/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745498212.jpg)
Kashmir Tourism
ଧୀରେ ଧୀରେ ଏକ ନୂଆ ପରିଚୟ ପାଉଥିଲା କାଶ୍ମୀର । କାଶ୍ମୀରକୁ କେବଳ ହିଂସା ଏବଂ ସଂଘର୍ଷ ଦୃଷ୍ଟିରୁ ଦେଖିବାର ମାନସିକତା ଲୋକଙ୍କ ମନରେ ପରିବର୍ତ୍ତନ ହେଉଥିଲା । ଦେଶ ସମେତ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ କାଶ୍ମୀର ଆସିବା ଆରମ୍ଭ କରିଥିଲେ । କିନ୍ତୁ, ପହଲଗାମ୍ ଆତଙ୍କୀ ହମଲା ପରେ ଭୟରେ ଥରୁଛନ୍ତି ପର୍ଯ୍ୟଟକ । ଏମିତିକି ୯୦ ପ୍ରତିଶତ ବୁକିଂ ବାତିଲ କଲେଣି ପର୍ଯ୍ୟଟକ ।
ଗ୍ରୀଷ୍ମର ପ୍ରକୋପକୁ ଚକମା ଦେଇ ଛୁଟି କାଟିବାକୁ କାଶ୍ମୀର ଯିବାକୁ ବେଶ୍ ପସନ୍ଦ କରନ୍ତି ପର୍ଯ୍ୟଟକ । ଯେଉଁ ସମୟରେ କାଶ୍ମୀରକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଗତକାଲିର ଘଟଣା ପରେ ସେହି ସମୟରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଦେଶକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ମର୍ମାହତ କରିଛି ।
ଏହି ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳରେ ଗତକାଲି ଆତଙ୍କବାଦୀମାନେ ୨୮ ଜଣ ନିରୀହ ଲୋକଙ୍କୁ ନିର୍ମମ ଭାବରେ ଗୁଳି କରି ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଥିଲେ । କୋଭିଡ୍ ମହାମାରୀ ପରେ କାଶ୍ମୀର ଧୀରେ ଧୀରେ ଚଳଚଞ୍ଚଳ ହୋଇ ଉଠୁଥିଲା । ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଏବଂ ଡାଲ୍ ହ୍ରଦରେ ଶିକାରା ଗୁଡିକ ଚଳଚଞ୍ଚଳ ହେବା ଦେଖି ଖିଲି ଖିଲି ହସୁଥିଲା କାଶ୍ମୀର ।
ପର୍ଯ୍ୟଟକଙ୍କୁ ନେବା ଆଣିବା କରି ଭଲ ରୋଜଗାର କରୁଥିଲେ ଟ୍ୟାକ୍ସି ଚାଳକ । ବିମାନବନ୍ଦରରୁ ପହଲଗାମ୍ ପର୍ଯ୍ୟନ୍ତ ସବୁଠି ପର୍ଯ୍ୟଟକମାନଙ୍କୁ ଦେଖିବାକୁ ମିଳୁଥିଲା । କିନ୍ତୁ, ଆତଙ୍କବାଦୀଙ୍କ ଏପରି ବର୍ବରତା ପୁଣି ଥରେ କାଶ୍ମୀର ଉପତ୍ୟକାରେ ଭୟ ସୃଷ୍ଟି କରିଛି । ଗତ କିଛି ବର୍ଷ ମଧ୍ୟରେ, ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ଉନ୍ନତି ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ: କେଉଁ ଦେଶ ପାଖରେ ରହିଛି ସର୍ବାଧିକ ସୁନା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍...
ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ମୋଟ ୧.୧୩ କୋଟି ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିଲେ । ସେହିପରି ୨୦୨୨ ମସିହାରେ ଏହି ସଂଖ୍ୟା ୧.୮୮ କୋଟିକୁ ବୃଦ୍ଧି ପାଇଥିଲା । ୨୦୨୩ରେ ଏହି ସଂଖ୍ୟା ୨.୧୧ କୋଟିରେ ପହଞ୍ଚିଥିଲା । ୨୦୨୪ ମସିହାରେ ରେକର୍ଡ ସଂଖ୍ୟକ ୨.୩୬ କୋଟି ପର୍ଯ୍ୟଟକ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିଥିଲେ ।
ହୋଟେଲ ଗୁଡିକର ଚାହିଦା ଖୁବ ବଢିବା ସହ ଭଲ ବ୍ୟବସାୟ ହେଉଥିଲା । ବିଶେଷ କରି ସୋନମର୍ଗ,ଗୁଲମର୍ଗ, ପହଲଗାମ ପରି ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିଲା । ଯାହା ଫଳରେ ପର୍ଯ୍ୟଟନ ଶିଳ୍ପରୁ ହଜାର ହଜାର ପରିବାରର ଚୁଲି ଜଳୁଥିଲା ।
ସୂଚନାଯୋଗ୍ୟ, ସମସ୍ତ ଶିକାରା ଡ୍ରାଇଭର, ଗାଇଡ୍, ଟ୍ୟାକ୍ସି ଡ୍ରାଇଭର, ହୋଟେଲ କର୍ମଚାରୀ, ରେଷ୍ଟୁରାଣ୍ଟ, କାରିଗର, ହସ୍ତଶିଳ୍ପ ବିକ୍ରେତାଙ୍କ ଜୀବିକା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରିଥାଏ । ସରକାରଙ୍କ ଆକଳନ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ର ପ୍ରତିବର୍ଷ ପ୍ରାୟ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଆଗାମୀ ୧୦ ବର୍ଷ ମଧ୍ୟରେ ୪ ହଜାର ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କୁ ତାଲିମ ଦେବା ନେଇ ଲକ୍ଷ୍ୟ ରଖାଯାଇଥିଲା ।
ପ୍ରତିବର୍ଷ ୨ହଜାର କୋଟି ଟଙ୍କାର ନିବେଶର ଲକ୍ଷ୍ୟ ରଖିବା ସହ ୨୦୨୫ ସୁଦ୍ଧା ଜମ୍ମୁ ଏବଂ କାଶ୍ମୀରକୁ ଭାରତର ସବୁଠାରୁ ପ୍ରିୟ ପର୍ଯ୍ୟଟନ ସ୍ଥଳ କରିବାକୁ ଯୋଜନା କରିଥିଲେ ସରକାର । ପର୍ଯ୍ୟଟନ ସହିତ ଫଳ ବ୍ୟବସାୟ ମଧ୍ୟ ବଢିବାକୁ ଲାଗିଥିଲା । ବିଶେଷକରି ଦିଲ୍ଲୀର ଆଜାଦପୁର ମଣ୍ଡି ପରେ ଏସିଆର ଦ୍ୱିତୀୟ ବୃହତ୍ତମ ଫଳ ବଜାର ଭାବରେ ବିବେଚନା କରାଯାଉଥିବା ସୋପୋର ଫଳ ବଜାରର ବାର୍ଷିକ କାରବାର ଗତବର୍ଷ ୭ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା ।
ସରକାର ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି । ସରକାର କହିଛନ୍ତି ଯେ, ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ହେଲେ ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ଭୟକୁ ଦୂର କରିବା ପାଇଁ ସରକାର ସଫଳ ନହେଲେ ଏହା ଦ୍ୱାରା କାଶ୍ମୀର ସହ ଭାରତର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ଆକ୍ରମଣ ସମଗ୍ର ଦେଶକୁ ପ୍ରଭାବିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)