• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ । ଉଦ୍ୟୋଗ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ସେ କହିଥିଲେ, "ଯଦି ତୁମେ ଶୀଘ୍ର ଚାଲିବାକୁ ଚାହୁଁଛ, ଏକୁଟିଆ ଚାଲ, କିନ୍ତୁ ଯଦି ତୁମକୁ ବହୁ ଦୂର ଯିବାକୁ ଅଛି, ଏକାଠି ଚାଲ ।" ସେହିପରି "ଅନ୍ୟମାନଙ୍କ ସହିତ ବ୍ୟବହାରରେ, କଥାରେ ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କଦାପି ଅବମୂଲ୍ୟାୟନ କରନି ।" ହଁ ଏମିତି ହିଁ ରତନ ଟାଟା ।

ତାଙ୍କ କଥା ଭଳି ସେ... ମଣିଷପଣିଆରେ ଛଳଛଳ... ସରଳପଣରେ ଢଳଢଳ... ଅମିତ ବିତ୍ତଶାଳୀ, କିନ୍ତୁ ଅସାଧାରଣ ଭାବେ ସାଧାରଣ । ବ୍ୟବହାରରେ, କାର୍ଯ୍ୟରେ, କର୍ତ୍ତବ୍ୟରେ- ଖାଲି ମଣିଷ ନୁହେଁ, ସବୁପ୍ରାଣୀଙ୍କ ପାଇଁ ବି ଯେମିତି ଥିଲେ କରୁଣାର ଅବତାର । ଯିଏ ସାଧାରଣ ଲୋକଙ୍କ ପାଇଁ ଭାବୁଥିଲେ, ତାଙ୍କ ଚୁନା ଚୁନା ସ୍ୱପ୍ନ ପୂରା କରିବାକୁ ଧାଉଁଥିଲେ । ଏଇ ଯେମିତି ଟାଟା ନାନୋର କାହାଣୀ ।

ମୁମ୍ବାଇର ସଡ଼କରେ ଦିନେ ରତନଙ୍କ ଗାଡ଼ି ଗଡୁଥାଏ, ଆଉ ପହଁରିଯାଏ ପିଲାଙ୍କୁ ସାଥିରେ ଧରି ସ୍କୁଟରରେ ଯାଉଥିବା ବର୍ଷାଭିଜା ଦମ୍ପତିଙ୍କ ଅବସ୍ଥା ଉପରେ ରତନଙ୍କ ଆଖି । ବାସ୍ ସେଇଠୁ ଜନ୍ମନିଏ ଲକ୍ଷେ ଟଙ୍କିଆ କାର ନାନୋର ପରିକଳ୍ପନା । ଯାହା ଲକ୍ଷ ଲକ୍ଷ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କର ଖାଲି କାର ଚଢ଼ିବାର ସ୍ୱପ୍ନ ପୂରା କରେନି ।

ରାସ୍ତାରେ ସୁରକ୍ଷାର ଚାଦରଟିଏ ବି ଢାଙ୍କି ଦିଏ । ଭାରତର ସବୁଠୁ ମର୍ଯାଦା ସଂପନ୍ନ ହୋଟେଲ୍ ତାଜ୍ । ଯାହାର ପାହାଚ ଛୁଇଁବା ସାଧାରଣ ମଣିଷ ପାଇଁ ସ୍ୱପ୍ନ । ସେଠି କିନ୍ତୁ ରତନଙ୍କ ପାଇଁ ବୁଲା କୁକୁର ସାଜି ପାରନ୍ତି ଅତିଥି । ଖାଲି ଅତିଥି ନୁହେଁ, ନିଜ ପ୍ରିୟ ପୋଷା କୁକୁର ଟିଟୋ ଆଉ ଟ୍ୟାଙ୍ଗୋଙ୍କ ଅସୁସ୍ଥତା ପାଇଁ ରତନ ବି ବାତିଲ କରିପାରନ୍ତି, ସମାଜସେବା ପାଇଁ ବକିଂହମ୍ ପ୍ୟାଲେସର ସବୁଠୁ ବଡ଼ ସମ୍ମାନ ।

କୁକୁରଙ୍କ ପ୍ରତି ଏ ଭଲ ପାଇବା ବି ରତନଙ୍କ ପାଖକୁ ନେଇ ଆସେ ୨୦ ବର୍ଷୀୟ ବନ୍ଧୁ ଶାନ୍ତନୁ ନାଇଡୁଙ୍କୁ । ଯିଏ ସବୁଠୁ କମ ବୟସରେ ତାଙ୍କ ଜେନେରାଲ୍ ମ୍ୟାନେଜର ହୋଇପାରୁଥିଲେ, ବନ୍ଧୁଟିଏ ବନ୍ଧୁ ଭଳି ସୁଖଦୁଃଖର ସାଥୀ ହୋଇପାରୁଥିଲେ, ତାଙ୍କୁ ଇନଷ୍ଟାର ବ୍ୟବହାର ଶିଖାଉଥିଲେ, ଯାହାଙ୍କ ଘରକୁ ଯାଇ ତାଙ୍କ ମାଆଙ୍କ ହାତରନ୍ଧା ଖାଇ ଖୁସି ହେଉଥିଲେ ରତନ ।

ବୟସର ଅପରାହ୍ଣରେ ବି ଯୁବକଙ୍କୁ ବନ୍ଧୁ ବନାଯାଇ ପାରେ, ଆଗକୁ ବଢ଼ାଯାଇପାରେ, ଇଏ ଥିଲା ତାରି ନିଦର୍ଶନ । ଆଉ ଇଏ ବି ବନ୍ଧୁ ରତନଙ୍କୁ ଶାନ୍ତନୁଙ୍କ ଶେଷ ଶବ୍ଦାଞ୍ଜଳି ଗୁଡବାଏ ଲାଇଟ୍ ହାଉସ୍ ଲେଖି ଜଣାଇଛନ୍ତି ବିନମ୍ର ଶ୍ରଦ୍ଧାଞ୍ଜଳି । ରତନଙ୍କ ସରଳପଣର ଜୋୟା କାହାଣୀ ବି ହୃଦୟସ୍ପର୍ଶୀ । ଦିନେ ଫ୍ଲାଇଟରେ ବସିଥିବା ରତନ ଟାଟାଙ୍କୁ ଫ୍ଲାଇଟର କୋ-ପାଇଲଟ୍ କ୍ୟାପଟେନ୍ ଜୋୟା ଫଟୋଗ୍ରାଫଟିଏ ପାଇଁ ଅନୁରୋଧ କରନ୍ତି ।

ରତନ ତାଙ୍କ ପାଖକୁ ଯାଆନ୍ତେ, ଜୋୟା ଚେୟାରରୁ ଉଠିଯାଆନ୍ତି, କିନ୍ତୁ ରତନ କୁହନ୍ତି ୟେ ଆସନ ତୁମର, ମୁଁ ଛିଡ଼ା ହେଉଛି । ଆଉ ତାଙ୍କ ଅବର୍ତ୍ତମାନରେ କ୍ୟାପଟେନ୍ ଜୋୟାଙ୍କ ଫଟୋ ସହ ଏ ପୋଷ୍ଟ ବି ଭାଇରାଲ୍ ହେଉଛି । ଏମିତି ହିଁ ରତନ, ମାନବବାଦୀ ଶିଳ୍ପପତି । ଯିଏ ନିଜ ସମୟଠୁ ଆଗରେ ଚାଲୁଥିଲେ। କେବଳ ଲାଭ ପାଇବା ପାଇଁ ବ୍ୟବସାୟ ନକରି ସମାଜକୁ ଫେରାଇବା ଉପରେ ଗୁରୁତ୍ୱ ଦେଉଥିଲେ ।

ଯାହାର ସବୁଠୁ ବଡ଼ ଉଦାହରଣ ଟାଟା ମେମୋରିଆଲ୍ କ୍ୟାନସର ହସ୍ପିଟାଲ୍ । କୋଭିଡ୍ ସମୟରେ ୧୫ଶହ କୋଟି ଟଙ୍କାର ଦାନ ହେଉ କି ଶିକ୍ଷା, ସ୍ୱାସ୍ଥ୍ୟ, ଛାତ୍ରବୃତ୍ତି, ଗ୍ରାମୀଣ ବିକାଶ- ସବୁଥିରେ କମ୍ପାନିର ଲାଭାଂଶରୁ ସିଂହଭାଗ ଖର୍ଚ୍ଚ କରିବାରେ ଟିକେ ବି କାର୍ପଣ୍ୟ କରୁନଥିଲେ ରତନ । ଏମିତିକି, ଟାଟା ସନ୍ସରେ ଥିବା ୬୫ ପ୍ରତିଶତ ସେୟାରକୁ ଦାତବ୍ୟ କାର୍ଯ୍ୟରେ ବ୍ୟୟ କରୁଥିଲେ ରତନ୍ ।

ହେଲେ ସବୁଥିରେ ସଫଳ ମଣିଷଟି କିନ୍ତୁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରି ନଥିଲେ । କୁହାଯାଏ, ୬୦ ଦଶକରେ ଲସ ଆଞ୍ଜେଲସରେ ଏକ କଂପାନିରେ କାମ କରୁଥିଲା ବେଳେ ଜଣେ ଆମେରିକୀୟ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ରତନ । ତାଙ୍କ ସହିତ ବିବାହ କରିବାକୁ ବି ଯାଉଥିଲେ । ହେଲେ ୧୯୬୨ ଭାରତ-ଚୀନ ଯୁଦ୍ଧ ସବୁ କିଛି ବିଗାଡ଼ି ଦେଇଥିଲା ।

ରତନ ଯୁବତୀଙ୍କୁ ବିବାହ କରି ଭାରତ ଆଣିବାକୁ ଚାହୁଁଥିଲେ ବି ସଂପୃକ୍ତ ଯୁବତୀ ଭାରତ ଆସିବାକୁ ଚାହିଁନଥିଲେ । ଏହାବାଦ୍ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ ବି ତାଙ୍କ ପ୍ରେମ ସଂପର୍କର ଚର୍ଚ୍ଚା ହୁଏ । କିନ୍ତୁ ତାହା ବିବାହର ରୂପ ନେଇ ପାରେନି । ଶେଷ ସମୟ ଯାଏଁ କୁମାର ରହିଯାଆନ୍ତି, ନିଜ ପାଇଁ ନୁହେଁ ସଦା ଦେଶ ପାଇଁ ବଞ୍ଚୁଥିବା ଉଦ୍ୟୋଗ ଦୁନିଆର ଏ ମହାନାୟକ ।