ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ରୋକିବ QR କୋଡ୍ ଓ ୱାଟର ମାର୍କ । ଫେବ୍ରୁଆରୀ ୨୧ରୁ ଦଶମ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ଏଥିପାଇଁ କେତେକ ହାଇଫାଇ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବ ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ୧୭ରେ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଟ୍ରାଏଲ୍ ବେସିସରେ ଏହି ବ୍ୟବସ୍ଥା ଲାଗୁ ସହ, ପ୍ରଶ୍ନପତ୍ର ବାକ୍ସରେ ଡିଜିଟାଲ୍ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ବୋର୍ଡ ।
Also Read
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ । ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ରୋକିବା ପ୍ରତିବର୍ଷ ବନି ଆସିଛି ବଡ଼ ଚାଲେଞ୍ଜ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବାକୁ ଥାନାରେ ହବ୍, ତ୍ରିସ୍ତରୀୟ ସୁରକ୍ଷା, ସିସିଟିଭି କ୍ୟାମେରା, ଲାଇଭ ଷ୍ଟ୍ରିମିଂ ଏବଂ ପରୀକ୍ଷା ସେଣ୍ଟର ଭିତରକୁ ମୋବାଇଲ୍ ମନା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ବିଭିନ୍ନ ପଦକ୍ଷେପ ସତ୍ତ୍ୱେ, ବିଗତବର୍ଷ ମାନଙ୍କରେ ଭାଇରାଲ୍ ହୋଇଛି କ୍ୱଶ୍ଚିନ୍ ପେପର୍ । ତେବେ ଏଥର ପାଦେ ଆଗକୁ ଯାଇ, ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି ବୋର୍ଡ । ପ୍ରତି ପ୍ରଶ୍ନପତ୍ରରେ ରହିବ ସିରିଏଲ୍ ନମ୍ୱର । ପ୍ରଶ୍ନପତ୍ରର ସବୁ ପୃଷ୍ଠା, ଏପରିକି ପ୍ରତି ପ୍ରଶ୍ନ ଉପରେ ଛପା ହୋଇ ରହିବ ୭ଟିକିଆ କୋଡ୍ । ଆଉ ତା ସହ କ୍ୟୁଆର୍ କୋଡ୍ ଏବଂ ସେଲ୍ଫ ଡିସପ୍ଲେ ୱାଟରମାର୍କ ବି ରହିବ ପ୍ରଶ୍ନପତ୍ରରେ । ଯାହାଫଳରେ, ଲିକ୍ ବା ଭାଇରାଲ ହୋଇଥିବା ପ୍ରଶ୍ନର ଫଟୋକୁ ଦେଖିଲେ, କିମ୍ୱା କ୍ୟୁଆର୍ କୋଡକୁ ସ୍କାନ କଲେ, ଏହା କେଉଁ ସେଣ୍ଟରରୁ ଏବଂ କେଉଁ ପରୀକ୍ଷାର୍ଥୀଙ୍କ କ୍ୱଶ୍ଚିନ୍ ପେପରରୁ ଲିକ୍ ହୋଇଛି ଜଣାପଡ଼ିଯିବ।
ଅଧିକ ପଢ଼ନ୍ତୁ: ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା; ଜାତୀୟ ଶିକ୍ଷା ନୀତି -୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି
ଆସନ୍ତା ୧୭ ତାରିଖରୁ ହେବାକୁ ଥିବା OSSTET ପରୀକ୍ଷାରେ ପରୀକ୍ଷାମୂଳକ ଭାବେ ଲାଗୁ ହେଉଛି ପ୍ରଶ୍ନପତ୍ରରେ କୋଡ୍ ଓ ୱାଟର ମାର୍କ ବ୍ୟବସ୍ଥା । ଏଥିରୁ ସଫଳତା ମିଳିଲେ ମାଟ୍ରିକ୍ ପରୀକ୍ଷାରେ ବି ଏହାକୁ ଆପଣାଇବ ବୋର୍ଡ । ସେପଟେ OSSTET ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଆଉ ଏକ ହାଇଟେକ୍ ବ୍ୟବସ୍ଥା ବି ଗ୍ରହଣ କରାଯାଇଛି । ପରୀକ୍ଷା ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ଯେପରି ପ୍ରଶ୍ନପତ୍ର ଥିବା ଟ୍ରଙ୍କ୍ ଖୋଲାନଯାଏ, ତାକୁ ଜଗିବ ଡିଜି-ଲକ୍ । ଏହି ଡିଜିଟାଲ୍ ତାଲା ପକାଇ ୧୮୩ଟି ସେଣ୍ଟରକୁ ସ୍ୱତନ୍ତ୍ର ଟିଣବାକ୍ସରେ ପ୍ରଶ୍ନପତ୍ର ପଠାଯିବ। ଯାହାଫଳରେ ବୋର୍ଡ କଣ୍ଟ୍ରୋଲରୁମରୁ ପ୍ରଶ୍ନପତ୍ର ବାକ୍ସର ଜିପିଏସ୍ ଟ୍ରାକିଂ କରିହେବ ଏବଂ କେହି ଟିଣବାକ୍ସ ଭାଙ୍ଗିବାକୁ ଚେଷ୍ଟା କଲେ ଆଲର୍ଟ ଆସିବ । ନିର୍ଦ୍ଧାରିତ ସମୟରେ ଗୋଟିଏ ସେଣ୍ଟ୍ରାଲ୍ କମାଣ୍ଡରେ ସମସ୍ତ ପରୀକ୍ଷା ସେଣ୍ଟରର ପ୍ରଶ୍ନପତ୍ର ବାକ୍ସକୁ ଗୋଟିଏ ଥରରେ ଖୋଲା ଯାଇପାରିବ। ଆବଶ୍ୟକ ସ୍ଥଳେ, ପାସୱାର୍ଡ ଓ ସ୍ୱତନ୍ତ୍ର ଚିପ୍ ସାହାଯ୍ୟରେ ଖୋଲି ହେବ ଡିଜିଟାଲ୍ ଲକ୍ । ତେବେ ଡିଜି ଲକ୍ ବ୍ୟବସ୍ଥା ବ୍ୟୟବହୁଳ ହୋଇଥିବାରୁ ମାଟ୍ରିକ୍ ପରୀକ୍ଷାରେ ଏହାକୁ ଲାଗୁ କରିବା ଏବେ ପାଇଁ ସମ୍ଭବ ନୁହେଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ଫେବୃଆରୀ ୨୧ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ତେବେ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଏଭଳି ହାଇଫାଇ ସଂସ୍କାରମୂଳକ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଏଭଳି ଗୋପନୀୟ ସୁରକ୍ଷା ବ୍ୟବସ୍ଥାକୁ ବୋର୍ଡ ପକ୍ଷରୁ ଆଗୁଆ ସାର୍ବଜନୀନ କରାଯିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍ । ସମ୍ୱେଦନଶୀଳ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଲାଇଭଷ୍ଟ୍ରିମିଂ ଏବଂ ୨୦ ଜଣ ବୈଷୟିକ ବିଶେଷଜ୍ଞଙ୍କ ଦ୍ବାରା ମନିଟରିଂ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି ବୋର୍ଡ ।
ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର; ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ଜିଲ୍ଲାରେ ଲାଗୁ...
- Reported by:
- PRAVAT BISOI