• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା । ଓଡ଼ିଶା ସହ ତାଙ୍କର ସମ୍ପର୍କ ଥିଲା ଅତି ନିବିଡ଼ । କେବଳ ରାଜ୍ୟର ଶିଳ୍ପାୟନ ନୁହେଁ, ଅର୍ଥନୈତିକ ପ୍ରଗତି ଓ ସମାଜସେବାରେ ବି ତାଙ୍କର ରହିଛି ଢେର୍ ଅବଦାନ । କଳିଙ୍ଗ ନଗରର ମେଗା ଷ୍ଟିଲ୍ ପ୍ଳାଣ୍ଟରୁ ଆରମ୍ଭ କରି ଭୁବନେଶ୍ୱରରେ TCS କଳିଙ୍ଗ ପାର୍କ ହେଉ କି ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ପ୍ରତିଷ୍ଠାରେ ବଢ଼ାଇଥିଲେ ସହଯୋଗର ହାତ ।

ବିଭିନ୍ନ ସମୟରେ ଓଡ଼ିଶା ଆସିଥିଲେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଖଣିଜ ସଂପଦରେ ଭରା ଓଡ଼ିଶାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ସମ୍ଭବ ବୋଲି ରାଜ୍ୟ ସରକାରଙ୍କୁ ଦେଖାଇଥିଲେ ବାଟ । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ରାଜ୍ୟର ସର୍ବବୃହତ ମେଗା ସମନ୍ୱିତ ଇସ୍ପାତ ପ୍ରକଳ୍ପ ବସାଇବାକୁ ପ୍ରସ୍ତାବ ଦେଇଥିଲେ ।

ତାଙ୍କ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଲାଗି ୧୯୯୫ ମସିହା ଡିସେମ୍ବର ୩୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ ନେଇ ଓଡ଼ିଶା ଆସିଥିଲେ ରତନ ଟାଟା । ତେବେ ପରବର୍ତ୍ତୀ ସମୟରେ ଜନ ବିରୋଧ ଯୋଗୁ ଏହି ପ୍ରକଳ୍ପ କଳିଙ୍ଗ ନଗରକୁ ସ୍ଥାନାନ୍ତର କରିଥିଲା ଟାଟା ଗ୍ରୁପ୍ । କଳିଙ୍ଗ ନଗରରେ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରୀନ୍‌ଫିଲ୍ଡ ଷ୍ଟିଲ ପ୍ଲାଣ୍ଟ ଲାଗି ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର ଉତ୍ସବରେ ଯୋଗ ଦେବାକୁ ୨୦୦୪ ନଭେମ୍ବର ୧୭ ରେ ପୁଣିଥରେ ଭୁବନେଶ୍ୱର ଆସିଥିଲେ ।

ତାଙ୍କର ଏ ପ୍ରଚେଷ୍ଟା ପରେ ପରବର୍ତ୍ତୀ ସମୟରେ ଦେଶର ଇସ୍ପାତ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । କଳିଙ୍ଗ ନଗର ଷ୍ଟିଲ ପ୍ଲାଣ୍ଟ MOU ପୂର୍ବରୁ ୨୦୦୪ ଫେବ୍ରୁଆରୀ ୨୪ରେ ଓଡ଼ିଶା ଆସିଥିଲେ ରତନ ଟାଟା । ରାଜ୍ୟର ତତ୍କାଳୀନ ଆଇଟି ତଥା ପର୍ଯ୍ୟଟନ ସଚିବ ଅସିତ ତ୍ରିପାଠୀ ସେତେବେଳେ ତାଙ୍କୁ ଇନଫୋସିଟି ଆଇଟି ପାର୍କ ବୁଲାଇଥିଲେ ।

ଭୁବନେଶ୍ୱରରୁ ଫେରିବା ପରେ ତା’ ପରଦିନ ହିଁ ରତନ ଟାଟା, ଅସିତ ତ୍ରିପାଠୀଙ୍କୁ ଚିଠି ଲେଖି ତାଙ୍କ ପ୍ରେଜେଣ୍ଟେସନର ପ୍ରଶଂସା କରିବା ସହ ଏ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଥିବା ବିକଳ୍ପ ସମ୍ପର୍କରେ ଆଲୋଚନା କରିବାକୁ ଏକ ଟିମ୍ ପଠେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେଦିନର ସେ ପ୍ରତିଶ୍ରୁତି, ପରବର୍ତ୍ତୀ ସମୟରେ ଇନ୍ଫୋସିଟି ନିକଟରେ ଛିଡ଼ା କରାଇଥିଲା, ଟିସିଏସ୍ କଳିଙ୍ଗ ପାର୍କ ।

କେବଳ ଶିଳ୍ପାୟନରେ ଶେଷ ହୋଇନି ରତନ ଟାଟାଙ୍କ ଓଡ଼ିଶା ପ୍ରତି ଅବଦାନ । ଓଡ଼ିଶା ସରକାରଙ୍କ ସହ ମିଶି ବସ୍ତି ବାସିନ୍ଦାଙ୍କ ଲାଗି ବିଶ୍ୱର ସର୍ବବୃହତ ପ୍ରକଳ୍ପ ଜାଗା ମିଶନ ପାଇଁ ସହଯୋଗର ହାତ ବଢ଼ାଇଥିଲା ତାଙ୍କ ନେତୃତ୍ୱାଧୀନ ଟାଟା ଟ୍ରଷ୍ଟସ୍ । ୨୦୧୮ ନଭେମ୍ବରରେ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଛତ୍ରପୁର ଆସିଥିଲେ ରତନ ।

ପଟ୍ଟା ବଣ୍ଟନ କରିବା ବେଳେ ଘର କରି ଭଲରେ ରୁହ ବୋଲି ରତନ କହିଥିବା ସ୍ମୃତିକୁ ମନେ ପକାଉଛନ୍ତି ତାଙ୍କଠୁ ଜମିପଟ୍ଟା ଗ୍ରହଣ କରିଥିବା କବିସୂର୍ଯ୍ୟନଗରର ଗାୟତ୍ରୀ ବେହେରା । ସେହିପରି ରତନ ଟାଟାଙ୍କ ପ୍ରଚେଷ୍ଟାରେ ଟାଟା ଟ୍ରଷ୍ଟସ୍ ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ନାଇଜର କ୍ୟାମ୍ପସରେ ଏକ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ କାମ କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now