/odishatv-khabar/media/post_attachments/uploadimage/library/16_9/16_9_0/NEET_1718292883.jpg)
NEET
NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ । ନଚେତ୍, ଗ୍ରହଣ କରିବାକୁ ପଡିବ ଫାଇନାଲ୍ ମାର୍କ । ବନ୍ଦ ହେବନି କାଉନସେଲିଂ ।
NEET ବିବାଦକୁ ନେଇ ଦେଶବ୍ୟାପୀ ହଇଚଇ ମଧ୍ୟରେ ଏଭଳି କଡ଼ା ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସ୍ପଷ୍ଟ କରିଛନ୍ତି, ଗ୍ରେସ୍ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷା ଦେବାକୁ ପଡିବ। ତେବେ ଏହି ସମୟରେ କାଉନସେଲିଂ ଜାରି ରହିବ। ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।
ସୁପ୍ରିମକୋର୍ଟରେ ଆଜି ମାମଲାର ଶୁଣାଣି ବେଳେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି- NTA ସ୍ପଷ୍ଟ କରିଥିଲା ଯେ, ରେଜଲ୍ଟକୁ ନେଇ ବିବାଦରେ ଥିବା ୧୫୬୩ ଛାତ୍ରଛାତ୍ରୀଙ୍କ ଗ୍ରେସ ମାର୍କ ରଦ୍ଦ କରାଯାଇଛି। ସେମାନଙ୍କୁ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ଦିଆଯାଇଛି। ଆସନ୍ତା ଜୁନ ୨୩ରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ୩୦ ତାରିଖରେ ରେଜଲ୍ଟ ବାହାରିବ।
ସେପଟେNEET ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ପେପର ଲିକ୍ ହୋଇନି କି ହେବାର ଏବେ ଯାଏଁ କୌଣସି ପ୍ରମାଣ ମିଳିନି। ୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଛନ୍ତି।
ଗତ ମେ ୫ରେ ଅନୁଷ୍ଠିତ ହୋଇଥିଲା ନିଟ୍ ପରୀକ୍ଷା। ଦେଶବ୍ୟାପୀ ୪, ୭୫୦ ସେଣ୍ଟରରେ ପ୍ରାୟ ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ତେବେ ୬ଟି ସେଣ୍ଟରରେ ପିଲାଙ୍କୁ ମିଳିଥିଲା ଭୁଲ୍ ପ୍ରଶ୍ନପତ୍ର। ପାଖାପାଖି ୩୦ ମିନିଟ୍ ପରେ ପରୀକ୍ଷାର୍ଥୀଙ୍କ ପାଖରେ ସଠିକ୍ ପ୍ରଶ୍ନପତ୍ର ପହଁଚିଥିଲା। ଏଥିଯୋଗୁ ସେସବୁ ସେଣ୍ଟରର ୧୫୬୩ ଛାତ୍ରଛାତ୍ରୀ ଟାଇମ୍ ଲସ୍ ର ଶିକାର ହୋଇଥିଲେ। ସେମାନଙ୍କ ପାଇଁ ପୁନଃ ପରୀକ୍ଷା ବଦଳରେ NTA ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ଗ୍ରେସ ମାର୍କ ବ୍ୟବସ୍ଥା ହୋଇଥିଲା।
ପ୍ରଥମେ ଜୁନ୍ ୧୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍ଥିର ହୋଇଥିବା ବେଳେ ପରୀକ୍ଷା ଖାତା ଦେଖା ସରିଥିବା ଦର୍ଶାଇ ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୪ ତାରିଖରେ ପ୍ରକାଶ ପାଇଥିଲା ଫଳ।
ବଡ କଥା ହେଉଛି ଯେ, NEET ପରୀକ୍ଷାରେ ପ୍ରଥମଥର ପାଇଁ ୭୨୦ରୁ ୭୨୦ ଅର୍ଥାତ୍ ସେଣ୍ଟ ପର୍ସେଣ୍ଟ ମାର୍କ ରଖିଛନ୍ତି ୬୭ ପରୀକ୍ଷାର୍ଥୀ। ଯାହା ଏନଟିଏ ଇତିହାସରେ ପ୍ରଥମ। ୨୦୨୩ରେ ମାତ୍ର ୨ ଜଣ ଫୁଲ ମାର୍କ ରଖିଥିବା ବେଳେ ୨୦୨୨ରେ ୫ ଜଣ ଛାତ୍ରଛାତ୍ରୀ ୭୨୦ରୁ ୭୧୫ ମାର୍କ ରଖିଥିଲେ। ଚଳିତବର୍ଷ ପୁରା ମାର୍କ ରଖିଥିବା ୬୭ ପିଲାଙ୍କ ମଧ୍ୟରୁ ୬ ଜଣ ପିଲା ହରିୟାଣା ଫରିଦାବାଦର ଗୋଟିଏ ସେଣ୍ଟରର।
ପ୍ରଶ୍ନ ଉଠୁଛି, ଚଳିତବର୍ଷ ଏତେ ସଂଖ୍ୟାରେ ପରୀକ୍ଷାର୍ଥୀଙ୍କ କେମିତି ପୁରା ମାର୍କ ରହିଲା ? ବିକଳ୍ପ ସମୟ ବଦଳରେ ଗ୍ରେସମାର୍କ ନିଷ୍ପତ୍ତି ଯଥାର୍ଥ ଥିଲା କି ? କାହିଁକି ମନଇଛା ନିଷ୍ପତ୍ତି ନେଇଥିଲା ଏନଟିଏ ? ପରୀକ୍ଷାରେ କିଛି ଅନିୟମିତତା ହୋଇନି ତ ? ଗ୍ରେସ୍ ମାର୍କ ଦିଆଯାଇ ପଛ ଦ୍ବାରରେ ପ୍ରବେଶ ଭଳି ଷଡ଼ଯନ୍ତ୍ର ହୋଇନଥିଲା ତ? ଏହାରି ଭିତରେ ଆସନ୍ତା ଜୁଲାଇ ୬ ତାରିଖରୁ MBBS, BDS ଓ ଅନ୍ୟାନ୍ୟ କୋର୍ସରେ ଆଡମିଶନ ପାଇଁ ଆରମ୍ଭ ହେଉଛି କାଉନସେଲିଂ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)