/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663470134.jpg)
Dhenkanal Gajalaxmi Puja
ଢେଙ୍କାନାଳରେ ଜୋରସୋରରେ ଚାଲିଛି ପୂଜା ମଣ୍ଡପ ପ୍ରସ୍ତୁତି । ବାଉଁଶରେ ତିଆରି ଚାଲିଛି କୁଲା, ଚଲା ଓ ଫୁଲଝୁଡ଼ି । ଓଡିଶାରେ ପ୍ରଥମଥର ପାଇଁ ଝଲସିବ କଲିକତାର ବାଉଁଶ କଳାକୃତି । ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଗଣେଶ ବଜାର ପକ୍ଷରୁ କଲିକତା କାରିଗରଙ୍କ ନିଖୁଣ ବାଉଁଶ କଳାକୃତି ଦେଖିବାକୁ ମିଳିବ । ୬୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଉଚ୍ଚ ତୋରଣକୁ କେବଳ ବାଉଁଶ ତିଆରି କୁଲା, ଚଲା ଓ ଫୁଲଝୁଡିରେ ସଜାଯିବ । ଏଥିପାଇଁ କଲିକତାର ଏକ ୨୫ ଜଣିଆ କାରିଗର ଦିନରାତି ଏକ କରି ଲାଗିଛନ୍ତି ।
ପୂର୍ବରୁ ଏହି କାରିଗରମାନେ କଲିକତା, ଦିଘା ଏବଂ ଜାମସେଦପୁରରେ ଆୟୋଜିତ ଦୁର୍ଗାପୂଜାରେ ଏଭଳି ତୋରଣ ପ୍ରସ୍ତୁତ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ପ୍ରଥମକରି ଓଡିଶାରେ ତାଙ୍କ ହାତ ତିଆରି ସୁକ୍ଷ୍ମ ବାଉଁଶ କଳାକୃତିର ଏହି ସୁଉଚ୍ଚ ତୋରଣ ଲୋକଙ୍କ ପାଖରେ ବେଶ ଆଦୃତ ହେବ ବୋଲି ଆଶା ରଖିଛନ୍ତି କାରିଗର ।
ଢେଙ୍କାନାଳରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ୭୪ବର୍ଷରେ ପଦାର୍ପଣ କରିଛି । ଏଠାକାର ଗଣେଶବଜାର ପୂଜା କମିଟି ପ୍ରତ୍ୟେକ ବର୍ଷ କିଛି ନିଆରା ତୋରଣ ମାଧ୍ୟମରେ ଦର୍ଶକଙ୍କୁ ଭେଟି ଦେଇଥାଏ । ଯାହାକୁ ମନଭରି ଉପଭୋଗ କରିଥାନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ । ପୂର୍ବରୁ ଏହି ବଜାରରେ ଜଙ୍ଗଲ ପରିବେଶ ଓ ବର୍ଜ୍ୟବସ୍ତୁକୁ ନେଇ ନିଆରା ତୋରଣ ର୍ନିମାଣ କରାଯାଇଥିଲା । କରୋନା ସ୍ଥିତିରୁ ୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ସମ୍ପୁର୍ଣ୍ଣ ବାଉଁଶରେ ୬୫ ଫୁଟର ଏହି ତୋରଣ ର୍ନିମାଣ କରାଯାଉଛି । ଏଥିପାଇଁ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ବ୍ୟବହାର ହେବ ୪ଶହ ଗୋଟି ବାଉଁଶ ।
ଏଥର ଧୁମଧାମରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା । ଦର୍ଶକ ଓ ଶ୍ରଦ୍ଧାଳୁ ଦେଖିବେ ବାଉଁଶରେ ନିର୍ମିତ ସୁନ୍ଦର ଏବଂ ସୁଉଚ୍ଚ ତୋରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)