• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏହାକୁ ଇଂରାଜୀରେ ସର୍ଟଫର୍ମରେ କହିଲେ, AI ମଧ୍ୟ କୁହାଯାଏ । ବର୍ତ୍ତମାନ ସମୟରେ AI ଦ୍ୱାରା ଅନେକ କିଛି କାର୍ଯ୍ୟ ସମ୍ଭବ ହେଉଛି । ଛୋଟ ଛୋଟ ଟେକ୍ନିକାଲ ସମସ୍ୟାଠାରୁ ଆରମ୍ଭ କରି ବଡ଼ ବଡ଼ କାମର ତଦାରଖ ପାଇଁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ର ବ୍ୟବହାର କରାଯାଉଛି । ତେବେ ଏହାକୁ ଗୋଟିଏ ପଟେ ସକାରାତ୍ମକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ଅନେକ ଏହାର ଦୁରୁପଯୋଗ ମଧ୍ୟ କରୁଥିବା ଦେଖାଯାଇଛି ।

ସେଥିପାଇଁ AI କଥା ଶୁଣିଲେ ଯେତିକି ଖୁସି ଲାଗୁଛି ସେତିକି ଭୟ ବି ଲାଗିଲାଣି । କାରଣ ଏବେ ସବୁ କାମ AI କରିବ ବୋଲି କୁହାଯାଉଛି । ତେବେ ଆପଣ ଏଇ କିଛି ଦିନ AIକୁ ନେଇ ଅନେକ କିଛି ଖବର ପଢ଼ିଥିବେ । ହେଲେ ଆପଣ ଏହି କଥା ଶୁଣିଛନ୍ତି କି, ଏବେ AI ଆପଣଙ୍କ ମନ କଥା ବୁଝିପାରିବ । ଆପଣ ମନରେ କ’ଣ ଭାବୁଛନ୍ତି ତାହା AI ଜାଣିପାରିବ । ଆଉ ଆପଣଙ୍କୁ ମଧ୍ୟ ଜଣେଇବ । ତେଣୁ ସାବଧାନ । 

ତେବେ ଏହାକୁ ସଫଳତା ପୂର୍ବକ ପ୍ରମାଣିତ କରି ଦେଖାଇଛନ୍ତି ଅସ୍ଟିନ୍‌ ସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ । ରିପୋର୍ଟ ଅନୁଯାୟୀ, ଜଣେ ମଣିଷ ମନରେ କ’ଣ ଭାବୁଛି ବା କ’ଣ ଚିନ୍ତା କରୁଛି ତାକୁ ଅକ୍ଷରରେ ପ୍ରକାଶ କରିବ AI । ତେବେ ଏହି AIକୁ ପ୍ରସ୍ତୁତ କରିବା ପଛରେ କମ୍ପ୍ୟୁଟର ସାଇନ୍‌ସର ଡାକ୍ତରୀ ଛାତ୍ର ଜେରୀ ଟାଙ୍ଗ ଓ ନ୍ୟୁରୋ ସାଇନ୍‌ସ ଏବଂ କମ୍ପ୍ୟୁଟର ସାଇନ୍‌ସର ଆସିଷ୍ଟାଣ୍ଟ ପ୍ରଫେସର ଆଲକ୍ସ ହୁଥ୍‌ଙ୍କ ବଡ଼ ହାତ ରହିଛି । ସେମାନେ କହିଛନ୍ତି ଏହା ବିଶ୍ୱକୁ ଏକ ନୂଆ ଦିଗ ଦେଖାଇବ ।

ମଣିଷ ଚିନ୍ତାଧାରାକୁ ଅକ୍ଷରରେ ପ୍ରକାଶ କରିବ AI

ବୈଜ୍ଞାନିକମାନେ ଫଙ୍କ୍‌ସନାଲ ମ୍ୟାଗ୍ନେଟିକ୍‌ ରିଜୋନାନ୍ସ ଇମେଜିଂ (fMRI) ମେସିନ୍‌କୁ ବ୍ୟବହାର କରି ତିନି ଜଣ ମଣିଷଙ୍କ ମୁଣ୍ଡରେ କ’ଣ ଚାଲିଛି ତାକୁ ରେକର୍ଡ କରିଥିଲେ । ପ୍ରଥମେ ସେହି ତିନି ଜଣଙ୍କୁ କିଛି କାହାଣୀ ଶୁଣାଯାଇଥିଲା, ପରେ ତାକୁ ଭାବିବା ପାଇଁ କୁହାଯାଇଥିଲା । ଗତ ୧୬ ଘଣ୍ଟା ମଧ୍ୟରେ ସେମାନଙ୍କ ଚାଲିଚଳନ କ’ଣ ରହିଥିଲା ତଥା କାହାଣୀ ବାବଦରେ ସେମାନେ କ’ଣ ଭାବୁଛନ୍ତି, ସେସବୁକୁ ଉକ୍ତ ମେସିନ୍ ଦ୍ୱାରା ରେକର୍ଡ କରାଯାଇଥିଲା । ପରେ ଗବେଷକମାନେ ଜାଣିପାରିଥିଲେ ଯେ, ମଣିଷ କ’ଣ ଭାବୁଛି ତାହା AI ଦ୍ୱାରା ଅକ୍ଷରରେ ପରିବର୍ତ୍ତନ କରିହେବ ।

ଏହାପରେ ଏହି ବିଶେଷଜ୍ଞ ଟିମ୍‌ ତାଲିମପ୍ରାପ୍ତ GPT-AI ମଡେଲ ବ୍ୟବହାର କଲେ ଯାହାକି ChatGPT ସହ ପ୍ରାୟ ସମାନ, ଏହା ମଣିଷର ବ୍ରେନ୍ ଆକ୍ଟିଭିଟିକୁ ପଢ଼ିବା ସହ ତାକୁ ଅକ୍ଷରରେ ପରିଣତ କରି ପ୍ରକାଶ କରିଥାଏ । ତେବେ ଏଥିରେ କିଛି ମାତ୍ରାରେ ଏବେ ବି ତ୍ରୁଟି ରହିଛି । ତାହା ହେଲା, ମଣିଷ ଯାହା ଭାବିଥାଏ ତାହା ଏହି AI ସ୍ପଷ୍ଟ ଭାବେ ପରିପ୍ରକାଶ କରିପାରି ନଥାଏ । କିନ୍ତୁ ମୋଟା ମୋଟି ଭାବେ ଜଣେ ମଣିଷ କ’ଣ ଚିନ୍ତା କରୁଛି ବା ତା ମନରେ କ’ଣ ରହିଛି ତାହା ଜଣାପଡ଼ିଯାଏ । ଅର୍ଥାତ୍‌ ମଣିଷ ଯାହା ଭାବିବ ତାହାର ପାଖାପାଖି ୮୨ ପ୍ରତିଶତ ପର୍ଯ୍ୟନ୍ତ AI ଅକ୍ଷରରେ ପ୍ରକାଶ କରିପାରିବ ।

ଜଣକର ଭାଷଣକୁ ଯଦି AI ଦ୍ୱାରା ଅକ୍ଷରରେ ପ୍ରକାଶ କରିବାକୁ ଯୋଜନା କରାଯାଏ, ତେବେ ପ୍ରାୟ ୭୨ରୁ ୮୨ ପ୍ରତିଶତ ପର୍ଯ୍ୟନ୍ତ ତାହା ସଠିକ୍‌ ରହିବ । କିନ୍ତୁ ଜଣେ ଲୋକ ଯଦି ଭାଷଣକୁ ମନରେ କହିବ ତେବେ ତାକୁ AI ଦ୍ୱାରା ଅକ୍ଷରରେ ପ୍ରକାଶ କରାଗଲେ ତାହା ୪୧ରୁ ୭୪ ପ୍ରତିଶତ ସଠିକ୍‌ ରହିବାର ସମ୍ଭାବନା ରହିଛି । ସେହିଭଳି ଯଦି ସାଇଲେଣ୍ଟ ଫିଲ୍ମର ସଂଳାପକୁ AI ଦ୍ୱାରା ଅକ୍ଷରରେ ପ୍ରକାଶ କରାଯାଏ ତେବେ ତାହା ୨୧ରୁ ୪୫ ପ୍ରତିଶତ ସଠିକ୍‌ ରହିବ ।