/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755939078.jpg)
CM Mohan Majhi Meets Naveen Patnaik
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ମେଡିକାଲରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ପାଖରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି । ତେବେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଆଜି ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ସେ ନବୀନ ନିବାସ ଫେରିଛନ୍ତି । ସେବେଠାରୁ ଦଳମତ ନିର୍ବିଶେଷରେ ଅନେକ ନେତା ଓ ସମର୍ଥକ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନିଜେ ଯାଇ ନବୀନଙ୍କୁ ଭେଟିଛନ୍ତି । ଗତ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମଧ୍ୟ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ମୋହନ ମାଝୀ । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।
ସୂଚନା ଥାଉ, ଗତକାଲି (ଶୁକ୍ରବାର) ନବୀନ ନିବାସରେ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିଥିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଭେଟିବା ଲାଗି ବଡ଼ ଭାଇ ନବୀନ ନିବାସରେ ପହଞ୍ଚିଥିବା କୁହାଯାଉଛି । ତେବେ ପ୍ରେମଙ୍କ ହଠାତ ଓଡିଶା ଗସ୍ତ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ନବୀନଙ୍କ ଉତ୍ତରାଧିକାରୀ ବାବଦରେ ଆଲୋଚନା ହୋଇଥିବା ମଧ୍ୟ ଅନେକ କହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)