• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତର କୋକିଳ କଣ୍ଠୀ ନାମରେ ପରିଚିତ ଲତା ମଙ୍ଗେସକର୍‌ଙ୍କ ସ୍ୱର ସବୁଦିନ ପାଇଁ ନୀରବି ଗଲା। ଲତାଙ୍କ ସ୍ୱର ଥିଲା ‌ଈଶ୍ୱର ଦତ୍ତ। ଏନେଇ ତାଙ୍କ ଗାଇବା ବେଳେ କୋଣସି କଷ୍ଟ କରିବାକୁ ପଡୁ ନଥିଲା। ଜଣେ କଣ୍ଠଶିଳ୍ପୀଙ୍କୁ ଅନେକ ଖାଦ୍ୟ ବାରଣ ନେଇ କୁହାଯାଉଥିବା ବେଳେ ସେ ଏସବୁକୁ ବିଶ୍ୱାସ କରନ୍ତି ନାହିଁ ବୋଲି ଏକ ସାକ୍ଷାତକାରରେ କହିଥିଲେ।

ତାଙ୍କ କହିବା କଥା “ମୁ ବି ଅନ୍ୟମାନଙ୍କ ଭଳି ରିୟାଜ୍ କରେ, କିନ୍ତୁ ଯେତେବେଳେ ମନପସନ୍ଦର ଖାଦ୍ୟ କଥା ଆସେ, ତେବେ ମୁ ନିଜକୁ ଆୟତ୍ତ କରିପାରେ ନାହିଁ। ଲୋକେ କୁହନ୍ତି ଯେ ଜଣେ ଗାୟକକୁ ଖାଦ୍ୟକୁ ନେଇ ବିଶେଷ ଧ୍ୟାନ ଦେବାର ଅଛି। ସେମାନେ ଉପଦେଶ ଦେଇ କୁହନ୍ତି ଯେ ଲଙ୍କା ନ ଖାଇବାକୁ, ଆଚାର ନ ଖାଇବା, କିନ୍ତୁ ମୁ ଏସବୁକୁ ଧ୍ୟାନ ଦିଏ ନାହିଁ।”

ତେବେ ଆସନ୍ତୁ ସଂକ୍ଷେପରେ ଜାଣିନେବା ଏହି ମହାନ ଗାୟିକାଙ୍କ ବିଷୟରେ:

ଜୀବନ ଓ ପରିବାର:

ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ଅବିବାହିତ ଥିଲେ।

ସଙ୍ଗୀତ ଜୀବନ:

ଲତା ମଙ୍ଗେସକର ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ୮ଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ନିଜର କଣ୍ଠଦାନ କରିଥିଲେ। ସେ ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହସାଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ମୁମ୍ବାଇରେ ଏକ ଲୋକାଲ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ‘ଆପ୍ କି ସେବା ମେ’ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା। ପରେ ତାଙ୍କୁ ‘ମଜବୁର୍’ ଓ ‘ବେଦର୍ଦ୍’ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା।

ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ। କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଚର୍ଚ୍ଚିତ ହୋଇଗଲେ । ୧୯୬୩ରେ ଭାରତ୍-ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ 'ଏ ମେରେ ୱତନ୍ କେ ଲୋଗୋଁ' ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ରାହୁଲ ଦେବ ବର୍ମନଙ୍କ ସହ କାମ କରିଥିଲେ।

ସେ 'ହମ୍ ଆପକେ ହେ କୌନ୍', 'ବୀରଜାରା' ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ। ସେ ଏ. ଆର୍‌. ରେହମାନଙ୍କ ସହ ମଧ୍ୟ କାମ କରିଥିବା ବେଳେ ସେ ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଦେଇଥିଲେ। ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖି ଯାଆନ୍ତି । ଗୁଲଜାରଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ 'ନାମ୍ ଗୁମ୍ ଯାଏଗା, ଚେହେରା ୟେ ବଦଲ୍ ଯାଏଗା, ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. ' କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି।

ମାନ ସମ୍ମାନ:

୧୯୫୮ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ

୧୯୬୯ - ପଦ୍ମ ଭୂଷଣ

୧୯୬୯ - ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା

୧୯୮୯ - ଦାଦା ସାହେବ୍ ଫାଲକେ ପୁରସ୍କାର

୧୯୯୩ - ଜୀବନ ବ୍ୟାପି ସାଧନା ପୁରସ୍କାର

୧୯୯୭ - ମହାରାଷ୍ଟ୍ର ଭୂଷଣ ପୁରସ୍କାର

୧୯୯୯ - ପଦ୍ମ ବିଭୂଷଣ

୨୦୦୧ - ଭାରତ ରତ୍ନ

୨୦୦୯ - ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ

୨୦୧୧ - ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତ

ସଂଗୀତ ନିର୍ଦ୍ଦେଶକ:

୧୯୫୫ରେ ଲତା ସଂଗୀତ ନିର୍ଦ୍ଦେଶନାରେ ପାଦ ରଖିଥିଲେ। ସେ ମରାଠୀ ଫିଲ୍ମରେ ପ୍ରଥମ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

୧୯୯୦ – ରାମ୍ ରାମ୍ ପହ୍ୱନା

୧୯୬୩ – ମରାଠା ଟିକୁଆ ମେଲ୍‌ଭାଭା

୧୯୬୩ – ମୋହିତ୍ୟାଞ୍ଚି ମଞ୍ଜୁଲା

୧୯୬୫ – ସାଦି ମନାସେ

୧୯୬୯ – ତମ୍ବାଡି ମାତି

ତେବେ ‘ସାଦି ମନାସେ’ ପାଇଁ ତାଙ୍କୁ ମରାଠା ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ସମ୍ମାନ ମିଳିଥିଲା।

ସିନେ ନିର୍ମାତା:

ଲତା ମଙ୍ଗେସକର ମଧ୍ୟ ନିଜ ପ୍ରଯୋଜନାରେ କେତେକ ସିନେମା ନିର୍ମାଣ କରିଛନ୍ତି।

୧୯୫୩ – ଭାଦଲ(ମରାଠୀ)

୧୯୫୩ – ଝାଞ୍ଜର୍(ହିନ୍ଦୀ)

୧୯୫୫ – କାଞ୍ଚନ ଗଙ୍ଗା(ହିନ୍ଦୀ)

୧୯୯୦ – ଲେକିନ୍(ହିନ୍ଦୀ)