• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାଜପୁର ଆଉ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତି । ପୁଣି ବବିଙ୍କ ବୟାନ ଯାଜପୁରରେ ବିଜେଡି କହିଲେ କେବଳ ବବି-ଜିତୁ-ଡ୍ୟାନି । ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା । ଅମର କହିଛନ୍ତି ମୁଁ ରାଜନୈତିକ କାର୍ଯ୍ୟକ୍ରମରୁ ନିବୃତ ରହିଛି । ଅନ୍ୟପଟେ ସିମୁଳିଆରେ ସଭ୍ୟ ସଂଗ୍ରହ ବେଳେ ସାମ୍ନାକୁ ଆସିଛି ଜ୍ୟୋତି-ଶଶୀ କନ୍ଦଳ ।

ପୁଣି ରଜନୀକାନ୍ତଙ୍କ ବିଭୀଷଣ ବୟାନ କହୁଛି ବିଜେଡିରେ ଅଲ ଇଜ ନଟ୍ ୱେଲ୍ । କ୍ଷମତା ଯିବା ପରେ କନ୍ଦଳ ଆହୁରି ତେଜିବାରେ ଲାଗିଛି । ବିଜେଡି ବଢୁଛି କମ୍, ଛିଡୁଛି ଅଧିକ । କ୍ଷମତା ଗଲା, ହେଲେ କମୁନି କନ୍ଦଳ । ଦଳୀୟ କାର୍ଯ୍ୟକ୍ରମରେ ନେତୃତ୍ୱଙ୍କ ଉପରେ ବର୍ଷୁଛନ୍ତି ନେତା । ଦଳରେ ଏବେ ବି ଚାଲିଛି ସମାନ୍ତରାଳ କାର୍ଯ୍ୟକ୍ରମ । ଯାଜପୁରରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଗୋଟିଏ ମଞ୍ଚରେ ଏକାଠି ଜିଲ୍ଲାର ସମସ୍ତ ନେତା, ହେଲେ ନଥିଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ।

ରାଜ୍ୟସ୍ତରୀୟ କି ଜିଲ୍ଲା କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଅମରଙ୍କୁ ନିମନ୍ତ୍ରଣ ହୋଇନି ନା ସେ ଯାଇନାହାନ୍ତି? ଅନ୍ୟ ପଟେ ଯାଜପୁର ସଭ୍ୟ ସଂଗ୍ରହ ଅଭିଯାନରେ ବବିଙ୍କ ଭାଷଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବବି କହୁଛନ୍ତି ଯାଜପୁରର ବିଜେଡି କହିଲେ ବବି-ଜିତୁ-ଡ୍ୟାନିକୁ ବୁଝାଏ ।

ଅନ୍ୟପଟେ ସାମିଲ ନହେବାକୁ ନେଇ ଅମର କହିଛନ୍ତି ମୁଁ ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରହୁଛି । କିନ୍ତୁ ଗାନ୍ଧୀ ଜୟନ୍ତୀ ଦିନ ବଡ଼ଚଣାଠାରେ ଗୋଟିଏ ଗୋଷ୍ଠୀ ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏବଂ ରାଜ ନାରାୟଣ ମହାପାତ୍ର ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ । ସେହିପରି ବାଲେଶ୍ୱର ସିମୁଳିଆଠାରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର ।

ଏଠି ଜ୍ୟୋତି ପାଣିଗ୍ରାହୀ ଆଉ ଶଶି ସାହୁ ବିବାଦ । ଜ୍ୟୋତି ପାଣିଗ୍ରାହୀ ନିଜେ ଜିଲ୍ଲା ସଭାପତି ହିସାବରେ ଦଳ ପକ୍ଷରୁ ଆୟୋଜିତ ସଭ୍ୟ ସଂଗ୍ରହ ଅଭିଯାନରେ ଶଶିଙ୍କୁ ନିମନ୍ତ୍ରଣ କରି ନଥିବାରୁ ଅଲଗା ଭାବେ ଶଶୀ କରିଛନ୍ତି କାର୍ଯ୍ୟକ୍ରମ । ଯାହାକୁ ନେଇ ଶଶୀ କ୍ଷୋଭ ପ୍ରକାଶ କରିବା ସହ ଏନେଇ ସୁପ୍ରିମୋଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

ଅନ୍ୟପଟେ ସୌଭିକ ବିଶ୍ୱାଳଙ୍କ ପରେ ବିଜେଡି ପରାଜୟକୁ ନେଇ ମୁହଁ ଖୋଲି ବଡ ବୟାନ ଦେଇଛନ୍ତି ଅନୁଗୁଳ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂ ରଖିଛନ୍ତି ବଡ ବୟାନ । ପରାଜୟ ପଛରେ ବିଭୀଷଣ ଉପାଖ୍ୟାନ କହିଛନ୍ତି ରଜନୀକାନ୍ତ । ଏମିତି କି ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଭୀଷଣମାନଙ୍କୁ ସେ ଚିହ୍ନଟ କରି ସାରିଛନ୍ତି, ହାଇକମାଣ୍ଡଙ୍କୁ ଜଣାଇବେ ।

ଗତକାଲି କଟକର ଏକ ସଭାରେ ନାଁ ନନେଇ ତୁଙ୍ଗ ନେତାଙ୍କ ଉପରେ ଖୁବ ବର୍ଷିଥିଲେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ । ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା । ଅନ୍ୟ ପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ପରାଜୟ ପରେ ମନାନ୍ତର ମତାନ୍ତର ରହିଛି, ଯାହାକୁ ଦଳ ସମାଧାନ କରୁଛି । ଶଙ୍ଖ ଭବନରେ ନିତି ଜିଲ୍ଲାୱାରୀ ସମୀକ୍ଷା କରି ତାଳି ପକାଇବାକୁ ଚେଷ୍ଟା କରୁଛନ୍ତି ନବୀନ, ତା ସତ୍ତ୍ୱେ ବି କନ୍ଦଳ କମିବା ବଦଳରେ ବଢିବାରେ ଲାଗିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now