Advertisment

Annapurna Brata Katha: ତିନିଦିନ ଧରି ଅଧିଆ ପଡ଼ିଥିବା ଭକ୍ତ ଧନଞ୍ଜୟଙ୍କ କାନରେ ହଠାତ୍ ଶୁଣାଗଲା ୩ଟି ଶବ୍ଦ, ଉଠିପଡ଼ି ଦେଖନ୍ତି ତ...

ଆମେ କାହିଁକି କରିବା ଉଚିତ ମାଆ ଅନ୍ନପୂର୍ଣ୍ଣାଙ୍କ ପୂଜା? କେମିତି ପୂଜା କଲେ ସେ ସନ୍ତୁଷ୍ଟ ହୁଅନ୍ତି? ମାଆ କଣ ଚାହାଁନ୍ତି? ଗରିବ ଭକ୍ତ ଧନଞ୍ଜୟ କେମିତି ମାଆଙ୍କ ପୂଜା କରି ଧନସଂପତ୍ତି ଓ କୋଠାବାଡ଼ିର ମାଲିକ ହୋଇପାରିଲା, ପଢ଼ନ୍ତୁ ପୁରାଣର ଏହି ସୁନ୍ଦର ଗପଟି।

author-image
Debendra Nath Parida
ଅଦ୍ୟତନ ହୋଇଛି
mythological story behind maa odia laxmi puja Annapurna vrat

mythological story behind maa odia laxmi puja Annapurna vrat

ନିଷ୍ଠା ରହିଥିଲେ, ଦାରିଦ୍ର୍ୟ ଓ ହତାଦର, ଈଶ୍ୱରଙ୍କୁ ପାଇବା ବାଟରେ ପ୍ରତିବନ୍ଧକ ହୋଇପାରି ନଥାଏ। ଆସନ୍ତୁ ଏ ସଂପର୍କରେ ଆମ ପୁରାଣରେ ଥିବା ଏହି ଚମତ୍କାର କାହାଣୀଟି ପଢ଼ିବା। କାଶିରେ ଧନଞ୍ଜୟ ଓ ସୁଲକ୍ଷଣା ନାମରେ ପତିପତ୍ନୀ ବାସ କରୁଥିଲେ। ସେମାନଙ୍କର ପୁଅଝିଅ କିଛି ନଥିଲେ କିମ୍ବା ସେମାନଙ୍କର ଧନସଂପତ୍ତି ମଧ୍ୟ କିଛି ନଥିଲା। ଦିହେଁ ଭାରି ଗରିବ ଥିଲେ।

Advertisment

ଦିନେ ସୁଲକ୍ଷଣା ନିଜ ପତିଙ୍କୁ କହିଲା- ‘ଦରିଦ୍ର ପଣିଆ ଦୂର କରିବା ପାଇଁ କିଛି ଗୋଟିଏ ବ୍ୟବସ୍ଥା କର।’ ଧନଞ୍ଜୟ କ’ଣ କରିବେ କିଛି ଚିନ୍ତା କରି ପାରୁନଥାନ୍ତି। ଶେଷରେ ସେ ଦେବଦେବ ମହାଦେବଙ୍କ ଶରଣ ପଶିଲେ। ବିଶ୍ୱନାଥଙ୍କ ମନ୍ଦିରରେ ପ୍ରାର୍ଥନା କଲେ- ‘ହେ ଭୋଳାନାଥ ! ମୋତେ ପୂଜାପାଠ କିଛି ଆସେନାହିଁ। କେବଳ ତୁମରି ଭରସାରେ ବସି ରହିଲ ପ୍ରଭୁ।’

ଧନଞ୍ଜୟ ତିନିଦିନ ପର୍ଯ୍ୟନ୍ତ ଜଳସୁଦ୍ଧା ସ୍ପର୍ଶ ନକରି ସେଇଠି ବସି ରହିଲେ। ପ୍ରଭୁ ବିଶ୍ୱନାଥଙ୍କ ଆଖିରେ ଭକ୍ତ ଧନଞ୍ଜୟଙ୍କର ଏହି କଷ୍ଟ ଦେଖିହେଉ ନଥାଏ। ସେ ଗୋଟେ ଉପାୟ ପାଞ୍ଚିଲେ। ଚୁପଚାପ୍ ଯାଇ ଅଦୃଶ୍ୟ ଭାବରେ ଭକ୍ତ ଧନଞ୍ଜୟଙ୍କ କାନରେ ‘ଅନ୍ନପୂର୍ଣ୍ଣା, ଅନ୍ନପୂର୍ଣ୍ଣା ଅନ୍ନପୂର୍ଣ୍ଣା’ ବୋଲି ତିନିଥର କହିଦେଇ ହଠାତ୍ କୁଆଡ଼େ ଉଭାନ ହୋଇଗଲେ। ଧନଞ୍ଜୟ ଉଠି ପଡ଼ିଲେ।

Advertisment

ହଠାତ ଏପରି କିଏ କାହିଁକି ତାଙ୍କ କାନରେ କହିଲେ, ଧନଞ୍ଜୟ ତାହା ଚିନ୍ତା କରିପାରିଲେ ନାହିଁ। ଏହା କେବଳ ତାଙ୍କୁ ଶୁଭିଛି ନା ଅନ୍ୟ କିଏ ବି ଶୁଣିଛି ତାହା ମଧ୍ୟ ସେ ଜାଣିପାରିଲେ ନାହିଁ। ଏପରିକି ମୁର୍ଖ ଧନଞ୍ଜୟଙ୍କୁ ଅନ୍ନପୂର୍ଣ୍ଣା ଶବ୍ଦର ଅର୍ଥ ମଧ୍ୟ ଜଣା ନଥିଲା। ତେଣୁ ସେ ମନ୍ଦିର ଭିତରେ ବସିଥିବା ବ୍ରାହ୍ମଣମାନଙ୍କୁ ଦେଖି, ଅନ୍ନପୂର୍ଣ୍ଣା ଶବ୍ଦର ଅର୍ଥ ପଚାରିଲେ।

ଏହା ଶୁଣି ବ୍ରାହ୍ମଣମାନେ ପରିହାସ କରି ତାଙ୍କୁ କହିଲେ- ‘ତୁମେ ତିନିଦିନ ହେଲା ଅଖିଆ ଅପିଆ ବସିଥଲ ତ, ତୁମକୁ ବୋଧହୁଏ ପୂର୍ଣ୍ଣ ଅନ୍ନ ଭୋଜନର ଚିନ୍ତା ଆସି ମନେପଡୁଛି। ଘରକୁ ଯାଇ ଖିଆପିଆ କର। ଧନଞ୍ଜୟ ଘରକୁ ଫେରି ନିଜ ସ୍ତ୍ରୀ ଆଗରେ ଏ କଥା କହିଲେ। ସୁଲକ୍ଷଣା କହିଲେ- ସ୍ୱାମୀ ! ସ୍ୱୟଂ ମହାଦେବ ତୁମକୁ ଏ ମନ୍ତ୍ର ପ୍ରଦାନ କରିଛନ୍ତି। ଏହାର ସନ୍ଦେହ ସେ ହିଁ ମୋଚନ କରିବେ। ତୁମେ ଆଉଥରେ ପ୍ରଭୁଙ୍କୁ ଯାଇ ଆରାଧନା କର।

ଧନଞ୍ଜୟ ପୁଣି ଯାଇ ଶିବଙ୍କ ଆରାଧନାରେ ବସିଗଲେ। ରାତିରେ ଭଗବାନ ତାଙ୍କୁ ସ୍ୱପ୍ନରେ ଆଦେଶ ଦେଲେ- ‘ତୁ ପୂର୍ବ ଦିଗକୁ ଯାତ୍ରା କରି ଯାଆ। ତୋର ଭାଗ୍ୟ ଉଦୟ ହେବ। ସ୍ୱପ୍ନାଦେଶ ଶୁଣି ଧନଞ୍ଜୟ ପୂର୍ବ ଦିଗକୁ ଯାତ୍ରା ଆରମ୍ଭ କଲେ। ମନେ ମନେ ଅନ୍ନପୂର୍ଣ୍ଣା ଅନ୍ନପୂର୍ଣ୍ଣା ଅନ୍ନପୂର୍ଣ୍ଣା ଜପି ଜପି ଚାଲୁଥାନ୍ତି। ଏଭଳି କେତେଦିନ ପର୍ଯ୍ୟନ୍ତ ଚାଲିବା ପରେ ସେ ଏକ ଅପୂର୍ବ ବନଭୂମିରେ ପହଞ୍ଚି ଗଲେ। ସେ ଯେଉଁ ସ୍ଥାନରେ ପହଞ୍ଚିଲେ ସେ ସ୍ଥାନଟି ରୁପା ଭଳି ଝଲମଲ ଦେଖା ଯାଉଥାଏ।

ସେଠାରେ ଗୋଟିଏ ସୁନ୍ଦର ପୋଖରୀ ଥାଏ। ପୋଖରୀ ଜଳରେ କିଛି ସୁନ୍ଦରୀ କନ୍ୟା ଗୋଲାକାର ହୋଇ ବସିଥିଲେ। ଜଣେ କିଛି କହୁଥାନ୍ତି। ଅନ୍ୟମାନେ ଶୁଣୁଥାନ୍ତି ଏବଂ ବାରମ୍ୱାର ‘ମାଆ ଅନ୍ନପୂର୍ଣ୍ଣା’ ବୋଲି ଉଚ୍ଚାରଣ କରୁଥାନ୍ତି। ଧନଞ୍ଜୟ ଫଳମୂଳ ଖାଇ ଝରଣା ପାଣି ପିଇ ଏତେଦିନ ଧରି ବାଟ ଚାଲି ଚାଲି ଯେଉଁ ଶବ୍ଦର ରହସ୍ୟ ଭେଦ ପାଇଁ ଖୋଜି ବୁଲୁଥିଲେ, ଏଠାରେ ସେହି ଶବ୍ଦ ଶୁଣି ଆନନ୍ଦିତ ହୋଇଗଲେ।

ସେ ଝିଅମାନଙ୍କ ପାଖକୁ ଯାଇ ପଚାରିଲେ- ‘ହେ ଦେବୀଗଣ ! ଆପଣମାନେ କିଏ? ଏଠାରେ କ’ଣ କରୁଛନ୍ତି।’ ସେମାନଙ୍କ ଭିତରୁ ଜଣେ କହିଲେ- ‘ଆମେ ସବୁ ସ୍ୱର୍ଗର ଅପ୍ସରା। ଆଜି ମାର୍ଗଶିର ମାସ ଶୁକ୍ଳପକ୍ଷ ପ୍ରତିପଦା। ଅନ୍ନପୂର୍ଣ୍ଣା ମାତାଙ୍କର ବ୍ରତ ଆରମ୍ଭ ଦିବସ। ଆମ୍ଭେମାନେ ଏଠାରେ ସେହି ଅନ୍ନପୂର୍ଣ୍ଣା ବ୍ରତ ପାଳନ କରୁଅଛୁ।’

ଧନଞ୍ଜୟ ପଚାରିଲେ- ‘ଏ ବ୍ରତର ବିଧାନ ମୋତେ ବି ଟିକେ କୁହନ୍ତୁ। ମୁଁ ଏ ବ୍ରତ ପାଳନ କରିପାରିବି କି?’ ସେମାନେ କହିଲେ- ‘ଏ ଉପବାସ ବ୍ରତ ସମସ୍ତେ କରିପାରିବେ। ୨୧ ଦିନ ପାଇଁ ଏ ବ୍ରତ କରାଯାଏ। ସମ୍ଭବ ନହେଲେ ଏକ ଦିନ ଉପବାସ ରହିବେ। ମାତ୍ର ୨୧ଟି ଗଣ୍ଠି ପଡ଼ିଥିବା ବ୍ରତ ସୂତା ହାତରେ ବାନ୍ଧିବାକୁ ପଡ଼ିବ। ସଂପୂର୍ଣ୍ଣ ଉପବାସ ରହି ନପାରିଲେ ବ୍ରତ କଥା ଶୁଣିବା ପରେ ପ୍ରସାଦ ଗ୍ରହଣ କରାଯାଇ ପାରିବ। ତେବେ ବ୍ରତ କଥା ନଶୁଣି କିଛି ଖାଇବ ନାହିଁ। ଯଦି ଭୁଲରେ କିଛି ଖାଇଥାଅ ତେବେ ଦିନ ଗୋଟାଏ ଉପବାସ କରି ପ୍ରାୟଶ୍ଚିତ କରିବ।

ବ୍ରତ ପାଠ ବେଳେ ଘ୍ରୋତା ନମିଳିଲେ, ପିପଳି ଗଛର ପତ୍ର ରଖି ଶୁଣାଇବ କିମ୍ବା ଘୃତ କୁମାରୀ ଗଛ ବା ଦୀପକୁ ସାକ୍ଷୀ ରଖି ସୂର୍ଯ୍ୟ, ବୃନ୍ଦାବତୀ କିମ୍ବା ଶିବଙ୍କୁ ଏ ବ୍ରତ କଥା ଶୁଣାଇବ। ବ୍ରତ କରିବା ଦିନ ରାଗିବ ନାହିଁ କିମ୍ବା ମିଛ କହିବ ନାହିଁ। ଏ ବ୍ରତ କଲେ ଦୃଷ୍ଟିହୀନକୁ ଚକ୍ଷୁ, ଦିବ୍ୟାଙ୍ଗକୁ ଚଳପ୍ରଚଳର କ୍ଷମତା, ଗରିବକୁ ଧନ, ନିଃସନ୍ତାନକୁ ସନ୍ତାନ, ମୁର୍ଖକୁ ବିଦ୍ୟା ପ୍ରାପ୍ତ ହୋଇଥାଏ। ଏହା ଛଡ଼ା ଯିଏ ଯେଉଁ ସତ କାମନା ରଖି ଉପବାସ କରେ, ମାତା ଅନ୍ନପୂର୍ଣ୍ଣା ତାର ସେହି ଇଚ୍ଛା ପୂରଣ କରନ୍ତି।

ଧନଞ୍ଜୟ କହିଲେ- ‘ମୋର ଅନ୍ନ, ଧନ, ବିଦ୍ୟା, ପୁତ୍ର କିଛି ନାହିଁ। ମୁଁ ସଦା ଦୁଃଖୀ ବ୍ରାହ୍ମଣଟିଏ। ଏ ବ୍ରତ ପାଳନ କଲେ ମା ଅନ୍ନପୂର୍ଣ୍ଣା କଣ ମୋର ସମସ୍ତ ଅଭାବ ପୂରଣ କରିବେ। ସେମାନେ କହିଲେ- ହଁ ଭାଇ, ମାଆଙ୍କ ଦୟାରୁ ତୁମର ମନୋରଥ ନିଶ୍ଚୟ ସିଦ୍ଧ ହେବ। ନିଅ ମଙ୍ଗଳ ସୂତ୍ର ନେଇ ପୂଜାର୍ଚ୍ଚନା କର।’

ଧନଞ୍ଜୟ ସେଦିନ କିଛି ଖାଇ ନଥିଲେ। ଉପବାସ ଥିବାରୁ ବ୍ରତ କରିବାରେ ବାଧା ନଥିଲା। ସେ ବ୍ରତ ପାଳନ କଲେ। ବ୍ରତ ପୂର୍ଣ୍ଣ ହେବା ପରେ ଦେଖିଲେ, ସେହି ପୋଖରୀ ଭିତରେ ୨୧ ଗୋଟି ପାହାଡ଼ ଉତ୍ପତ୍ତି ହୋଇଛି। ସବୁ ପାହାଡ଼ ଗୁଡ଼ିକରେ ସୁନା, ହୀରା, ମୋତି, ମାଣିକ୍ୟ ମଣ୍ଡିତ ହୋଇଛି। ସେଠାକୁ ଯିବା ପାଇଁ ଏକ ସିଡ଼ି ମଧ୍ୟ ପଡ଼ିଛି।

ଧନଞ୍ଜୟଙ୍କ ଆଶ୍ଚର୍ଯ୍ୟ କହିଲେ ନସରେ। ସେ ଧୀରେ ଧୀରେ ସିଢ଼ି ମାଧ୍ୟମରେ ପାହାଡ଼ ଉପରକୁ ଚଢ଼ିଲେ। ପାହାଡ଼ ମଧ୍ୟଭାଗକୁ ଓହ୍ଲାଇଲେ। ସେ ପାହାଡ଼ ମଝିରେ ଗୋଟିଏ ସୂର୍ଯ୍ୟ ଭଳି ଦୀପ୍ତିମାନ ମାଆ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ଶୋଭା ପାଉଛି। ମନ୍ଦିର ଭିତରକୁ ଗଲେ। ଦେଖିଲେ ଅନ୍ନପୂର୍ଣ୍ଣା ଦେବୀ ସ୍ୱୟଂ ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ହୋଇଛନ୍ତି। ଦେବାଙ୍ଗନାମାରେ ଭଗବାନ ଶଙ୍କର ଭିକ୍ଷା ନିମନ୍ତେ ଠିଆ ହୋଇଛନ୍ତି। ଦେବାଙ୍ଗମନାମାନେ ଚାମର ପକାଉଛନ୍ତି।

ଧନଞ୍ଜୟ ମାତା ଅନ୍ନପୂର୍ଣ୍ଣାଙ୍କ ପାଦତଳେ ଲମ୍ବ ହୋଇ ପଡ଼ିଗଲେ। ପ୍ରାର୍ଥନା କରି କହିଲେ- ‘ହେ ଜଗତମାତ ! ତୁମେତ ଅନ୍ତର୍ଯାମୀ। ମୋର ମନୋକାମନା ସିଦ୍ଧି କର ମାଆ।’ ମାତା କହିଲେ- ‘ପୁତ୍ର ! ତୁ ନିଷ୍ଠାର ସହ ବ୍ରତ ପାଳନ କରିଛୁ। ତୋର ସମସ୍ତ ଦୁଃଖ ମୋଚନ ହେବ।’ ଏହା କହି ମାତା, ଧନଞ୍ଜୟଙ୍କ ଜିଭରେ ବୀଜମନ୍ତ୍ର ଲେଖିଦେଲେ। ଧନଞ୍ଜୟ ସଙ୍ଗେ ସଙ୍ଗେ ବିଦ୍ୟାବାନ ହୋଇଗଲା। ସେ ଆଖିଖୋଲି ଦେଖିଲା ବେଳକୁ, ସବୁ ଦୃଶ୍ୟ ସ୍ନପ୍ନ ଭଳି ଉଭେଇ ଯାଇଛି। ସେ ବିଶ୍ୱନାଥଙ୍କ ମନ୍ଦିରରେ ହିଁ ଠିଆ ହୋଇଛନ୍ତି।

ଅନ୍ନପୂର୍ଣ୍ଣାଙ୍କଠାରୁ ବର ପାଇ ଧନଞ୍ଜୟ ଘରକୁ ଫେରିଲେ। ସୁଲକ୍ଷଣାଙ୍କୁ ସବୁକଥା କହିଲେ। ଧୀରେ ଧୀରେ ତାଙ୍କ ଘରେ ଅଚଳାଚଳ ସମ୍ପତ୍ତି ଭରିଗଲା। ଛୋଟ ଘରଟି ବଡ଼ ହେଲା। ଯେପରି ମହୁ ଫେଣାରେ ମହୁମାଛି ଜମା ହୋଇଯାଆନ୍ତି, ସେହିଭଳି ବନ୍ଧୁ ବାନ୍ଧବ ମାନଙ୍କ ଚଳପ୍ରଚଳ ଲାଗି ରହିଲା। ସମସ୍ତେ ପ୍ରଶଂସା କଲେ। ହେଲେ ପୁଅ ଝିଅ ନଥିବାରୁ ଧନଞ୍ଜୟଙ୍କୁ ଅନ୍ୟ ଗୋଟିଏ ସ୍ତ୍ରୀ ବିବାହ କରି ଆଣିବା ପାଇଁ ପରାମର୍ଶ ଦେଲେ। ଧନଞ୍ଜୟ ଭଲମନ୍ଦ ବିବେଚନା ନକରି ପୁନର୍ବିବାହ କଲେ। ପତିବ୍ରତା ସୁରକ୍ଷଣାଙ୍କୁ ସଉତୁଣୀ କ୍ଳେଶ ଭୋଗିବାକୁ ହେଲା। ଧନଞ୍ଜୟ ନୂଆ ସ୍ତ୍ରୀ ସହ ନୂଆଘର ତୋଳାଇ ରହିବାକୁ ଲାଗିଲେ।

ପୁଣି ମାର୍ଗଶିର ମାସ ଆସିଲା। ସୁଲକ୍ଷଣା ସ୍ୱାମୀଙ୍କୁ ଡକାଇ କହିଲେ- ‘ଅନ୍ନପୂର୍ଣ୍ଣାଙ୍କ ଉପବାସ ବ୍ରତ ପ୍ରଭାବରେ ଆମେ ଧନରତ୍ନ ପାଇ ସୁଖୀ ହୋଇଛେ। ତେଣୁ ଏ ବ୍ରତ ହୁଡ଼ିଦେବା ଉଚିତ ନୁହେଁ। ଆସ ଓଷା ପୂଜିବା।’ ଧନଞ୍ଜୟଙ୍କ ଚେତା ପଶିଲା। ସେ ସୁଲକ୍ଷଣା ସହିତ ବ୍ରତ ଆରମ୍ଭ କଲେ। ଏବେ ନୂଆ ବୋହୂଟି ଏ ବ୍ରତ ବିଷୟରେ କିଛି ଜାଣିନଥିଲା। ସେ ଧନଞ୍ଜୟର ଫେରିବା ବାଟକୁ ଚାହିଁ ବସିଥିଲା। ଧନଞ୍ଜୟ ନଫେରିବାରୁ ମନେ ମନେ ଏକ ପ୍ରମାଦ ଗଣିଲା। ଅନୁସନ୍ଧାନ କରି ଖବର ସଂଗ୍ରହ କଲା।

ବ୍ରତ ଶେଷ ହେବାକୁ ତିନିଦିନ ଅଛି, ବ୍ରତ ବିଷୟ ଶୁଣି ସୁଲକ୍ଷଣା ଘରକୁ ଧାଇଁଲା। ସେ ସୁଲକ୍ଷଣା ସାଙ୍ଗରେ ପରସ୍ତେ ଝଗଡ଼ା କଲା। ଧନଞ୍ଜୟକୁ ପୂଜା ଉପରୁ ଉଠାଇ ନେଇଗଲା। ଧନଞ୍ଜୟ ମନ ଦୁଃଖରେ ଯାଇ ନୂଆ ଘରେ ଶୋଇପଡ଼ିଲା। ଏହି ସମୟରେ ତା’ର ନୂଆ ସ୍ତ୍ରୀ ଈର୍ଷା କରି ତା ହାତରୁ ବ୍ରତର ମଙ୍ଗଳ ସୂତ୍ରଟି ଛିଣ୍ଡାଇ ଦେଇ ନିଆଁରେ ପୋଡ଼ିଦେଲା। ଏ ଅକର୍ମରେ ମାତା ଅନ୍ନପୂର୍ଣ୍ଣା କୋପିତ ହେଲେ। ସେହି ନୂଆ ଘରଟିରେ ଅକସ୍ମାତ ନିଆଁ ଲାଗି ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା। ସୁଲକ୍ଷଣା ଆସି ପତିକୁ ନିଜ ସାଙ୍ଗରେ ନିଜ ଘରକୁ ନେଇ ଆସିଲା। ନୂଆ ସ୍ତ୍ରୀ ଋଷି ତା ବାପ ଘରକୁ ଚାଲିଗଲା।

ସୁଲକ୍ଷଣା ପତିବ୍ରତା ସ୍ତ୍ରୀ। ସେ ପତିଙ୍କୁ ପରମେଶ୍ୱର ଜ୍ଞାନ କରି ବୁଝାଇ କହିଲା- ‘ତୁମେ ଚିନ୍ତିତ ହୁଅନାହିଁ। ମାଆଙ୍କର ମହିମା ଅଲୌକିକ ଅଟେ। ପୁତ୍ର କୁପୁତ୍ର ହୋଇପାରେ। ମାତ୍ର ମାତା କୁମାତା ହୋଇପାରନ୍ତି ନାହିଁ। ତୁମେ ମାଆଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ରଖି ପୁଣି ତାଙ୍କର ଆରାଧନା କଲେ ସେ ସବୁ ଅପରାଧ ମାର୍ଜନା କରିଦେବେ।’

ମାଆ ଛେଉଣ୍ଡ ପୁଅ ଭଳି ଧନଞ୍ଜୟ ପୁଣି ମାଆ ଅନ୍ନପୂର୍ଣ୍ଣାଙ୍କ ଶରଣ ପଶିଲେ। ଅନ୍ନପୂର୍ଣ୍ଣାଙ୍କ ନାମ ସ୍ମରଣ କରି ପୂର୍ବ ଦିଗକୁ ଗଲେ। ସେହି ପୋଖରୀ କୂଳରେ ପୁଣି ପର୍ବତ, ସିଢ଼ି ଦେଖାଗଲା। ସେ ପାହାଡ଼ ଚଢ଼ି ମନ୍ଦିରରେ ମାଆଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ। ମାତା ପ୍ରସନ୍ନ ହୋଇ କହିଲେ- ‘ବତ୍ସ ! ମୋର ଏ ସୁବର୍ଣ୍ଣ ମୂର୍ତ୍ତି ନେ। ଏହାକୁ ସ୍ଥାପନା କରି ଯଥାବିଧି ପୂଜା କଲେ ପୁନରାୟ ସୁଖୀ ହେବୁ। ଯା’ ତୋତେ ମୁଁ ଆଶିର୍ବାଦ କରୁଛି। ତୋର ସ୍ତ୍ରୀ ସୁଲକ୍ଷଣା ଶ୍ରଦ୍ଧାରେ ମୋର ବ୍ରତ କରିଥିବାରୁ ତାହାକୁ ମୁଁ ପୁତ୍ର ପ୍ରଦାନ କରୁଅଛି।’

ଧନଞ୍ଜୟ ଆଖି ବୁଜି ପଡ଼ିଥିଲେ। ଆଖି ଖୋଲିବା ବେଳକୁ ସେ ବିଶ୍ୱନାଥଙ୍କ ମନ୍ଦିରରେ ଥିବା ଦେଖିପାରିଲେ। ଘରକୁ ଫେରି ମାଆ ଅନ୍ନପୂର୍ଣ୍ଣାଙ୍କ ସୁବର୍ଣ୍ଣ ପ୍ରତିମାକୁ ସ୍ଥାପନା କରି ଯଥାବିଧି ଅର୍ଚ୍ଚନା କଲେ, ଯଥା ସମୟରେ ସୁଲକ୍ଷଣାଙ୍କ ସୁନ୍ଦର ପୁଅଟିଏ ଜନ୍ମହେଲା। ସୁଲକ୍ଷଣା ପୁତ୍ରବଦୀ ହେବାରୁ ଖୁବ ଆଡ଼ମ୍ବରରେ ଯଜ୍ଞ ହୋମ କରି ମନ୍ଦିରଟିଏ ପ୍ରତିଷ୍ଠା କରାଇଲେ। ଧନଞ୍ଜୟଙ୍କୁ ଆଚାର୍ଯ୍ୟ ପଦରେ ଅଧିଷ୍ଠିତ କଲେ। ରହିବା ନିମନ୍ତେ ବଡ଼ ପ୍ରାସାଦଟିଏ ମନ୍ଦିରର ଦକ୍ଷିଣ ପାଖରେ ତୋଳାଇଲେ। ଧନଞ୍ଜୟ ନିଜ ସ୍ତ୍ରୀ ପୁତ୍ର ସହ ସୁଖରେ ବାସ କଲେ।

ଏଣେ ଧନଞ୍ଜୟଙ୍କ ନୂତନ ସ୍ତ୍ରୀ ଯେଉଁଆଡ଼େ ଗଲା, ଦୁର୍ଭାଗ୍ୟର ଶିକାର ହେଲା। ତା ବାପ ଘରେ ଚୋର ଡକାୟତ ପଶି ସର୍ବସ୍ୱ ଲୁଟି ନେଲେ। ସେମାନେ ଦାଣ୍ଡର ଭିକାରୀ ହୋଇ କ୍ଷିକ୍ଷା ମାଗି ଖାଇଲେ। ଦୟାବତୀ ସୁଲକ୍ଷଣା ଖବର ପାଇ ସେମାନଙ୍କୁ ଡକାଇ ଆଣି ନିଜ ଆଶ୍ରାରେ ରଖିଲା। ସମସ୍ତେ ସୁଖରେ ରହିଲେ।

Odia Festivals Maa Laxmi Odia Parba Parbani
Advertisment
Advertisment