ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।
ସୂଚନା ମୁତାବକ ଉତ୍କଳ ବିଶ୍ୱବିଦ୍ୟାଳୟର ବିଏସ୍ସି ନର୍ସିଂ କୋର୍ସ ୨ ବର୍ଷ ହେଲା ଚଣ୍ଡିଖୋଲରେ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ରେ ଖୋଲିଥିଲା। ଏହି କୋର୍ସରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ଅନେକ ଛାତ୍ରଛାତ୍ରୀ ଆଡ୍ମିଶନ କରିଥିଲେ। ମାତ୍ର ୩ ଜଣ ଷ୍ଟାଫ୍ ଥିବା ଓ କ୍ଲିନିକାଲ୍ ଶିକ୍ଷାରୁ ବଞ୍ଚିତ ହେବାରୁ ବାରମ୍ବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଧାରଣା ବି ଦେଇଥିଲେ ଛାତ୍ରଛାତ୍ରୀ। ହେଲେ ଏଯାଏଁ କୌଣସି ସମାଧାନ ହୋଇପାରିନି। ଫଳରେ ଚଳିତ ବର୍ଷ ୪୫ ସିଟ୍ରୁ ମାତ୍ର ୧୦ ଜଣ ନାମ ଲେଖାଇଛନ୍ତି।
Also Read
ସେହିପରି ଭୁବନେଶ୍ୱର ବିଜେବି କଲେଜରେ ପିପିପି ମୋଡ୍ରେ ଚାଲୁଥିବା ୮ଟି ସେଲ୍ଫ ଫାଇନାନ୍ସିଂ କୋର୍ସର ବି ସମାନ ଅବସ୍ଥା। ତେଣେ ବାରିପଦା ଏମ୍ପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ଥିତି ଆହୁରି ଖରାପ। ଏଠି ଚାଲିଛି ୧୦ଟି ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ ଜଣେ ହେଲେ ବି ନିୟମିତ ଅଧ୍ୟାପକ ନାହାନ୍ତି।
ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ସେଲ୍ଫ ଫାଇନାନ୍ସିଂ କୋର୍ସକୁ କାଟ୍ଛାଣ୍ଟ୍ କରିବାକୁ ନିଷ୍ପତ୍ତି ନେଇଥିଲା ଉଚ୍ଚଶିକ୍ଷା ବିଭାଗ। ତେବେ ପ୍ରତିବାଦ ତେଜିବାରୁ ସରକାର ନିଷ୍ପତ୍ତି ବଦଳାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଡାଇରେକ୍ଟ ହେଉ କି ପିପିପି ମୋଡ୍,ଏହି କୋର୍ସଗୁଡିକୁ ଠିକ ପରିଚାଳନା ଦିଗରେ କାହିଁକି ପଦକ୍ଷେପ ନେଉ ନାହିଁ ଉଚ୍ଚଶିକ୍ଷା ବିଭାଗ।
ଛାତ୍ରଛାତ୍ରୀମାନେ ନିୟମିତ ମୋଟା ଅଙ୍କର କୋର୍ସ ଫି ଗଣୁଥିଲେ ମଧ୍ୟ କାହିଁକି ସେମାନଙ୍କ ପାଇଁ କରାଯାଉନି ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା? ତେବେ ଭିତ୍ତିଭୂମି ସଜାଡି ପିଲାଙ୍କୁ କ୍ୟାରିୟର ଗଢିବାର ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ ଓ ଏମପିସି ଅଟୋନୋମସ୍ କଲେଜ ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା।
ରାଜ୍ୟର ପ୍ରାୟ ୨୦ଟି ସରକାରୀ ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପାଖାପାଖି ୭ ହଜାର ସେଲ୍ଫ ଫାଇନାନ୍ସିଂ କୋର୍ସ ସିଟ୍ ରହିଛି। ତେବେ ଉପଯୁକ୍ତ ଭିତ୍ତିଭୂମି ନ ରଖି ଏଭଳି କୋର୍ସ ରଖିବାର କି ଲାଭ ବୋଲି ପ୍ରଶ୍ନ ଉଠିଛି।
(ରିପୋର୍ଟ : ବାରିପଦାରୁ ମାଣିକଲାଲ ପାଣି, ଭୁବନେଶ୍ୱରରୁ ଜଗଦୀଶ ଦାସ)