• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲ ଛାତ୍ର ହାତରେ ଶିକ୍ଷକଙ୍କ ମୃତ୍ୟୁ । କେବଳ ଶିକ୍ଷକ ନୁହଁନ୍ତି, ସିକ୍ୟୁରିଟି ଗାର୍ଡଙ୍କଠାରୁ ଆରମ୍ଭ କରି ପ୍ରାୟ ୯ ଜଣଙ୍କୁ ହତ୍ୟା କରିଛି ଜଣେ ୧୪ ବର୍ଷର ନାବାଳକ । ଏଭଳି ଏକ ନାରକୀୟ କାଣ୍ଡ ଘଟିଛି ସର୍ବିଆରେ । ଅଚାନକ ଶ୍ରେଣୀ ଗୃହରେ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ୧୪ ବର୍ଷର ଜଣେ ବାଳକ ବନ୍ଧୁକ କାଢ଼ି ଶିକ୍ଷକଙ୍କ ଉପରେ ଗୁଳି ଚଳାଇଥିଲା ।

ଶିକ୍ଷକଙ୍କୁ ଗୁଳି କରିବା ପରେ ସେ ଆଉ ଚୁପ୍ ବସିନଥିଲା । ତାପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କଲା । ଯାହାକୁ ଦେଖିଲା ତାକୁ ଗୁଳି କଲା । ତା’ରି ଗୁଳିରେ କିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ଲାସ୍‌ ରୁମ୍‌ରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିବା ପରେ କୋହଭରା କଣ୍ଠରେ ଛାତି ଥରା ଅନୁଭବ ବଖାଣିଛନ୍ତି । ତେବେ ସ୍ଥାନୀୟ ମେୟରଙ୍କ କହିବାନୁଯାୟୀ, ଶିକ୍ଷକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଅହରହ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସ୍ପଷ୍ଟ ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ୮ ଜଣ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି ।

ଖାଲି ସେତିକି ନୁହେଁ ଏହି ଘଟଣାରେ ୬ ଜଣ ଛାତ୍ର ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଳିକାଣ୍ଡ ଭିଆଇଥିବା ୭ମ ଶ୍ରେଣୀର ଛାତ୍ର ଜଣଙ୍କୁ ପୋଲିସ ଗିରଫ କରିଛି । କିଛି ଛାତ୍ରଛାତ୍ରୀ କହିଛନ୍ତି ଯେ, ଗୁଳିକାଣ୍ଡ ଭିଆଇଥିବା ଛାତ୍ର ଜଣକ ଖୁବ୍‌ ଧିର ସ୍ଥିର ଏବଂ ଭଲ ପିଲା ଥିଲା । ସେ ନୂଆ କରି ଏହି କ୍ଲାସ୍‌ରେ ସାମିଲ ହୋଇଥିଲା ।

ବର୍ତ୍ତମାନ ସ୍କୁଲ ଭିତରେ ପରିସ୍ଥିତି ଉତ୍ତେଜନା ମୂଳକ ରହିଛି । ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ହେଲ୍‌ମେଟ୍‌ ପିନ୍ଧା ପୋଲିସମାନେ ସ୍କୁଲକୁ ଘେରି ରହିଛନ୍ତି । ତେବେ ଏଭଳି ଗୁଳିକାଣ୍ଡ ସର୍ବିଆ ଭଳି ଦେଶରେ ଖୁବ୍ କମ୍‌ ଦେଖିବାକୁ ମିଳେ । କାରଣ ଏଠାରେ ବନ୍ଧୁକ ରଖିବା ବେଆଇନ୍ ।