• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉଚ୍ଚଶିକ୍ଷା ବିଭାଗକୁ ଘାରିଛି କି ଅର୍ଥ ଚିନ୍ତା ? ରାଜ୍ୟର ଡିଗ୍ରୀ କଲେଜଗୁଡିକରେ ବର୍ଷ ବର୍ଷ ଧରି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରାଯାଉନଥିବାରୁ ଉଠିଛି ଏଭଳି ପ୍ରଶ୍ନ । ତେଣେ ସ୍ଥାୟୀ ଅଧ୍ୟକ୍ଷଙ୍କ ନଥିବାରୁ ଆଗକୁ ବଢିପାରୁନି କଲେଜର ବିକାଶମୂଳକ କାମ । ଆଗକୁ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା ନାକ୍ ଟିମ୍ ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ । ତାପୂର୍ବରୁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଅଧ୍ୟାପକ ସଂଘ ଓ ଛାତ୍ରଛାତ୍ରୀ ଦାବି କରିଛନ୍ତି । ତେବେ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ରାଜ୍ୟର ପ୍ରାୟ ୧୨ଶହ ଡିଗ୍ରୀ କଲେଜରେ ନାହାଁନ୍ତି ସ୍ଥାୟୀ ଅଧ୍ୟକ୍ଷ । ଭାରପ୍ରାପ୍ତ ଅଧ୍ୟକ୍ଷ ଦ୍ୱାରା ପରିଚାଳିତ ହେଉଛି ଅନୁଦାନପ୍ରାପ୍ତ ୪୮୮ ଓ ୬୬୨ ବର୍ଗର ୧୧୫୦ କଲେଜ । ଫଳରେ କଲେଜ ପରିଚାଳନାରେ ଗୁରତର ବାଧା ସୃଷ୍ଟି ହେବା ସହ ଠପ୍ ପଡିଯାଇଛି ଉନ୍ନତିମୂଳକ କାମ । ଖାଲି ସେତିକି ନୁହେଁ ୪୯ ସରକାରୀ କଲେଜ ଓ ୮ଟି ମଡେଲ ଡିଗ୍ରୀ କଲେଜରେ ବି ନାହାଁନ୍ତି ସ୍ଥାୟୀ ଅଧ୍ୟକ୍ଷ । ୧୨ଟି ବି.ଏଡ଼୍ କଲେଜରେ ମଧ୍ୟ ଇନଚାର୍ଜ ଅଧ୍ୟକ୍ଷଙ୍କୁ ନେଇ କାମ ଚାଲୁଛି ।

ଆଉ ବରିଷ୍ଠତା ଭିତ୍ତିରେ ଯାହାଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଦାୟିତ୍ୱ ମିଳୁଛି, ସେମାନଙ୍କ ଅବସର ସମୟ ଅତି ନିକଟରେ ରହୁଛି । ବିବାଦରେ ପଡିବା ଭୟରେ ସେମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉନାହାନ୍ତି । ଯାହାଦ୍ୱାରା ବିକାଶମୂଳକ କାମ ବାଧାପ୍ରାପ୍ତ ହେଉଥିବା ଅଧ୍ୟାପକ ସଂଘ ଅଭିଯୋଗ କରିଛି । ସେହି ଦୃଷ୍ଟିରୁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ନେଇ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ମହାବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ଲାଗି ସରକାର ମୋ କଲେଜ ଅଭିଯାନ ଅନ୍ତର୍ଗତ ପ୍ରାୟସ ଆରମ୍ଭ କରିଛନ୍ତି । ପୂର୍ବତନ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ସଂଗ୍ରହ କରି ଓ ସେଥିରେ ସରକାରୀ ଅନୁଦାନ ମିଶାଇ ଉନ୍ନତିମୂଳକ କାମ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଜମାପୁଞ୍ଜି ହେଉଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା । ମାତ୍ର ଅଧିକାଂଶ ଅନୁଦାନପ୍ରାପ୍ତ କଲେଜରେ ନାହାନ୍ତିି ଆବଶ୍ୟକ ଟିଚିଂ ଷ୍ଟାଫ୍ ।

ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ସରକାରୀ ଡିଗ୍ରୀ କଲେଜର ୨ହଜାର ୩୦୬ ପଦ ମଧ୍ୟରୁ ୧୦୩୩ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ତେଣୁ ଏଦିଗରେ ସରକାର କି ପଦକ୍ଷେପ ନେଉଛନ୍ତି, ତା’ଉପରେ ନଜର ରହିଛି । ଅନ୍ୟପକ୍ଷରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବ ଶୀଘ୍ର  ଅଧ୍ୟାପକ ଅଭାବ ସମସ୍ୟାର ସମାଧାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।