• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି। ଏମାନେ ପେପର ଲିକ୍ ସହ ଅନ୍ୟ ଅନିୟମିତତାରେ ସାମିଲ ଥିବା ସିବିଆଇ ଚାର୍ଜସିଟରେ ଦର୍ଶାଇଛି। ଅତ୍ୟାଧୁନିକ ଫୋରେନସିକ୍ ଟେକନିକ୍, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ସିସିଟିଭି ଫୁଟେଜ ଏବଂ ଟାୱାର ଲୋକେସନ୍ ଆନାଲିସିସର ବ୍ୟବହାର କରି ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ କରାଯାଇଥିବା ସିବିଆଇ କହିଛି। 

ମାମଲାରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବିହାର ପୋଲିସ ଦ୍ବାରା ୧୫ ଜଣ ଗିରଫ ହୋଇଛନ୍ତି। ମାମଲାର ତଦନ୍ତ ବେଳେ ସିବିଆଇ ୫୮ଟି ସ୍ଥାନରେ ଯାଂଚ୍ କରିଥିବା ବେଳେ ୬ଟି ଏଫଆଇଆର ଦେଇଛି। 

ତେବେ କିଛି ଦିନ ପୂର୍ବରୁ ନିଟ୍-ୟୁଜିକୁ ନେଇ ଆସିଥିଲା ସୁପ୍ରିମକୋର୍ଟଙ୍କ ଫାଇନାଲ୍ ଫୈସଲା । ପୁଣି ଥରେ ପରୀକ୍ଷା କିମ୍ବା ପୁନଃପରୀକ୍ଷା ଆଉ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। କହିଥିଲେ, ପରୀକ୍ଷାର ପବିତ୍ରତା ଭଙ୍ଗ ହୋଇଥିବାର ସେଭଳି କୌଣସି ଯଥେଷ୍ଟ ପ୍ରମାଣ ନାହିଁ। ପୁଣି ଥରେ ଯଦି ପରୀକ୍ଷା କରାଯାଏ, ତେବେ ଦେଶର ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ଆଶଙ୍କା ରହୁଥିଲା। 

ଲିକ୍ ଓ ଅନ୍ୟାନ୍ୟ ଅନିୟମିତତା ଆଧାରରେ ନିଟ୍-ୟୁଜିର ପୁନଃପରୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଶୁଣାଣି ସମୟରେ ୭୧୧ ମାର୍କ ହାସଲ କରିଥିବା ଆବେଦନକାରୀ ପରୀକ୍ଷାରେ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଅସ୍ପଷ୍ଟ ବିକଳ୍ପ ଥିଲା ।  ଆବେଦନକାରୀଙ୍କ କହିବା ଅନୁଯାୟୀ, ଏନ୍‌ସିଇଆର୍‌ଟିର ନୂଆ ସଂସ୍କରଣ ଅନୁଯାୟୀ ସେହି ପ୍ରଶ୍ନର ବିକଳ୍ପ-୪ଟି ଯାକ ହିଁ ଠିକ୍ ଉତ୍ତର ଥିଲା। ତେବେ ପୂର୍ବ ସଂସ୍କରଣ ଅନୁଯାୟୀ ବିକଳ୍ପ-୨ ଠିକ୍ ଥିବାରୁ ଏହାକୁ ବାଛିଥିବା ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମଧ୍ୟ ଦିଆଯାଇଥିଲା ।

ବିଶେଷଜ୍ଞ କମିଟି ଏହି ପ୍ରଶ୍ନର ଅନୁଧ୍ୟାନ କରି ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। କେବଳ ଗୋଟିଏ ବିକଳ୍ପ ଠିକ୍ ଥିଲା, ତାହା ହେଉଛି ବିକଳ୍ପ-୪ ବୋଲି କମିଟି ସ୍ପଷ୍ଟ ଭାବେ ମତ ଦେଇଥିଲେ। ଫଳରେ ଭୁଲ୍‌ ଉତ୍ତର ଦେଇଥିବା ୪.୨ ଲକ୍ଷ ଛାତ୍ରଛାତ୍ରୀ ୪ ମାର୍କ ସହ ନେଗେଟିଭ୍‌ ମାର୍କିଙ୍ଗ୍‌ ପାଇଁ ୧ ମାର୍କ ମିଶାଇ ସମୁଦାୟ ୫ ମାର୍କ ହରାଇବେ ବୋଲି ଜଣା ପଡ଼ିଥିଲା । 

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ, ମାମଲାର ବିଚାର କରି ଏହି ରାୟ ଦେଇଥିଲେ। କହିଥିଲେ, NTA ଏବଂ ଆଇଆଇଟି ମାଡ୍ରାସ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟର ଅନୁଧ୍ୟାନ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ, ସେଭଳି ବ୍ୟାପକ ମାତ୍ରାରେ ପେପର୍ ଲିକ୍ ହୋଇନାହିଁ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା । ଏହାର ଶୁଣାଣି କରି ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।

OTV is now on Whatsapp

Join and get latest news update delivered to you via whatsapp

Join Now