Advertisment

ମହାମାୟାଙ୍କ ମହାସପ୍ତମୀ ! ମନ୍ତ୍ରୋଚାରଣରେ କଂପିଲା ପୂଜାମଣ୍ଡପ, ସନ୍ଧ୍ୟାରୁ ଦର୍ଶନ ପାଇଁ ଭିଡ଼

ମା’ଙ୍କ ଚକ୍ଷୁଦାନ ସହ ହେଲା ପ୍ରାଣ ପ୍ରତିଷ୍ଠା । ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାଷ୍ଟମୀ ।

author-image
Satyendu Shekher Mishra
undefined

Mahasaptami

ଚାଲିଛି ଚଣ୍ଡୀପାଠ...ମା’ଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ହେଉଛି ମଣ୍ଡପ। ମହାସପ୍ତମୀରେ ଧରାପୃଷ୍ଠରେ ଆବିର୍ଭୁତା ମାଆ ଜଗତଜନନୀ ଦୁର୍ଗାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଛି ପ୍ରାଣପ୍ରତିଷ୍ଠା। ତା’ ପରଠୁ ଅନ୍ୟାନ୍ୟ ବିଧି ବିଧାନରେ ପୂଜାପାଠ ସହ ଆବରଣ ଖୋଲିବା ପରେ କମନୀୟ ରୂପ ଲାବଣ୍ୟରେ ଝଟକୁଥିବା ମାଆଙ୍କ ଦର୍ଶନ ଲାଗି ମଣ୍ଡପଗୁଡ଼ିକରେ ଜମିଛି ଶ୍ରଦ୍ଧାଳୁଙ୍କ ଗହଳି। ଅନୁକୂଳ ପାଗ ଯୋଗୁ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପରେ ବେଶ୍ ଭିଡ଼ ।

Advertisment

କଟକରେ ସୁନା-ଚାନ୍ଦି ମେଢ଼ ଭଳି ଭୁବନେଶ୍ୱରରେ ବି ଏବର୍ଷ ତୋରଣକୁ ନେଇ ହୋଇଛି ନାନା ଏକ୍ସପେରିମେଣ୍ଟ। ଏଇ ଯେମିତି ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପ। ଯେଉଁଠି ତିଆରି ହୋଇଛି କାମ୍ବୋଡ଼ିଆର ଆଙ୍ଗକୋର୍ ୱାଟ୍ ଆକୃତିର ତୋରଣ। କାମ୍ବୋଡ଼ିଆ ଭାଷାରେ ଆଙ୍ଗକୋର୍ ଅର୍ଥ ସହର ୱାଟ୍ ଅର୍ଥ ମନ୍ଦିର। ଏହି ମନ୍ଦିର ଆକୃତିର ତୋରଣ ଭିତରେ ପଶିଲେ ଆପଣ ପାଇବେ ଏକ ଭିନ୍ନ ଅନୁଭୂତି। ଯାହାକୁ ୨ ମାସ ଧରି ତିଆରି କରିଛନ୍ତି ଓଡ଼ିଆ କାରିଗର। ତାସହିତ ୨ କ୍ୱିଣ୍ଟାଲରୁ ଅଧିକ ଚାନ୍ଦି ସହ ଗୋଟିଏ କେଜିର ସୁନା ଅଳଙ୍କାର ଧାରଣ କରିଥିବା ମା’ଙ୍କ ପ୍ରତିମୂର୍ତ୍ତି ମନମୋହିବ ଆପଣଙ୍କୁ।

ସେହିପରି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଆପଣ ପାଇବେ ଓଡ଼ିଆ ସଂସ୍କୃତିର ଛାପ । ପୋଡ଼ାମାଟିର ଟେରାକୋଟା କଳା ସହ ବାଉଁଶ, ତାଟିରେ ନିର୍ମିତ ହୋଇଛି ତୋରଣ। ୧୪୦ ଫୁଟ୍ ଓସାର ଏବଂ ୭୦ ଫୁଟ୍ ଉଚ୍ଚତା ବିଶିଷ୍ଟ ତୋରଣ ଭିତରେ ଆପଣ ଦେଖି ପାରିବେ କଣ୍ଢେଇ ଏବଂ ଘୋଡ଼ାର ମନଛୁଆ ପ୍ରତିକୃତୀ । ଏସବୁ ଭିତରେ ଆଜି ମା’ଙ୍କ ମହାସପ୍ତମୀ ପୂଜା ଚାଲିଛି ।

Advertisment

ମଣ୍ଡପେ ମହାସପ୍ତମୀ, କିନ୍ତୁ ଶକ୍ତିପୀଠରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା। ଏହି କ୍ରମରେ ଚଳଚଞ୍ଚଳ ହୋଇଛି ବାଣପୁରର ମା’ଭଗବତୀଙ୍କ ପୀଠ, ଯାଜପୁରର ମା’ ବିରଜା ଏବଂ ଗଞ୍ଜାମର ମା’ ତାରାତାରିଣୀଙ୍କ ପୀଠ। ଆସନ୍ତାକାଲି ଭବାନୀପାଟଣାରେ ଅନୁଷ୍ଠିତ ହେବ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଆଜି ରାତିରେ ମା’ଙ୍କ ଗୁପ୍ତ ପୁଜା ଓ ସନ୍ଧୀପୂଜା ପରେ କାଲି ଭୋରରୁ ଜେନାଖାଲରୁ ମା’ଙ୍କ ଚଳନ୍ତି ପ୍ରତିମା ତଥା ବିଜୟ ଛତରକୁ ଅଣାଯିବ ମାଣିକେଶ୍ୱରୀ ମନ୍ଦିର। ଏଥିପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Advertisment
Advertisment