର୍ଚ୍ଚା । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ନେଇ ଅସନ୍ତୋଷ । ଏଣେ ନିଯୁକ୍ତି ନପାଇ ହତାଶ ଯୁବ ପିଢି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲୋକସେବା ଭବନ ପରେ ଏବେ ଜିଲ୍ଲା ସ୍ତରରେ ରିଟାୟାର୍ଡ ବାବୁଙ୍କ ନିଯୁକ୍ତି ନେଇ ମସୁଧା । ତାହା ପୁଣି ନଗର ଉନ୍ନୟନ ବିଭାଗରେ । ନଗର ଉନ୍ନୟନ ବିଭାଗର ରିଜୋଲେସନ୍‌କୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି ।

ସହରାଂଚଳର ଦ୍ରୁତ ବିକାଶ ହେଉଛି । ତାକୁ ମନିଟରିଂ କରିବା କଷ୍ଟସାଧ୍ୟ । ତେଣୁ ରାଜ୍ୟ ସରକାର ତତ୍‌କ୍ଷଣାତ୍‌ ଓ ମଧ୍ୟବର୍ତ୍ତୀ ପଦକ୍ଷେପ ସ୍ୱରୁପ ପ୍ରତ୍ୟେକ ଜିଲ୍ଲାରେ ଥିବା ଡିଷ୍ଟ୍ରିକ୍ଟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସିରେ ଅବସରପ୍ରାପ୍ତ ଓଏଏସ୍, ଓଏଫ୍ଏସ୍, ଓପିଏସ୍, ଓଆରଏସ୍ ଭଳି ଅଫିସରଙ୍କୁ ପ୍ରକଲ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ଷକ ପାଇଁ ଠିକା ନିଯୁକ୍ତି ଦେବା ସହ ଦରମା ବାବଦକୁ ମାସିକ ୭୫ ହଜାର ଟଙ୍କା ମିଳିବ। ତେବେ ଏହି ବ୍ୟବସ୍ଥାକୁ ନେଇ ଦେଖାଦେଇଛି ବିବାଦ । ଉଭୟ ବିଜେପି ଓ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛନ୍ତି ।

ବିଜେପି ଅଭିଯୋଗ କରିଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭଳି ଜିଲ୍ଲା ଅଫିସ୍ ବି ରିଟାୟାର୍ଡ ଅଫିସରଙ୍କ କ୍ଳବ୍ ପାଲଟିଗଲାଣି । ନିର୍ବାଚନକୁ ଦୃଷ୍ଟିରେ ରଖି ଏ ବ୍ୟବସ୍ଥା ବୋଲି ଦଳ ଅଭିଯୋଗ କରିଛି। ସେପଟେ କଂଗ୍ରେସ ଅଭିଯୋଗ କରିଛି, ଦଳୀୟ କାମରେ ସେମାନଙ୍କୁ ଲଗାଯାଉଛି । ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଚାପ ପ୍ରୟୋଗ କରାଯାଉଛି ।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା, ଅବସରପ୍ରାପ୍ତ ଅଫିସରଙ୍କୁ କାହିଁକୁ ପୁନଃନିଯୁକ୍ତି ଦିଆଯାଉଛି ? ଆଉ କେହି ଦକ୍ଷ ଅଧିକାରୀ ନାହାନ୍ତି ନା ସେମାନଙ୍କ ଦ୍ୱାରା ସ୍ୱାର୍ଥ ହାସଲ ହେଉଥିବାରୁ ପ୍ରାଇଜ୍ ପୋଷ୍ଟଂ କରାଯାଉଛି ? ଜିଲ୍ଲା ସ୍ତରରେ ରିଟାୟାର୍ଡ ଅଫିସରଙ୍କୁ ନିଯୁକ୍ତି, ଅନ୍ୟ ଅଫିସରଙ୍କ ପାୱର ସଙ୍କୁଚିତ ପାଇଁ ଉଦ୍ୟମ କି ? ଏମିତି ନାନା ପ୍ରଶ୍ନକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା ଜୋର ଧରିଛି ।

ଅବସରପ୍ରାପ୍ତ ଅଫିସରଙ୍କୁ ପୁନଃନିଯୁକ୍ତି ଦେଇ ରାଜ୍ୟ ସରକାର ନିର୍ବାଚନ ପରିଚାଳନା ପାଇଁ ଫନ୍ଦି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ସହରି ଭୋଟର ବିଜେପି ମୁହାଁ ହେଉଥିବାରୁ ସହରାଂଚଳରେ ଉନ୍ନୟନମୂଳକ କାମ ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହଯାଉଛି ।

(ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ସହ ଭୁବନେଶ୍ୱରରୁ ସୌମ୍ୟରଂଜନ ସାହୁ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି)

  • Reported by:
  • ASHOK BRAHMA , HARIHARA CHAND , SOUMYA RANJAN SAHOO