• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପରିବାରର ଆର୍ଥିକ ସ୍ଥିତି ପାଇଁ କିଏ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛି ତ ଆଉ କାହାର ଘରେ ରୋଗୀଣା ବାପା-ମାଆ । ପରିବାରର ବୋଝରେ ନଇଁ ପରୀକ୍ଷା ପୂର୍ବରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ପେଟର ଭୋକ ଆଗରେ ଯେମିତି ଫିକା ପଡିଯାଇଛି ପରୀକ୍ଷା । ରାଜ୍ୟରେ ଗତ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏଥର ଅନୁପସ୍ଥିତ ଅଛନ୍ତି ପ୍ରାୟ ୧୫ ହଜାର ପିଲା ।

ଆସନ୍ତୁ ଜାଣିବା କିଛି ରୋଚକ କଥା । କଣ୍ଢେଇ ଗୁରୁ ଜଣେ ଛାତ୍ରୀ । ସେ ଅଷ୍ଟମ ଶ୍ରେଣୀ ପରେ ଆଉ ସ୍କୁଲ ଯାଇନାହାଁନ୍ତି । ମାଟ୍ରିକରେ ଫର୍ମ ଫିଲପ ବି କରିନାହାଁନ୍ତି । ତଥାପି ତାଙ୍କ ନାଁରେ ଆସିଛି ଆଡମିଟ କାର୍ଡ । ହେଲେ ସେ ପରୀକ୍ଷା ଦେଇନାହାଁନ୍ତି । ସାଲେପୁର ଏକାମ୍ର ରସୁଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ କଣ୍ଢେଇ ଗୁରୁଙ୍କ କହିବା ହେଉଛି, ମାଟ୍ରିକ ପରୀକ୍ଷା ନେଇ ତାଙ୍କୁ କେହି କିଛିସୂଚନା ଦେଇନାହାଁନ୍ତି, ଏଗଜାମ ଦେବେ କେମିତି ।

ସେହିଭଳି ମାଲକାନଗିରି ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସିପ୍ରା ସରକାର । ବାପା ଦାଦନ ଖଟିବାକୁ ଆନ୍ଧ୍ର ଚାଲିଯାଇଥିବାରୁ ଘର ଚଳାଇବାକୁ ମାଆଙ୍କ ସହ ବିଡି ବାନ୍ଧୁଛନ୍ତି ସିପ୍ରା । ଫର୍ମ ଫିଲପ କରିଥିଲେ ବି ଘରର ପରିସ୍ଥିତି ପାଇଁ ପରୀକ୍ଷା ଦେଉନାହାଁନ୍ତି । ସମାନ ସ୍ଥିତି ସିକପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅସୀମ ବାଲାଙ୍କର । ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ ।

ସେପଟେ ବଲାଙ୍ଗୀର ତୁରେକେଲା ବ୍ଳକ୍ କର୍ଲାବାହାଳି ଗାଁରେ ବି ସମାନ ଚିତ୍ର । ପେଟର ଭୋକ ଆଗରେ ଯେମିତି ଫିକା ପଡିଯାଇଛି ପରୀକ୍ଷା । ଗାଁର ଗାୟତ୍ରୀ ବନଛୋର ଏବଂ ଗୌରୀ ନିଆଲ ଏବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ । ଉଭୟଙ୍କ ଆଡମିଟ୍ କାର୍ଡ ବି ଆସିଛି । ହେଲେ ଘରେ ତାଲା ଝୁଲୁଛି । ପରୀକ୍ଷା ପୂର୍ବରୁ ପରିବାର ସହ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି ଦୁଇ ଝିଅ । ସେହିପରି ଭଦ୍ରକ ବାସୁଦେବପୁରରେ ଏଥର ୫ଜଣ ପିଲା ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି । କିଏ ଅଧାରୁ ପାଠ ଛାଡିଦେଇଛି ତ କିଏ ଘରର ଆର୍ଥିକ ପରିସ୍ଥିତି ପାଇଁ ଚାଲିଯାଇଛି ଦାଦନ ଖଟିବାକୁ ।

ଏଥର ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି ୧୫ ହଜାର ପିଲା । ହେଲେ ପିଲା କାହିଁକି ପରୀକ୍ଷା ଦେଉନାହାଁନ୍ତି, ସେନେଇ ଗଣଶିକ୍ଷା ବିଭାଗ ପାଖରେ ଉତ୍ତର ନାହିଁ । ଚାରିଆଡୁ ପ୍ରଶ୍ନ ଉଠିବା ପରେ ଗତକାଲି ବିଭାଗୀୟ ମନ୍ତ୍ରୀ କହିଥିଲେ, ଏହାର ତର୍ଜମା ହେବ । ଘର ଘର ବୁଲି କାରଣ ଖୋଜାଯିବ । ହେଲେ ଏହା ବି ସତ ଯେ, ସରକାରଙ୍କ ଉଦ୍ୟମ ସତ୍ତ୍ୱେ ବି ପ୍ରତିବର୍ଷ ବଢୁଛି ମାଟିକ୍ ପରୀକ୍ଷାରେ ପିଲାଙ୍କ ଅନୁପସ୍ଥିତି ।

କୋଭିଡ୍ ମହାମାରୀ ପରେ ଗାଁ ଗାଁରେ ସଚେତନ କରାଇଥିଲେ ସରକାର । ଶିକ୍ଷକମାନେ ଡୋର୍ ଟୁ ଡୋର ଯାଇ ଅଭିଭାବକଙ୍କ ପାଖରେ ପହଁଚିଥିଲେ । ପିଲାଙ୍କୁ ସ୍କୁଲ ଛାଡିବାକୁ ଏବଂ ପରୀକ୍ଷା ଦେବାକୁ କହିଥିଲେ । ତାପରେ ବି ଶିକ୍ଷା ଜୀବନର ପ୍ରଥମ ସୋପାନ କୁହାଯାଉଥିବା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି ହଜାର ହଜାର ପିଲା, ଯାହା ଚିନ୍ତାର ବିଷୟ ନିଶ୍ଚୟ ।