• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆ ପିଲାଙ୍କୁ ପାଠ ପଢ଼ାଇ IAS ଅଫିସର କରିବାରେ ସମ୍ପୂର୍ଣ୍ଣ ଫେଲ୍ ରାଜ୍ୟ ସରକାର । ନବୀନ ସରକାର ୨୦୧୬ରୁ ୨୦୨୦ ମଧ୍ୟରେ ଜଣକୁ ବି IAS କରିବାରେ ସଫଳ ହୋଇପାରିଲାନି । ଏଥିପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଆଇଏଏସ୍ କୋଚିଂ ବ୍ୟବସ୍ଥା ହୋଇଥିଲା ତାକୁ ଅଧାରୁ ବନ୍ଦ କରିଦିଆଯାଇଛି । ଉଚ୍ଚ ଶିକ୍ଷାକ୍ଷେତ୍ରରେ ସରକାରଙ୍କ ଏ ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି ଖୋଦ୍ ଉଚ୍ଚଶିକ୍ଷାମନ୍ତ୍ରୀ ରୋହୀତ ପୂଜାରୀ ।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଆଙ୍କ ସଫଳତା ହାର ନୈରାଶ୍ୟ ଜନକ । ଏଭଳି ସ୍ଥଳେ ୨୦୧୬ ମସିହାରୁ ଶିକ୍ଷାନୁଷ୍ଠାନରେ ସରକାରଙ୍କ ପକ୍ଷରୁ ମାଗଣା IAS କୋଚିଂ ବ୍ୟବସ୍ଥା କରାଗଲା । ହେଲେ ଦୁର୍ଭାଗ୍ୟ ସରକାରଙ୍କ ଏ ବ୍ୟବସ୍ଥାରେ ଜଣିଏ ବି ପିଲା IAS ପାଇଲେ ନାହିଁ । ଏମିତିକି ପୁନର୍ବାର ସରକାର ଏ ବ୍ୟବସ୍ଥାକୁ ୨୦୧୯-୨୦ରେ ଧ୍ୟେୟ ଏଜୁକେସନାଲ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଏକ ଘରୋଇ ସଂସ୍ଥା ହାତରେ ଟେକିଦେଲେ । ସେଥିରେ ୯୯ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଥିଲେ । ସେଥିରୁ ମଧ୍ୟ ଜଣେ ହେଲେ ବି କୃତିତ୍ୱ ଅର୍ଜନ କଲେ ନାହିଁ । ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ରାଜ୍ୟ ସରକାରଙ୍କ ଏ ଅପାରଗତାକୁ ସ୍ୱୀକାର କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।

ଆଇଏଏସ୍ କୋଚିଂ ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଫଳାଫଳ ଶୂନ । ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ ଲାଗି ସଫଳତା ମିଳି ପାରୁନି । ସେହିପରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥ ବାଧକ ସାଜୁଥିବାରୁ ଆଇଏଏସ୍ ପରୀକ୍ଷା ଦେବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟୁଛି । ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ ଆଇଏଏସ୍ କୋଚିଂ ଲାଗି ସରକାରୀ ସ୍ତରରେ ଦୀର୍ଘ ମିଆଦି ବ୍ୟବସ୍ଥା ହୋଇଛି । ଆମ ରାଜ୍ୟରେ ବି ଏଭଳି ଯୋଜନା କରିବା ଉଚିତ ବୋଲି କହିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ।

ଅଧିକ ପଢ଼ନ୍ତୁ: ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ଦୁଇ ଦୁଇଥର ବିଫଳ ହେବା ପରେ ଉଚ୍ଚ ଶିକ୍ଷା ବିଭାଗ ଆଇଏଏସ୍ କୃତକାର୍ଯ୍ୟ ସଂଖ୍ୟା ବଢାଇବାକୁ ପୁଣି ନୂଆ ବ୍ୟବସ୍ଥା ସନ୍ଧାନରେ ଅଛି ବୋଲି ସଫେଇ ଦେଇଛି । ତେବେ ଏହା କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା ।

(ରିପୋର୍ଟ- ଜଗଦୀଶ ଦାସ, ଭୁବନେଶ୍ୱର)