• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷଯାତ୍ରାରେ ଶିଳ୍ପ ବାଦଶାହ। ଭାରତର ରତ୍ନ, ରତନ୍ ଟାଟା। ଜାତୀୟ ପତାକା ଭିତରେ ଚିରଦିନ ପାଇଁ ନିରବି ଯାଇଛନ୍ତି ସ୍ୱପ୍ନ ଦେଖି ତାକୁ ସାକାର କରୁଥିବା, ସମୟର ଆଗରେ ଥିବା ଜଣେ ସୁପୁତ୍ର, ଦେଶ ନିର୍ମାତା। ସରିଯାଇଛି ସେହି ମହାନ୍ ମଣିଷର ମହାଯାତ୍ରା। ଆଗେ ଆଗେ ଫୁଲରେ ସୁଶୋଭିତ ଗାଡିରେ ପାର୍ଥିବ ଶରୀର, ପଛରେ ସେ ଛାଡିଯାଇଥିବା, ତାଙ୍କୁ ଭଲପାଉଥିବା ଅସଂଖ୍ୟ ଜନତା। ଜନସମୁଦ୍ର ପାଲଟିଥିଲା ମୁମ୍ବାଇ ରାଜରାସ୍ତା । ମୁମ୍ବାଇ NPCA ଲନରୁ ୱର୍ଲି କ୍ରିମେଟୋରିୟମ। ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ଥିଲା ଶ୍ମଶାନ। ପହଁଚିସାରିଥିଲେ ସମ୍ପର୍କୀୟ, ବିଶିଷ୍ଟ ବ୍ୟକ୍ତିବିଶେଷ। ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ କରାଯାଇଥିଲା ଅନ୍ତିମ ସଂସ୍କାର।

ମୁମ୍ବାଇ ବ୍ରିଚକାଣ୍ଡି ହସପିଟାଲରୁ ପାର୍ଥିବ ଶରୀରକୁ ଆଜି ସକାଳେ ଏନସିପିଏ ଲନ୍‌କୁ ଅଣାଯିବା ପରେ ସେଠାରେ ଦିନ ତମାମ ଚାଲିଥିଲା ଶେଷ ଦର୍ଶନ। କି ଧନୀ କି ଗରିବ, ନେତା,ମନ୍ତ୍ରୀ, ଶିଳ୍ପପତିଠାରୁ ସାଧାରଣ ନାଗରିକ, ଜନସମୁଦ୍ର ଲାଗିଥିଲା। ଆଖି ଛଳ ଛଳ ହୋଇଯାଉଥିଲା ଶ୍ରଦ୍ଧାଞ୍ଜଳି ଜଣାଇବା ବେଳକୁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,ପୀୟୁଷ ଗୋଏଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଟାଟାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରି ଜଣାଇଥିଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରମୁଖ ରତନ ଟାଟାଙ୍କ ଶେଷଦର୍ଶନ କରିଥିଲେ। ଅଭିନେତା ଆମିର ଖାନ୍, କିରଣ ରାଓ, ଅନୁପମ ଖେର ବି ଜଣାଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି। ରତନ ଟାଟାଙ୍କ ଅତି ପ୍ରିୟ, ପୋଷା କୁକୁର ଗୋଆ ବି ଆସିଥିଲା ଭଗବାନ ରୂପୀ ମାଲିକର ଶେଷ ଦର୍ଶନ କରିବାକୁ। ଏହାରି ଭିତରେ ପଦ୍ମ ବିଭୂଷଣରେ ବିଭୂଷିତ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିବ ମହାରାଷ୍ଟ୍ର। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ରାଜ୍ୟ କ୍ୟାବିନେଟରେ ଏନେଇ ଏକ ରିଜୋଲୁସନ୍ ପାସ୍ ହୋଇଛି।

ଜଣେ ବିରାଟ ଶିଳ୍ପପତି, ଟାଟା ଭଳି ଏକ ଭାରତୀୟ ଉଦ୍ୟୋଗକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବାରେ ଜଣେ ସଫଳ ବିନ୍ଧାଣୀ। ଲୁଣଠୁ ଉଡ଼ାଜାହାଜ ଅବା ନାନୋ କାର୍ ରୁ ‘ଜାଗୁଆର୍’ ଯାଏଁ ସବୁକୁ ଶୀର୍ଷ ଛୁଆଁଇବାରେ ଲାଗିଥିଲା ରତନଙ୍କ ଦିମାଗ। ୧୯୯୧ରେ ଟାଟା ଗ୍ରୁପ୍ ର ମଙ୍ଗ ସମ୍ଭାଳିବା ପରଠାରୁ ରତନ ଟାଟା ଗୋଟିଏ ପରେ ଗୋଟିଏ ଉଲ୍ଲେଖନୀୟ ବ୍ୟାବସାୟିକ ସଫଳତା ହାସଲ କରି ଚାଲିଥିଲେ। ୧୯୯୮ରେ ସେ ଆଣିଥିଲେ ଭାରତୀୟ କାର୍ ଇଣ୍ଡିକା। ଯାହା ଭାରତୀୟ କାର ବଜାରରେ ନବଜାଗରଣ ସୃଷ୍ଟି କରିବା ସହ ଦୁଇ ବର୍ଷରେ ଦେଶର ଏକ ନମ୍ବର କାର ପାଲଟିଥିଲା।

ତେବେ ୨୦୦୮ ମସିହା ଜାନୁଆରୀ ୧୦ରେ ସାଧାରଣ ଲୋକଙ୍କ କାର ଭାବେ ସେ ଲଞ୍ଚ କରିଥିବା ଲକ୍ଷେ ଟଙ୍କିଆ ନାନୋ ଖାଲି ଭାରତ ନୁହେଁ ସାରା ବିଶ୍ବରେ ବି ଚହଳ ପକାଇଥିଲା। ତାଙ୍କରି ଅମଳରେ ଟାଟା ମୋଟର୍ସ ବିଶ୍ବ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍ ’କୁ ଏବଂ ‘କୋରସ୍ ’କୁ ବି ଅଧିଗ୍ରହଣ କରିଥିଲା ଟାଟା ଷ୍ଟିଲ୍।

୨୦୦୦ରେ ଟାଟା ଟି’ ପକ୍ଷରୁ ଦୁନିଆର ଦ୍ୱିତୀୟ ବୃହତ୍ତମ ଚା’ ନିର୍ମାତ ଟେଟ୍ ଲିକୁ ଅଧିଗ୍ରହଣ କରାଯାଇଥିଲା। ଯାହା ଥିଲା ବ୍ରିଟେନ୍ ର ସବୁଠୁ ବଡ଼ ଚା’ କମ୍ପାନି। ୨୦୦୧ରେ ଆମେରିକାନ୍ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍ (ଏଆଇଜି) ସହ ସହଯୋଗିତା ସ୍ଥାପନ କରି ଟାଟା ଏଆଇଜି ଜରିଆରେ ଟାଟା ଗ୍ରୁପ୍ ବୀମା କ୍ଷେତ୍ରରେ ପ୍ରବେଶ କରିଥିଲା। ୨୦୦୨ରେ ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ବିଦେଶ ସଞ୍ଚାର ନିଗମ ଲିମିଟେଡ୍ କୁ ବି ଅଧିଗ୍ରହଣ କରିଥିଲା। ତାଙ୍କ ନେତୃତ୍ବରେ ୨୦୧୧-୧୨ରେ ଟାଟା ଗ୍ରୁପ୍ ୧୦,୦୦୦ କୋଟି ଡଲାରର କମ୍ପାନିରେ ପରିଣତ ହୋଇଥିଲା।

୧୯୯୬ରେ ସେ ଟାଟା ଗ୍ରୁପ୍ ର ଟେଲିକମ୍ କମ୍ପାନି ଟାଟା ଟେଲି ସର୍ଭିସେସ ଓ ୨୦୦୪ରେ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍ ) ସ୍ଥାପନ କରିଥିଲେ। ୧୯୯୧ରୁ ୨୦୧୨ ଡିସେମ୍ବର ୨୮, ଅବସର ଗ୍ରହଣ ପର୍ଯ୍ୟନ୍ତ ରତନ ଥିଲେ ଟାଟା କଂପାନୀ ପାଇଁ ଅମୂଲ୍ୟ ରତ୍ନ। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ୱବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍ ଗ୍ରାଣ୍ଡ କ୍ରସ୍ ଉପାଧି ବି ମିଳିଥିଲା।

OTV is now on Whatsapp

Join and get latest news update delivered to you via whatsapp

Join Now