• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୂର୍ଯ୍ୟ... ସକଳ ଶକ୍ତିର ଆଧାର... ସୌର ଜଗତର କେନ୍ଦ୍ରବିନ୍ଦୁ। ପ୍ରାୟ ୪୫୦ କୋଟି ବର୍ଷ ତଳୁ ଅନବରତ ଜଳୁଥିବା ଏହି ଅଗ୍ନିପିଣ୍ଡ ଏତେ ବିଶାଳ ଯେ, ଏହା ଭିତରେ ରହିପାରିବ ୧୩ ଲକ୍ଷଟି ପୃଥିବୀ। ଆମଠୁ ୧୫ କୋଟି କିଲୋମିଟର ଦୂରରେ ଥିଲେ ବି, ସୂର୍ଯ୍ୟାଲୋକ ବିନା ପୃଥିବୀରେ ଜୀବସତ୍ତାର ଅସ୍ତିତ୍ୱ ହିଁ ନାହିଁ। ହେଲେ ଏବେବି ଆମକୁ ଅଜଣା ସୂର୍ଯ୍ୟର ଅନେକ ରହସ୍ୟ। ଯାହାକୁ ଭେଦିବାକୁ ପ୍ରାୟ ୬ ଦଶନ୍ଧି ତଳେ ସୌର ଅଭିଯାନ ଆରମ୍ଭ କରିଥିଲା ମଣିଷ।

୧୯୬୦ରେ ଆମେରିକାର ନାସା ପ୍ରଥମେ ପଠାଇଥିଲା ପାୟୋନିୟର-5। ବର୍ତ୍ତମାନ ସୁଦ୍ଧା ଆମେରିକା, ଜର୍ମାନୀ ଓ ୟୁରୋପୀୟ ସଂଘ ମୋଟ ୨୨ଟି ସୂର୍ଯ୍ୟ ମିଶନ୍ ପଠାଇଥିବା ବେଳେ, ଆଜି ଏହି ତାଲିକାରେ ଯୋଡ଼ି

ହୋଇଛି ଭାରତ। ତେବେ ଏଦିଗରେ ଆମେରିକା ଅଛି ସବୁଠୁ ଆଗରେ। ଆମେରିକା ସୂର୍ଯ୍ୟ ଆଡ଼କୁ ୧୪ଟି ମହାକାଶଯାନ ପଠାଇଥିବା ବେଳେ, ଏବେବି କାର୍ଯ୍ୟରତ ଅଛି ୨୦୧୮ରେ ପ୍ରେରିତ 'ପାର୍କର୍ ସୋଲାର ପ୍ରୋବ୍'। ସୂର୍ଯ୍ୟର ସବୁଠୁ ପାଖକୁ ଯାଇଥିବା ଏହି ଯନ୍ତ୍ର ୨୦୨୫ ସୁଦ୍ଧା ସୂର୍ଯ୍ୟକୁ ଛୁଇଁବା ପାଇଁ ଚେଷ୍ଟା କରିବ। ସେତେବେଳେ ସୂର୍ଯ୍ୟଠୁ ଏହାର ଦୂରତା ଥିବ ମାତ୍ର ୭୦ ଲକ୍ଷ କିଲୋମିଟର।

ସୂର୍ଯ୍ୟରେ ଉଦଜାନ ଅହରହ ହିଲିୟମରେ ପରିଣତ ହେଉଥାଏ। ସେଥିରୁ ବାହାରେ ଅଜସ୍ର ଆଲୋକ, ଉତ୍ତାପ, ବିଦ୍ୟୁତ ଚୁମ୍ବକୀୟ ଶକ୍ତି ଓ ଚାର୍ଜ କଣିକା। ସୂର୍ଯ୍ୟର କୋର୍ ବା କେନ୍ଦ୍ରସ୍ଥଳର ତାପମାତ୍ରା ଦେଢ଼କୋଟି ଡିଗ୍ରୀ ସେଲସିୟସ। ତେବେ ୪୫୦ କୋଟି ବର୍ଷ ହେଲା ସେଠାରେ ତାପମାତ୍ରା କମୁନି କେମିତି? ସୌର ପବନ ବେଳେ ବେଳେ ଝଡ଼ର ରୂପ ନିଏ କାହିଁକି?

ଖାଲିଆଖିରେ ଦେଖାଯାଉଥିବା ସୂର୍ଯ୍ୟର ବାହ୍ୟ ପରସ୍ତ ଫଟୋସ୍ଫିୟର ଠାରୁ ତାକୁ ଘୋଡ଼ାଇ ରଖିଥିବା ସ୍ୱଚ୍ଛ କରୋନା ମଣ୍ଡଳ କାହିଁକି ୩ଶହ ଗୁଣ ଉତ୍ତପ୍ତ? ପ୍ରତି ୧୧ ବର୍ଷରେ ସୂର୍ଯ୍ୟର ଚୁମ୍ବକୀୟ ମେରୁ ଓଲଟିଯାଉଥିବା ବେଳେ, ଏହି ସୌରଚକ୍ରର ସଠିକ୍ ସମୟ ଓ ତୀବ୍ରତା କିପରି ନିରୂପଣ କରାଯିବ? ଏସବୁ କଥା ଏବେବି ରହସ୍ୟଘେରରେ ରହିଛି।