Advertisment

Gold Prices: ସୁନା ଭାଉରେ ଓଲଟା ଗତି; ୫୬ ହଜାରକୁ ଖସିପାରେ ହଳଦିଆ ଧାତୁ !

ଲଗାତାର ଉପର ମୁହାଁ ହେଉଥିବା ଦରରେ ବ୍ରେକ୍ ପରେ ଏବେ ତଳମୁହାଁ ହଳଦିଆ ଧାତୁର ମୂଲ୍ୟ। ଖାଲି ସେତିକି ନୁହେଁ, ଆଗାମୀ ଦିନରେ ଆହୁରି ଶସ୍ତା ହେବାକୁ ଯାଉଛି ସୁନା।

author-image
Sujit kumar Swain
Gold prices to fall below Rs 56,000?

Gold prices to fall below Rs 56,000?

ଆକାଶଛୁଆଁ ହେବା ପରେ ଆଗକୁ ତଳମୁହାଁ ହେବାକୁ ଯାଉଛି ସୁନାର ଦର। ଏକଦା ୧୦ ଗ୍ରାମ ପ୍ରତି ୯୦ ହଜାର ପାର ହୋଇଥିବା ୨୪ କ୍ୟାରେଟ୍ ସୁନା ଦର ଆଗକୁ ୫୬ ହଜାରକୁ ଖସିଯିବ ବୋଲି ଆକଳନ କରିଛି ଆମେରିକାର ଏକ ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର। ଯାହାକୁ ନେଇ ମଧ୍ୟମବର୍ଗ ଓ ସାଧାରଣ ଗ୍ରାହକଙ୍କ ଭିତରେ ବଢିଛି ଉତ୍ସୁକତା। ଏପଟେ ଗଲା ଦୁଇ ଦିନ ଭିତରେ ସୁନା ଦର ପ୍ରାୟ ଅଢେଇ ହଜାର ଟଙ୍କା କମି ରେଟ୍ ଖସୁଥିବାରୁ ଏହାକୁ ନେଇ ବେଶ୍ ଖୁସି ଉଭୟ ଗ୍ରାହକ ଓ ବ୍ୟବସାୟୀ।

Advertisment

ହୁ ହୁ ବଢୁଥିବା ସୁନା ଭାଉରେ ଓଲଟା ଗତି। ଲଗାତାର ଉପର ମୁହାଁ ହେଉଥିବା ଦରରେ ବ୍ରେକ୍ ପରେ ଏବେ ତଳମୁହାଁ ହଳଦିଆ ଧାତୁର ମୂଲ୍ୟ। ଖାଲି ସେତିକି ନୁହେଁ, ଆଗାମୀ ଦିନରେ ଆହୁରି ଶସ୍ତା ହେବାକୁ ଯାଉଛି ସୁନା। ଆଗକୁ ସୁନା ଦରରେ ଅହେତୁକ ମୂଲ୍ୟ ହ୍ରାସ ନେଇ ଆକଳନ କରିଛି ଆମେରିକୀୟ ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର। ଏହି ସଂସ୍ଥାର ପୂର୍ବାନୁମାନ ଅନୁସାରେ ଖୁବଶୀଘ୍ର ସୁନା ଦର ୫୬ ହଜାରକୁ ଖସିବ। ମର୍ଣ୍ଣିଂ ଷ୍ଟାରର ବଜାର ବିଶେଷଜ୍ଞ ଜନ ମିଲ୍ସଙ୍କ ମତ ଅନୁସାରେ, ଆଗାମୀ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ୩୮ ପ୍ରତିଶତ ହ୍ରାସ ଘଟିବ। ଏବେ ଆଉନ୍ସ ପିଛା ୩ ହଜାର ଡଲାର ଉପରେ ରହିଥିବା ସୁନା ଦର ଆଗକୁ ୧ ହଜାର ୮୨୦ ଡଲାରକୁ ହ୍ରାସ ପାଇବ। ଭାରତୀୟ ମୁଦ୍ରା ହିସାବରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୫-୫୬ ହଜାର ଟଙ୍କା ମଧ୍ୟରେ ରହିବ।

ଅଧିକ ପଢ଼ନ୍ତୁ: କାହାକୁ ଟାର୍ଗେଟ କରି ଟ୍ରମ୍ପ ଆଣିଛନ୍ତି ନୂଆ ଟାରିଫ ନୀତି ? ମିଳିଛି ତ ସିନେଟ ମଞ୍ଜୁରୀ ?

Advertisment

ଏବେ ନଜର ପକାନ୍ତୁ ସୁନା କମିବା ଆକଳନ ପଛର କାରଣ ଉପରେ। 

୧- ସୁନାର ଦର ବଢିବାରୁ ଅଧିକ ଖନନ ଉପରେ ଜୋର ଦେଇଛନ୍ତି ଉତ୍ପାଦନକାରୀ। ଆଗାମୀ ଦିନରେ ପୁରୁଣା ସୁନାର ରି-ସାଇକେଲିଂ ବି ଯୋଗାଣ ବଢ଼ାଇବ। ଯୋଗାଣ ବଢ଼ିଲେ ଦର ହ୍ରାସ ପାଇଁ ବାଟ ଖୋଲିବ। 

୨- ବିଶ୍ବରେ ଯୁଦ୍ଧ ସ୍ଥିତି ଓ ରାଜନୈତିକ ଅସ୍ଥିରତା କାରଣରୁ ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଓ ନିବେଶକ ଏବେ ସୁନାକୁ ସୁରକ୍ଷିତ ପୁଞ୍ଜିନିବେଶ ବିକଳ୍ପ ଭାବେ ବାଛି ନେଇଛନ୍ତି। କିନ୍ତୁ ତିନି ଚତୁର୍ଥାଂଶ କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ବର୍ଷକ ମଧ୍ୟରେ ସୁନା କିଣାରେ ଫୁଲ୍ ଷ୍ଟପ୍ ଲଗାଇ ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି।

୩- ୨୦୨୪ରେ ଗୋଲ୍ଡ ସେକ୍ଟରରେ ୩୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଣୁ ସୁନାରେ ପୁଞ୍ଜିନିବେଶ ପ୍ରାୟତଃ ଶୀର୍ଷରେ ପହଞ୍ଚି ସାରିଛି। ଏବେ ନିମ୍ନଗାମୀ ହେବାର ସମୟ ଆସିଛି।

ଏପଟେ ଗଲା କିଛି ଦିନ ଧରି ସୁନା ଦର ହୁ ହୁ ହୋଇ ବଢିଚାଲିଥିବାରୁ ଏବେ କମିବା ଖବର ଶୁଣିବା ପରେ ସାଧାରଣ ଗ୍ରାହକଙ୍କ ଖୁସି କହିଲେ ନସରେ। ବିଶେଷ କରି ଗହଣାଗାଣ୍ଠି କିଣିବାକୁ ଅପେକ୍ଷା କରିଥିବା ମହିଳାଙ୍କ ପାଇଁ ଏ ଖବର ଅଧିକ ଆଶ୍ବସ୍ତି ଆଣିଛି। ସେପଟେ ସୁନାର ଦର କମିଲେ, ବ୍ୟବସାୟ ମଧ୍ୟ ବଢିବ ବୋଲି ଆଶା କରିଛନ୍ତି ବ୍ୟବାସାୟୀ।

ଚଳିତ ସପ୍ତାହ ଆରମ୍ଭରେ ଦେଶରେ ସୁନା ଦର ସର୍ବକାଳୀନ ରେକର୍ଡ କରିଥିଲା। ଖାଣ୍ଟି ସୁନା ଅର୍ଥାତ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ ପିଛା ୯୩ ହଜାର ଟଙ୍କା ଟପିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ ୮୫ ହଜାର ପାର୍ କରିଥିଲା। ହେଲେ ଗତ ୨ ଦିନରେ ସୁନା ଦାମ୍ ପ୍ରାୟ ଅଢ଼େଇ ହଜାର ଟଙ୍କା ଖସି ଖାଣ୍ଟି ସୁନା ୯୦ ହଜାର ୬୬୦ ଟଙ୍କା ଓ ୨୨ କ୍ୟାରେଟ୍ ୮୩ ହଜାର ୧୦୦ ଟଙ୍କାକୁ ଖସିଛି।

ଅଧିକ ପଢ଼ନ୍ତୁ: ସୁନା ଦରରେ ବଡ଼ ପରିବର୍ତ୍ତନ...କମିଲା ଏତିକି

Gold Gold Prices
Advertisment
Advertisment