Advertisment

'ଚାଉଳ ମିଳୁଛି, ପଇସା ମିଳୁଛି... ହେଲେ ଦିବ୍ୟାଙ୍ଗଙ୍କୁ ଶିକ୍ଷକ ମିଳୁନାହାଁନ୍ତି କାହିଁକି?'

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଗାଇଡଲାଇନ୍ ଜାରି କରିଛି କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିଷ୍ପତ୍ତି ହୋଇନି।

author-image
Chandan Shishu
ଅଦ୍ୟତନ ହୋଇଛି
Divyang students suffer due to State Govt’s ignorance

Divyang students suffer due to State Govt’s ignorance

ମୋର ଲାଗି ସ୍ପେଶାଲ ଟିଚର୍ ଦରକାର। ନହେଲେ ମୋର ପାଠପଢା ଲାଗି ଅସୁବିଧା ହେଉଛି। ଚାଉଳ ମିଳୁଛି, ପଇସା ମିଳୁଛି... ହେଲେ ଶିକ୍ଷକ କାହିଁକି ମିଳୁନି ? ଛୋଟ ପିଲାଟିର ବଡ଼ ପ୍ରଶ୍ନ। ଏଇ ପ୍ରଶ୍ନ କେବଳ ସେଇ ପିଲାଟିର ନୁହେଁ, ବରଂ ରାଜ୍ୟରେ ସ୍କୁଲରେ ପାଠ ପଢୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ। କାହିଁକିନା ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିଯୁକ୍ତ ହେଉନାହାଁନ୍ତି ସ୍ବତନ୍ତ୍ର ଶିକ୍ଷକ। ସରକାରୀ ସ୍କୁଲ୍ ଠାରୁ ଆରମ୍ଭ କରି ଘରୋଇ ସ୍କୁଲ୍ ଯାଏ ସବୁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି।

Advertisment

ସ୍ବତନ୍ତ୍ର ଶିକ୍ଷକ ବା ଦିବ୍ୟାଙ୍ଗ ଲାଗି ତାଲିମପ୍ରାପ୍ତ ଶିକ୍ଷକ ନଥିବାରୁ ସାଧାରଣ ପିଲାଙ୍କ ସହ କ୍ଲାସରେ ଏମାନେ ଶିକ୍ଷା ଆହରଣ କରିପାରୁନାହାଁନ୍ତି। ସେହିପରି ରାଜ୍ୟରେ ସ୍ୱତନ୍ତ୍ର ଶିକ୍ଷକ ଡିଗ୍ରୀଧାରୀ ୪ହଜାରରୁ ଅଧିକ ଆଶାୟୀ ଅଛନ୍ତି। ସେମାନଙ୍କ ନିଯୁକ୍ତି ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।  ଯାହାକୁ ନେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଆଶାୟୀଙ୍କ ଭିତରେ ପ୍ରବଳ ଅସନ୍ତୋଷ।

ରାଜ୍ୟର ୬୪ ହଜାର ସ୍କୁଲ୍‌ରେ ଏବେ ଅଛନ୍ତି ପ୍ରାୟ ୮୨ ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ନୂଆ ଶିକ୍ଷା ନୀତି ଅନୁଯାୟୀ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାର ପ୍ରାବଧାନ ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଗାଇଡଲାଇନ୍ ଜାରି କରିଛି କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିଷ୍ପତ୍ତି ହୋଇନି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏନେଇ ପ୍ରକ୍ରିୟା ଜାରି ରହିଛି, ଖୁବଶୀଘ୍ର ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ ହେବ। ଏତେସବୁ ନିୟମ ପରେ ବି ଦିବ୍ୟାଙ୍ଗ କିମ୍ବା ସ୍ବତନ୍ତ୍ର ଶିକ୍ଷକ ଆଶାୟୀଙ୍କ ଦାବି ଏଯାଏ ପୂରଣ ହୋଇପାରିନି

Advertisment

ଏନେଇ ସ୍ୱତନ୍ତ୍ର ଶିକ୍ଷକ ଆଶାୟୀ ଦେବାଶିଷ ପତି କହିଛନ୍ତି ଦିବ୍ୟାଙ୍ଗମାନଙ୍କ ଶିକ୍ଷା ପ୍ରତି ରାଜ୍ୟ ସରକାର ହୃଦୟଙ୍ଗମ କରିବା ଦରକାର। ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ କେନ୍ଦ୍ରରେ ଯେଉଁ ନିୟମ ଆସିଲାଣି, ତାହା ରାଜ୍ୟରେ ଲାଗୁ କରାଯାଉ। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ସ୍ପେଶାଲ ଏଡୁକେଟର ବା ସ୍ୱତନ୍ତ୍ର ଶିକ୍ଷକ କଣ ରହିଛି ଗାଇଡଲାଇନ୍‌ ?

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଗାଇଡ଼ଲାଇନ୍। ପ୍ରତି ସ୍କୁଲ୍‌ରେ ରହିବେ ସ୍ପେଶାଲ ଏଡୁକେଟର ବା ସ୍ୱତନ୍ତ୍ର ଶିକ୍ଷକ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ରାଜପତ୍ର। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିଲା ଗୁରୁତ୍ୱ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ହୋଇଛି ଗାଇଡଲାଇନ୍। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବେ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ପ୍ରତି ୧୫ ପିଲାରେ ଜଣେ ଶିକ୍ଷକ ନିଯୁକ୍ତ ପାଇବେ ଏବଂ ଯେଉଁ ସବୁ ସ୍କୁଲରେ ଶିକ୍ଷକ ଅଭାବ ଥିବେ ସେଠାରେ କର୍ତ୍ତୃପକ୍ଷ ଚୁକ୍ତିଭିତ୍ତିକ ଆଧାରରେ ସ୍ବତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତ କରିବେ।

(ରିପୋର୍ଟ: କୋଣାର୍କରୁ ସଞ୍ଜୟ ପତି ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)

Special Educator
Advertisment
Advertisment