• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ । କାରଣ ୧୦ ଦଫା ଦାବି ନେଇ ଆସନ୍ତାକାଲି ରାଜ୍ୟବ୍ୟାପି ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଓଡିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍, ସଡକ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ ।

ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି । କିନ୍ତୁ କୌଣସି ଫଳପ୍ରଦ ନହେବାରୁ ଆସନ୍ତାକାଲିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଶୁଣାଇସାରିଛି ଡ୍ରାଇଭର ମହାସଂଘ । ଏହି ଆନ୍ଦୋଳନବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯିବ ବୋଲି ମହାସଂଘ କହିଛି । 

ଡ୍ରାଇଭର ମହାସଂଘର ଏଭଳି ଆନ୍ଦୋଳନ ନିଷ୍ପତ୍ତି ପରେ ଏବେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି ଡ୍ରାଇଭର ମହାସଂଘ ଏବଂ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । କାରଣ ଘରୋଇ ବସ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନି । ସଂଘ କହିଛି, ଆନ୍ଦୋଳନ ସମୟରେ ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । ତେଣୁ କାଳେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିବ, ତାକୁ ଏଡାଇବାକୁ ପୋଲିସ ଡିଜିଙ୍କ ସହାୟତା ଲୋଡ଼ିଛି ଘରୋଇ ବସ୍ ମାଲିକ ସଂଘ । ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି ବସ ମାଲିକ ସଂଘ ଚିଠି ଲେଖିଛି ।

ସେହିପରି ନିଖିଳ ଓଡିଶା ଅଟୋ ମହାସଂଘ, କ୍ୟାବ ସର୍ଭିସ ସଂଘ ସମେତ ଓଡିଶା ସଡକ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନଥିବା କହିଛନ୍ତି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଯାତ୍ରୀଙ୍କୁ ହଇରାଣ ନକରିବାକୁ ଏସବୁ ସଂଘ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିବା ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି ।

୨୦୨୨ ଏପ୍ରିଲ ୧୮ । ୧୦ ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନ କରି ଜନଜୀବନକୁ ନାକେଦମ୍ କରିଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲେ । ତେଣୁ ଆସନ୍ତାକାଲିର ଆନ୍ଦୋଳନ ସମୟରେ ଏଭଳି ସ୍ଥିତି ଯେପରି ନଉପୁଜେ ସେଥିପ୍ରତି ସତର୍କ ରହିଛି ପ୍ରଶାସନ ।