• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ ସିନା ଦୁର୍ବଳ ହୋଇଗଲା କିନ୍ତୁ ଚାଷ ଉପରେ ପଡ଼ିଛି ଏହାର ଜବରଦସ୍ତ ପ୍ରଭାବ । ଦକ୍ଷିଣ ଓଡ଼ିଶାରୁ ଉପକୂଳ ଓ ଉତ୍ତର ଓଡ଼ିଶା ଯାଏଁ ଉଜାଡ଼ି`ଦେଇଛି ଚାଷୀର ବର୍ଷକର ଦାନାପାଣି । କୋହଲା ପବନ ସାଙ୍ଗକୁ ଗତକାଲିଠୁ ତୁହାକୁ ତୁହା ବର୍ଷା ମାଡ଼ରେ କ୍ଷେତରେ ବତୁରିଯାଇଛି ଅମଳ ଧାନ ।

ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା । ଏବେ ଫସଲ ଜଳବନ୍ଦୀ । ସୁଅ କାଟି ଭାସିଯାଉଥିବା ଅଣ୍ଟାଏ ପାଣି ସହ ଭାସିଯାଉଛି ଚାଷୀର ପରିଶ୍ରମର ଫଳ । ପାଣି ଭିତରୁ ଯାହା ମିଳିବ ତାକୁ ସାଉଣ୍ଟିବା ଲାଗି ଚାଲିଛି ପ୍ରୟାସ ।

କେନ୍ଦ୍ରାପଡ଼ା ନାଗପୁରାର ରମେଶ ଚନ୍ଦ୍ର ମହାନ୍ତି କୁହନ୍ତି, ଧାରକରଜ କରି ଧାନଚାଷ କରିଥିଲେ ୬ ଏକର ଜମିରେ । ଦିନ କେଇଟା ପରେ ଅମଳ ହୋଇଥାନ୍ତା । ହେଲେ ଆହାର ଉପରେ ପାହାର ପକାଇଛି ବର୍ଷା । କ୍ଷେତ ମଝିରେ ପାଣି ଛୁଟୁଛି । ଅନବରତ ଚେଷ୍ଟା କରୁଛନ୍ତି ଚାଷ ବଞ୍ଚାଇବାକୁ ହେଲେ ସବୁ ଚେଷ୍ଟା ଫେଲ୍ । ଜିଲ୍ଲାର ଅଧିକାଂଶ ବ୍ଲକରେ ଉଜୁଡ଼ିଯାଇଛି ଫସଲ । ଦକ୍ଷିଣଠୁ ଉପକୂଳ, ଯୁଆଡ଼େ ଚାହିଁବେ କେବଳ ଫସଲହାନୀର ଚିତ୍ର । ଗଞ୍ଜାମରୁ ପୁରୀ, ଭଦ୍ରକରୁ ବାଲେଶ୍ୱର, ଜଗତସିଂପୁରରୁ ମୟୁରଭଞ୍ଜ । ସବୁ ଜିଲ୍ଲାରେ ଚାଷୀର ବର୍ଷକର ଦାନାପାଣି ଛଡ଼ାଇ ନେଇଛି ଜୱାଦ ।

କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଉଜୁଡ଼ି ଯାଇଥିବା ପରିବା ଚାଷକୁ ଦେଖିଲେ ଭାଙ୍ଗିଯାଉଛି ଚାଷୀର ଦମ୍ଭ । କାରଣ କରଜ କରି ଫଳ ଫଳାଇଥିବା ଚାଷୀ କ୍ଷେତରେ ଏବେ ଛୁଟୁଛି ବର୍ଷା ପାଣି । ତେଣୁ ଅନ୍ନଦାତା ଏବେ ଉପାର୍ଜନ ଆଶା ଛାଡ଼ିଦେଇଛି । ପରିବା ଝୁଡ଼ିର ପରିଚୟ ପାଇଥିବା କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ବି ସମାନ ଦଶା । ପାଣିରେ ବୁଡ଼ିଯାଇଛି ଅମଳକ୍ଷମ ପନିପରିବା । କେମିତି କରଜ ଶୁଝିବେ ଚାଷୀ, ଚିନ୍ତାରେ ପଡ଼ିବା ସହ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ବର୍ଷା ସଂପୂର୍ଣ୍ଣ ଛାଡ଼ିବା ପରେ କ୍ଷୟକ୍ଷତିର ପ୍ରକୃତ ଆକଳନ ହୋଇପାରିବ । ସପ୍ତାହେ ଭିତରେ ଫସଲହାନୀର ଆକଳନ କରି ସହାୟତା ଦିଆଯିବ ବୋଲି କହିଥିଲେ SRC ।