• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶାରେ ହୁ ହୁ ବଢୁଛି ହାତୀମୃତ୍ୟୁ । ୨୦୧୨ରୁ ୨୨, ଗତ ୧୦ବର୍ଷରେ ବିଭିନ୍ନ କାରଣରୁ ମରିଛନ୍ତି ୭୮୪ ହାତୀ । ସେମିତି ହାତୀ-ମଣିଷ ଲଢ଼େଇରେ ବି ୯୨୫ ଲୋକଙ୍କ ଜୀବନ ବି ଯାଇଥିବା ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲମନ୍ତ୍ରୀ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ବନ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ପରିବେଶବିତ୍ ।

ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖି ଖୋଦ୍ ଜଙ୍ଗଲମନ୍ତ୍ରୀ ପ୍ରଦୀପ ଅମାତ୍ କହିଛନ୍ତି, ୨୦୧୨ରୁ ୨୦୨୨- ଏ ୧୦ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ମରିଛନ୍ତି ୭୮୪ଟି ହାତୀ । ଯାହାମଧ୍ୟରୁ ୨୦୧୮-୧୯ରେ ସର୍ବାଧିକ ୯୩ଟି ହାତୀଙ୍କ ଜୀବନ ଯାଇଥିବାବେଳେ ୨୦୧୪-୧୫ରେ ସବୁଠୁ କମ୍ ୫୪ଟି ହାତୀ ମୃତ୍ୟୁ ଘଟିଥିଲା । 

ତେବେ ୨୦୧୭ରୁ ୨୦୨୨ ଏହି ୫ବର୍ଷ ଭିତରେ ୩୯ଟି ଜଙ୍ଗଲ ଡିଭିଜନରେ ୪୧୦ ହାତୀ ମରିଛନ୍ତି । ଯେଉଁଥିରୁ ବିଦ୍ୟୁତ୍ ଆଘାତରେ ୬୧, ରେଳ ଦୁର୍ଘଟଣାରେ ୧୭, ସଡକ ଦୁର୍ଘଟଣାରେ ୪ ଓ ଆନ୍ଥ୍ରାକ୍ସରେ ମରିଥିବା ସଂଖ୍ୟା ୨୪। ୩୬ଟି ହାତୀଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ଅଛି । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ରହିଥିଲେ । ତେବେ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବି ଆହୁରି ଉଦବେଗଜନକ । ଗତ ୧୦ ବର୍ଷରେ ୯୨୫ ମଣିଷଙ୍କୁ ବି ମାରିଛନ୍ତି ହାତୀ । ୨୦୨୦-୨୧ରେ ସବୁଠୁ ଅଧିକ ୧୩୯ଜଣଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବାବେଳେ ୨୦୧୪-୧୫ରେ ଏହି ସଂଖ୍ୟା ୬୫ ଥିଲା । ତା’ସହ ମନ୍ତ୍ରୀ କହିଛନ୍ତି ହାତୀଙ୍କ ସୁରକ୍ଷା ଦିଗରେ ତାଙ୍କ ବିଭାଗ ବି ବେଶ୍ ଯତ୍ନବାନ ଅଛି।

ଓଡ଼ିଶାରେ କାହିଁକି ବଢି ଚାଲିଛି ହାତୀ ମୃତ୍ୟୁ ? ଶିକାରୀଙ୍କ ଦୌରାତ୍ମ୍ୟ ନା ବନବିଭାଗର ନିଦାବିଷ୍ଣୁ ମନୋଭାବ ମୁଖ୍ୟ କାରଣ ? ରାଜ୍ୟରେ ଗତ ୧୦ବର୍ଷର 
ହାତୀମୃତ୍ୟୁ ତଥ୍ୟକୁ ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ବନ୍ୟଜନ୍ତୁ ପ୍ରେମୀ ଓ ପରିବେଶବିତ୍ । ସିଧାସଳଖ ଏଥିପାଇଁ ସେମାନେ ଜଙ୍ଗଲ ବିଭାଗକୁ ଦାୟୀ କରିଛନ୍ତି । ଶିକାରୀ ଦମନରେ ଚରମ ଅବହେଳା, ଜଙ୍ଗଲ କ୍ଷୟ ସାଙ୍ଗକୁ ହାତୀଙ୍କ ବାସସ୍ଥଳୀ ନଷ୍ଟ, ଢିଲା ପାଟ୍ରୋଲିଂ ଓ ସଚେତନତାର ଅଭାବ ହିଁ ଗଜରାଜଙ୍କ ବଂଶ ନିପାତର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି । ତା’ସହ ହାତୀମାନେ ଜନବସତି ମୁହାଁ ହେବେବେଳେ ସେମାନଙ୍କୁ ସଠିକ୍ ଢଙ୍ଗରେ ଘଉଡ଼ାଇବାର ଉପାୟ ଅବଲମ୍ବନ କରାଯାଉନଥିବାରୁ ହାତୀ-ମଣିଷ ଲଢ଼େଇ ବଢୁଥିବା ଓ ଧନଜୀବନ କ୍ଷତି ଘଟୁଥିବା କହିଛନ୍ତି ।

ଏପଟେ ରାତିରେ ହାତୀଙ୍କ ଗତିବିଧି ଓ ଅଘଟଣ ରୋକିବାକୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହୋଇଛି ପ୍ରୟାସ । ଥରମାଲ ଡ୍ରୋନ୍  ଯୋଗେ ଏହି ବନଖଣ୍ଡର ଚମ୍ପୁଆ, ପାଟଣା ଓ ଘଟଗାଁ ରେଞ୍ଜରେ ହାତୀଙ୍କ ଉପରେ ନଜର ରଖାଯାଉଛି । ଯାହାଦ୍ୱାରା ହାତୀ-ମଣିଷ ଲଢ଼େଇ ରୋକାଯିବା ସହ ହାତୀ ମୃତ୍ୟୁ ବି ରୋକିହେବ।

(ରିପୋର୍ଟ- ଭୁବନେଶ୍ୱରରୁ ହରିହର ଚାନ୍ଦ, ଜଗଦୀଶ ଦାଶ, କଟକରୁ ପ୍ରଭାତ ବିଷୋୟୀ, କେନ୍ଦୁଝରରୁ ପ୍ରଣୟ ପାଣି)