• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୫ରୁ ୧୧ ବର୍ଷ ପିଲାଙ୍କୁ ଖୁବ୍ ଶୀଘ୍ର ମିଳିପାରେ କରୋନା କବଚ । ଏଥିପାଇଁ ହାଇଦ୍ରାବାଦର ବାୟଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଅନୁମତି ଲାଗି ଡଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇଙ୍କୁ ସୁପାରିଶ କରିଛି ଏକ୍ସପର୍ଟ କମିଟି । କରୋନାର ଚତୁର୍ଥ ଲହର ଆଶଙ୍କା ଭିତରେ ସ୍କୁଲ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଛୋଟ ପିଲାଙ୍କ ଟିକାକରଣ ଖବର ଆଶ୍ୱସ୍ତି ଆଣିଛି ।

ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ବଢୁଛି ଚତୁର୍ଥ ଲହର ଆଶଙ୍କା । ତେଣେ ଦୁଇ ବର୍ଷର ପାଠ ନଷ୍ଟ ହୋଇଥିବାରୁ ଗ୍ରୀଷ୍ମଛୁଟି କାଣ୍ଟଛାଟ କରି ସ୍କୁଲ ଚାଲୁ ରଖିବାକୁ ସରକାରଙ୍କ ନିଷ୍ପତ୍ତି । ଏଭଳି ଅସମଞ୍ଜସ ସ୍ଥିତି ଭିତରେ ଅଭିଭାବକ ଓ ପିଲାଙ୍କ ପାଇଁ ଆଶ୍ୱସ୍ତିକର ଆସିଛି । ୧୨ ବର୍ଷରୁ ଉର୍ଦ୍ଧ୍ୱଙ୍କ ପରେ ୫ରୁ ୧୧ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଲାଗି ପ୍ରସ୍ତୁତ ହୋଇଛି ଯୋଜନା ।

ହାଇଦ୍ରାବାଦର ବାୟୋଲୋଜିକାଲ-ଇ ଫାର୍ମା ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଲାଗି ଡିସିଜିଆଇକୁ ସୁପାରିସ କରିଛି ସବଜେକ୍ଟ ଟୁ ଏକ୍ସପର୍ଟ କମିଟି । ଆଗାମୀ କିଛି ଦିନ ଭିତରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଡିସିଜିଆଇ ଅନୁମୋଦନ ମିଳିଲେ ୫ରୁ ୧୧ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ କରାଯାଇପାରିବ । ଛୋଟ ପିଲାଙ୍କୁ କରୋନା କବଚ ପ୍ରଦାନ ଲାଗି ଏକ୍ସପର୍ଟ କମିଟି କରିଥିବା ସୁପାରିଶକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱାଗତ କରିଛନ୍ତି ।

କୋର୍ବେଭାକ୍ସକୁ ଅନୁମୋଦନ ମିଳିଲେ ରାଜ୍ୟରେ କିଭଳି ହେବ ଏ ବର୍ଗଙ୍କ ଟିକାକରଣ ? ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର ? ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଯେ ଡିଜିସିଆଇ ପ୍ରସ୍ତାବକୁ ଅନୁମୋଦନ କଲେ ଟିକାକରଣ ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନସ ଜାରି ହେବ । ତା ଅନୁସାରେ ଟିକା ଦିଆଯିବ । ଉଭୟ ସ୍କୁଲ ଓ ନିୟମିତ କେନ୍ଦ୍ରରେ ଟିକା ଦେବା ବ୍ୟବସ୍ଥା ହେବ । ଅନ୍ୟପକ୍ଷରେ ଏହି ବର୍ଗରେ ରାଜ୍ୟରେ ପ୍ରାୟ ୫୦ ଲକ୍ଷ ପିଲା ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏସବୁ ଭିତରେ ରାଜ୍ୟର ସ୍କୁଲଗୁଡ଼ିକରେ ବହୁ ଛାତ୍ରଛାତ୍ରୀ ଥଣ୍ଡା ଓ ଜ୍ୱରରେ ପୀଡିତ ହେଉଥିବାରୁ ବଢ଼ୁଛି ଚିନ୍ତା । ଏଥିପ୍ରତି ସତର୍କ ରହିବାକୁ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କହିଛନ୍ତି, ସବୁ ଥଣ୍ଡା ଜ୍ୱର କରୋନା ନୁହେଁ ତଥାପି, ଯଦି କୌଣସି ଛାତ୍ରଛାତ୍ରୀଠାରେ ଏସବୁ ଲକ୍ଷଣ ରହୁଛି, ତୁରନ୍ତ ଟେଷ୍ଟ କରାଇ ସେମାନଙ୍କୁ ଆଇସୋଲେସନରେ ରଖନ୍ତୁ । ଜାଣିଶୁଣି ଟେଷ୍ଟ ନ କରାଇବା ବିପଦକୁ ଡାକିବା ସହ ସମାନ ବୋଲି ସେ ଚେତାଇ ଦେଇଛନ୍ତି ।

ଦେଶରେ ଗତ ୨୪ ଘଣ୍ଟାରେ ୨ ହଜାର ୪୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୪ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୧ ପଜିଟିଭ ଚିହ୍ନଟ ବାହାରିଛନ୍ତି । ତେବେ ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବାରୁ ଚତୁର୍ଥ ଲହର ଆଶଙ୍କା ବଢିବାରେ ଲାଗିଛି ।

ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ, କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ