/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755934385.jpg)
Elephant Menace
ସହର ମୁହାଁ ଦନ୍ତା । ଆତଙ୍କିତ ଲୋକେ । କନ୍ଧମାଳ ଜି.ଉଦୟଗିରି ସହର ଭିତରେ ବୁଲୁଛି ଦନ୍ତାହାତୀ । ଗତକାଲି ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତାକୁ ସହର ଭିତରେ ବୁଲୁଥିବାର ଦେଖି ଆତଙ୍କିତ ଲୋକେ । ଅନ୍ୟପଟେ କଟକ ଆଠଗଡକୁ ପୁଣି ଫେରିଛନ୍ତି ହାତୀପଲ । ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ୨୨ ଟିକିଆ ହାତୀପଲ ଫେରିବା ପରେ ଚାଷୀକୂଳର ଚିନ୍ତା ବଢ଼ିଛି ।
ଗତକାଲି ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା କନ୍ଧମାଳର ଜି.ଉଦୟଗିରି ସହରର ଭିତରକୁ ପଶିଆସିଥିଲା । ହାତୀଟି ଦୀର୍ଘ ସମୟ ଧରି ସହରର ଗଳିକନ୍ଦିରେ ବୁଲିଥିଲା । ଆଉ ଘର ପାଖରେ ଦନ୍ତାହାତୀକୁ ଦେଖି ଆତଙ୍କିତ ହୋଇପଡିଥିଲେ ଲୋକେ । ପରେ ହାତୀଟି ଆପେ ଆପେ ନିକଟସ୍ଥ ଗାମୁଲି ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତାହାତୀଟିକୁ ଘଉଡାଇଛନ୍ତି । ହାତୀଟି ଦୀର୍ଘ ୩ ମାସ ହେବ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ଦନ୍ତାହାତୀ ଆକ୍ରମଣରେ ୨ ଜଣଙ୍କର ଜୀବନ ବି ଗଲାଣି । ଏପରିକି ଅନେକ ଗାଈ ଗୋରୁଙ୍କୁ ମଧ୍ୟ ଦଳି ମାରିସାରିଛି ଦନ୍ତାହାତୀ । ଏ ନେଇ ଅନେକ ଥର ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ଆଉ ଏବେ ଦନ୍ତାହାତୀ ସହରମୁହାଁ ହେବା ପରେ ଅଞ୍ଚଳବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି ।
ଅନ୍ୟପଟେ ପୁଣି କଟକ ଆଠଗଡକୁ ଫେରିଛନ୍ତି ହାତୀପଲ । ୨୨ ଟିକିଆ ହାତୀପଲ ରାସ୍ତା ପାର ହେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ୨୨ ଟିକିଆ ହାତୀପଲ । ଆଉ ହାତୀପଲ ଫେରିବା ପରେ ଚାଷୀଙ୍କୁ ଏବେ ଘାରିଛି ଚିନ୍ତା । ହାତୀପଲଙ୍କୁ ରାସ୍ତାରେ ଦେଖି ଯାତ୍ରୀମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ହାତୀପଲ ଏବେ ଆଠଗଡ ମୁଣ୍ଡଳୀକୁ ଯାଇଥିବା ଉଭୟ କନ୍ଦରପୁର ଓ ରାଜନଗର ରାସ୍ତରେ ଚଳପ୍ରଚଳ କରୁଛନ୍ତି । ଆଠଗଡ ବନଖଣ୍ଡ ରାଜନଗର ଗାଁ ପାଖ ଜଙ୍ଗଲରେ ହାତୀପଲ ଥିବାବେଳେ ବନବିଭାଗ କର୍ମଚାରୀ ଜଗି ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)