• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୀରାକୁଦକୁ ଜଳପ୍ରବେଶ କମିବା ପରେ ମହାନଦୀ ଜଳସ୍ତର ଖସୁଛି । ହେଲେ ତଳି ଅଞ୍ଚଳରେ ବନ୍ୟା କିନ୍ତୁ ଆଜି ବି କରାଳ ରୂପ ଧରି ବହୁଛି । କଟକ ଜିଲ୍ଲା ବାଙ୍କୀ, ଆଠଗଡ଼ ଓ ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗରେ ତ ଅସମ୍ଭାଳ ସ୍ଥିତି । କେଉଁଠି ୩ ଦିନ ତ କେଉଁଠି ୫-୬ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଲକ୍ଷ ଲକ୍ଷ ଲୋକ । ସମୟ ଯେତିକି ବଢୁଛି ଦୁର୍ଦ୍ଦଶା ସେତିକି ବଢ଼ିଚାଲିଛି । ଚୁଲିଚାଳ ବୁଡ଼ିଥିବାରୁ ଭୋକ ଉପାସରେ ବିପନ୍ନ ।

ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗରେ ବନ୍ୟାର କରାଳ କାୟା । ବର୍ଣ୍ଣନାର ଆବଶ୍ୟକତା ନାହିଁ । ନଈ ନିର୍ଦ୍ଦୟ ହେବା ପରଠୁ ଏଠି କେମିତି ବଞ୍ଚିଛି ଜୀବନ, ତାହା ଖାଲି ଆଖିରେ ସ୍ପଷ୍ଟ ବାରି ହେଉଛି । ଲୋକଙ୍କ ଦୁର୍ଦ୍ଦଶା ପରଖିବାକୁ ଆମ ଟିମ୍‌ ମହାନଦୀ ଘାଇ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ତେରମାଣପୁର ପହଞ୍ଚିବା ବେଳକୁ ଆଜି ବି ଉବୁଟୁବୁ ହେଉଥିଲା ପୁରା ଅଞ୍ଚଳ । ଆଉ ଘର ସବୁ ଅଧା ବୁଡିଯିବା ପରଠୁ ଦୁଇ ଦିନ ଧରି ଭୋକ ଉପାସରେ ଥିବା ବିପନ୍ନ, ଦଉଡ଼ି ସାହାରାରେ ପାଣି କାଟି ଆସୁଥିଲେ ରନ୍ଧାଖାଦ୍ୟ ମିଳୁଥିବା ସ୍ଥାନକୁ । ଏମିତି କିଛି ଦୃଶ୍ୟ ଆଜି ଦେଖିଥିଲା ଆମ ଟିମ୍‌ ।ହେଲେ ଏବେ ବି ଅନେକ ଲୋକ ଭୋକରେ ଦିନ କାଟୁଛନ୍ତି ।

ବଢ଼ିରେ ବୁଡ଼ିଯାଇଛି ସାହାରାଡିହା ଅଞ୍ଚଳ । ଆଉ ଉଜୁଡ଼ିଯାଇଛି ଚାଷବାସ । ତେଣୁ ଲୋକେ ଏହାରି ଭିତରେ ବନ୍ୟା ମୁହଁରୁ ବର୍ତ୍ତି ଯାଇଥିବା ବର୍ଷକର ଖାଦ୍ୟ ଧାନକୁ ପାଣିରୁ ଛାଣି ଛାତ ଉପରେ ଶୁଖେଇବାର ବ୍ୟବସ୍ଥା କରୁଛନ୍ତି । ଅନ୍ୟପଟେ ଲୋକେ କିଛି ଉପାୟ ନପାଇ ଛାତ ଉପରେ ବାନ୍ଧିଛନ୍ତି ଗୋରୁ । ଆଉ ଏରୁଣ୍ଡି ତଳକୁ ପାଣି ଟିକେ ଖସିବା ପରେ ଆଶାର ଚୁଲି ସଜ କରି ଭଙ୍ଗା ଘର ସଜାଡ଼ିବାରେ ଲାଗିଛନ୍ତି । ଦୁର୍ଦ୍ଦଶାର ଯାହା ବି ଥିଲା କିଛି କମ୍ ନଥିଲା । ହେଲେ ପ୍ରଶାସନିକ ଉଦାସୀନତା ନେଇ ଏବେ ଲୋକଙ୍କ ପାଖରେ ଅଭିଯୋଗର ଲମ୍ବା ତାଲିକା ।

ମହାନଦୀ ବନ୍ୟାରେ ୫ ଦିନ ଧରି ବୁଡ଼ିଥିବା କଟକ ବାଙ୍କୀ ଅଞ୍ଚଳର କଥା ନକହିବା ଭଲ । ଗତକାଲି ତୁଳନାରେ ପାଣି ଆଜି ସାମାନ୍ୟ କମିଛି ସତ, ହେଲେ ଚିତ୍ର କିନ୍ତୁ ପାଖାପାଖି ସେୟା । ବାଙ୍କୀ, ଡମପଡ଼ା ବ୍ଲକ୍‌ର ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଚାଷ ବୁଡ଼ିଛି, ବାସ ବୁଡ଼ିଛି । ଉଜୁଡ଼ି ଯାଇଛି ବହୁ ପରିବାରର ଯେତେ ସବୁ ସ୍ୱପ୍ନ ସମ୍ଭାବନା । ଯାହାର ପକ୍କା ଘର ସିଏ କଷ୍ଟ ମଷ୍ଟେ ଛାତ ଉପରେ ଟେଣ୍ଡ ବାନ୍ଧି ପାଣି ଛାଡ଼ିବାକୁ ଅପେକ୍ଷା କରି ବସିଛନ୍ତି । ଆଉ ଯାହାର ଚାଳ ଘର ବୁଡ଼ିଛି, ସିଏ ରାସ୍ତା ଉପରେ ପଲା ବାନ୍ଧି ପଡ଼ିଛି । ବଡ଼ କଷ୍ଟରେ କିଏ ଭାତ ମୁଠେ ରାନ୍ଧି ଖାଉଛି ତ କିଏ ପଖାଳ ସାଙ୍ଗକୁ ଲେମ୍ବୁ ପିଆଜ ଲଗେଇ ଭୋକ ମାରୁଛି ତ ପୁଣି କିଏ ସରକାରୀ ହାତଟେକାକୁ ଚାହିଁଛି ।

ସେହିଭଳି ଆଠଗଡ଼ ଅଞ୍ଚଳର ସ୍ଥିତି ମଧ୍ୟ ସାଂଘାତିକ । ଏଠି ବି ସେଇ ସମାନ ସ୍ଥିତି, ସମାନ ଦୁର୍ଦ୍ଦଶା । ବନ୍ୟା ଆସିବାର ୪-୫ ଦିନ ପରେ ବି ଏବେ ପାଣିରେ ବୁଡ଼ିଛି ବହୁ ଗାଁ ଗଣ୍ଡା, ଘରଦ୍ୱାର, ରାସ୍ତାଘାଟ । ଆଗକୁ ପୁଣି ବର୍ଷା ଆସୁଥିବାରୁ ଏ ସ୍ଥିତିରୁ କେବେ ମୁକ୍ତି ମିଳିବ ସେ ଉତ୍ତର କାହା ପାଖରେ ନାହିଁ । ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକ୍‌ର ଅନେକ ଗାଁରେ ଏବେ ନାହିଁ ନଥିବା ଅବସ୍ଥା । 
କିଛି ସ୍ଥାନରେ ବିପନ୍ନଙ୍କ ପାଖରେ ପ୍ରଶାସନ ପହଞ୍ଚି ରିଲିଫ୍ ଓ ରନ୍ଧାଖାଦ୍ୟ ଦେଇଛି । ହେଲେ ଏବେ ବି ବହୁ ଗାଁ ଅପହଞ୍ଚ ହୋଇ ରହିଛି । ଉପରମୁଣ୍ଡରେ ପାଣି କମୁଥିଲେ ବି ଦୁର୍ଦ୍ଦଶା କିନ୍ତୁ ବଢ଼ିଚାଲିଛି ।