/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745773055.jpg)
ଲକ୍ଷେ କୋଟିର ଶିଳ୍ପ ଆସୁଛି ।
ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବା ସହ ବିଜେଡିକୁ କଲେ ଟାର୍ଗେଟ । ସମ୍ବଲପୁର ପରେ ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ବ୍ରହ୍ମପୁରକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ।
ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଆପଣମାନଙ୍କ ଦାବି ଓ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁର ଆସିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗଞ୍ଜାମ ଜିଲ୍ଲାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ଶିଳ୍ପ ।
ଆଜି ପ୍ରଥମେ ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଯୋଗ ଦେଇ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ପାତ୍ରପୁର ବ୍ଲକର ଭୀମପୁର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ହେବ । ଯେଉଁଠି ସମସ୍ତ ପ୍ରକାର ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି, 'ଫାଇଭ୍-ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରି ଡିଜିଟାଲ୍ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ ।' ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)