/odishatv-khabar/media/post_attachments/uploadimage/library/16_9/16_9_0/BJD__1722522454.jpg)
BJD
ବୁଝିବା ଓ ବୁଝେଇବା ପୂର୍ବରୁ ଅକଲ ଗୁଡୁମ୍। ଏବେ ଅସନ୍ତୁଷ୍ଟଙ୍କ ଅଡୁଆ ଜାଲରେ ଛନ୍ଦି ହୋଇପଡିଛି ନିଜକୁ ସଶକ୍ତ ବିରୋଧୀ କହୁଥିବା ବିଜୁ ଜନତା ଦଳ। କର୍ମୀ, ନେତାଙ୍କ ପରେ ରାଜ୍ୟସଭା ସାଂସଦ ବି ଦଳ ଛାଡ଼ିଲେଣି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଗତକାଲି ବୋମା ଫୁଟିଛି, ଆଗାମୀ ଦିନରେ ବିଜେଡିରେ ବିସ୍ଫୋରଣ ହେବ। ସେପଟେ ରାଜନୈତିକ ମହଲରେ ଚର୍ଚ୍ଚା, ହୁଏତ ଆଗକୁ ବିଜେଡି ଫାଟି ଆଁ କରିପାରେ।
ଫାଟୁଛି ବିଜେଡି। ଫୁଲୁଛି ବିଜେପି । ବିଜେଡି ନେତୃତ୍ବ ଉପରେ ଆସ୍ଥା ହରାଉଛନ୍ତି କି ଜନ ପ୍ରତିନିଧି ? ଓଡ଼ିଶାରେ ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିବା ବିଜେଡିର,ଏବେ ରାଜ୍ୟସଭା ସାଂସଦ ସଂଖ୍ୟା ଛିଡିବା ଆରମ୍ଭ ହେଲାଣି। ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ମମତା ମହନ୍ତ ଦଳ ଓ ସଭ୍ୟ ପଦରୁ ଇସ୍ତଫା ଦେବା ପରେ ତେଜିଲା ଚର୍ଚ୍ଚା। ୨୪ ବର୍ଷ ପରେ ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହୋଇଛି। ଶାସନ କ୍ଷମତାକୁ ଆସିଛି ବିଜେପି। ଆଉ ବିଜେଡିରେ ଥିବା ଅସନ୍ତୁଷ୍ଟ କାଳେ ଏବେ ଶାସକ ଦଳ ଆଡକୁ ଢଳିବା ଆରମ୍ଭ କଲେଣି। ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି ଗତକାଲି ବୋମା ଫୁଟିଛି, ଆଗାମୀ ଦିନରେ ବିଜେଡିରେ ବିସ୍ଫୋରଣ ହେବ। ଅର୍ଥାତ ଆଉ କିଛି ସାଂସଦ ବିଜେଡି ଛାଡି ପାରନ୍ତି ବୋଲି ସେ ଇଙ୍ଗିତ କରିଛନ୍ତି।
ଅପରପକ୍ଷେ ବିଜେଡିର ଯୁକ୍ତି ଯାହା ବିସ୍ଫୋରଣ ହେବା କଥା ୨୪ ନିର୍ବାଚନରେ ହୋଇସାରିଛି। ଏବେ ସେମାନେ ବିଜେଡି ନେତାଙ୍କୁ ଆମଦାନୀ କରି ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ସେଥିରେ ସଫଳ ହେବନି ବିଜେପି। କଂଗ୍ରେସ କହିଛି ଦୁହେଁ ପାଦରେ ପାଦ ମିଶାଇ ଚାଲୁଥିଲେ। ଆଉ ଏବେ ବିଜେଡି ରାଜ୍ୟସଭା ସାଂସଦଙ୍କ ଇସ୍ତଫା ଅଲଗା ଦିଗକୁ ଇସାରା କରୁଛି।
ମମତା ମହନ୍ତ ଇସ୍ତଫା ଦେବା ପରେ ରାଜ୍ୟର ୧୦ ରାଜ୍ୟସଭା ସିଟ୍ରୁ ଗୋଟିଏ ସିଟ୍ ଖାଲି ପଡିଲା। ଅନ୍ୟପଟେ ବିଜେଡି ସାଂସଦ ତାଲିକା ୯ ରୁ ୮କୁ ଖସିଛି । ଏବେ ବିଜେଡି ବିରୋଧୀ ଦଳରେ ଥିବାରୁ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ରାଜ୍ୟସଭାର ଏହି ଖାଲି ସିଟ୍ ବିଜେପି ଖାତାକୁ ଯିବ । ନିର୍ବାଚନ ପୂର୍ବରୁ ଜଣକ ପରେ ଜଣେ ଅନୁଭବୀ ନେତା ବିଜେଡି ଛାଡିଥିଲେ । ଆଉ ଏବେ ରାଜ୍ୟସଭା ସାଂସଦ ଦଳ ଛାଡିବା ବିଜେଡି ଗଡ ଭୁଶୁଡିବାର ଅୟମାରମ୍ଭ ନୁହେଁ ତ ? ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେପି ନିଜ ସ୍ଥିତିକୁ ମଜବୁତ କରୁଥିବାବେଳେ ବିଜେଡି କିନ୍ତୁ ଏହାକୁ ସାମ୍ନା କରିବାକୁ ଏକପ୍ରକାର ଅକ୍ଷମ ଭଳି ମନେ ହେଉଛି।
ସେପଟେ ଗୋଟିଏ ରାଜ୍ୟସଭା ସିଟ୍ ଖାଲି ପଡିବା ପରେ ଆଶାୟୀଙ୍କୁ ନେଇ ଚର୍ଚ୍ଚା ଜୋର। ରେସ୍ରେ ସବୁଠୁ ଆଗରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେହିପରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଗତ ନିର୍ବାଚନରେ ଟିକେଟ ପାଇନଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ କୁ ନେଇ ବି ଚର୍ଚ୍ଚା ଅଧିକ। ଏହା ବାଦ ଦଳ ସରପ୍ରାଇଜ କାର୍ଡ ବି ଖେଳିପାରେ। ଏପରିକି ନିଜେ ମମତା ବି ବିଜେପିରୁ ରିପିଟ୍ ହୋଇପାରନ୍ତି। ତେବେ କାହା ନାଁ ରେ କେନ୍ଦ୍ରୀୟ କମିଟି ମୋହର ମାରୁଛି ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)