• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଉତ୍ତର ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। କାଲି ଏହା ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ। ଏହା ସହ ସମୁଦ୍ର ଅଶାନ୍ତ ହୋଇଉଠିବ।

ପାଣିପାଗ ବିଭାଗ କହିଛି ଯେ ଲଘୁଚାପ, ଅବପାତର ରୂପ ନେବା ପରେ କାଲିଠୁ ୨ଦିନ ଧରି ରାଜ୍ୟବ୍ୟାପି ବର୍ଷା ଲାଗିରହିବ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ରହିଛି ବର୍ଷା ବିପଦ। ସ୍ଥିତିକୁ ଦେଖି କାଲି ସକାଳ ସୁଦ୍ଧା ୭ଟି ଜିଲ୍ଲାକୁ ରେଡ୍, ୧୬ ଜିଲ୍ଲାକୁ ଅରେଞ୍ଜ୍‌ ଓ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆସନ୍ତାକାଲିଠାରୁ ସୋମବାର ସକାଳ ଯାଏଁ ୧୦ଟି ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ୍‌ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ୧୫ ତାରିଖ ଯାଏଁ ସାରା ରାଜ୍ୟରେ ନିର୍ଦ୍ଧୁମ ବର୍ଷିବ। ଏଥିରେ କଚ୍ଚା ଘର, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ହେବାର ଆଶଙ୍କା ରହିଛି। ଅକସ୍ମାତ ବନ୍ୟା ବା ଫ୍ଳାସ୍ ଫ୍ଳଡ୍ ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ସତର୍କ କରାଇଦେଇଛି ପାଣିପାଗ ବିଭାଗ।

ତେବେ ସକ୍ରିୟ ମୌସୁମୀ ଏବଂ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଦିନତମାମ ବର୍ଷା ହେଉଛି। ଫଳରେ ପ୍ରଭାବିତ ହୋଇଛି ଜନଜୀବନ। ତୁହାକୁ ତୁହା ବର୍ଷା ଯୋଗୁଁ ଜଳବନ୍ଦୀ ହୋଇରହିଛନ୍ତି କନ୍ଧମାଳ ଚକାପାଦର ବ୍ୟାଙ୍କ୍‌ ସାହି ବାସିନ୍ଦା। ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି। ରାଇପଦା-ଜୁଇଖୋଲ ଗାଁକୁ ସଂଯୋଗ କରୁଥିବା କାଠ ପୋଲକୁ ବଢ଼ି ପାଣି ଭସାଇନେଇଛି।

ବାଲେଶ୍ୱର ବଡପାଳ ପଛାୟତ କାକବୋରାଇ ଗାଁରେ ତ ଜଳବନ୍ଦୀ ହୋଇରହିଛି ବି.ୟୁ.ଏସ୍. ବିଦ୍ୟାପୀଠ। ଫଳରେ ୨ ଦିନ ହେବ ଠପ୍ ହୋଇଯାଇଛି ପାଠପଢା। ଲଗାଣ ବର୍ଷାରେ ହରଭଙ୍ଗି ନଦୀରେ ବଢ଼ି ପାଣି ଆସି ଅସ୍ଥାୟୀ ପୋଲ ଭାସିଯିବା ପରେ ବିଛିନ୍ନ ହୋଇଯାଇଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୪ଟି ଗାଁ। କଲେଜ ଯାଇ ଆଉ ଘରକୁ ଫେରିପାରୁ ନାହାଁନ୍ତି ଛାତ୍ରଛାତ୍ରୀ।

ସେପଟେ କାଠଯୋଡ଼ି ଏବଂ ମହାନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଚିନ୍ତା। ସମ୍ଭାବ୍ୟ ସ୍ଥିତିକୁ ଦେଖି କଟକ ଜିଲ୍ଲାରେ ୫୩୬ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ୨୫ଟି ମୋଟର ବୋଟ୍ ପ୍ରସ୍ତୁତ ରଖାଯାଇଛି। ଏପଟେ ଭଦ୍ରକ ଆଖୁଆପଦାଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି।

ସେହିପରି ବାଲେଶ୍ୱର ଜଳେଶ୍ୱର ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଥାନୀରେ ବିପଦ ସଂକେତ ଉପରେ ରହିଛି। କିନ୍ତୁ ବାଲେଶ୍ୱର ଜଳସଂପଦ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ଜଳକାକୁ ନେଇ ଏବେ ବିପଦ ନାହିଁ।

ବର୍ଷା ପାଇଁ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ୬ ଜଣ ଯନ୍ତ୍ରୀଙ୍କୁ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।