Advertisment

Dissent Intensifies in BJD: ବିଜେଡିରେ ବଢ଼ୁଛି ବିଦ୍ରୋହର ବହ୍ନି, ଆକ୍ସନକୁ ଆଉ ଡରୁନାହାନ୍ତି ନେତା

ଯଦି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କିଛି ସାଙ୍କେତିକ ବାର୍ତ୍ତା ଦେବାକୁ ଚାହାନ୍ତି, ତେବେ ତାହା ଯେ ଅନ୍ୟମାନଙ୍କ ମନରେ ସେମିତି କିଛି ଭୟ ସଂଚାର କରିବ, ସେ ଆଶା ବି ଏବେ କ୍ଷୀଣ । କାରଣ ଦଳର ପ୍ରମୁଖ ନେତାମାନେ ଏବେ ଜାଣିଛନ୍ତି ଯେ ଦଳର ପାଣ୍ଠିରେ ବହୁତ ଅର୍ଥ ନିର୍ବାଚନ ଲଢିବା ପାଇଁ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ରାଜନୈତିକ ବିଚାର ଓ ଆଦର୍ଶ ବୋଲି ସେମିତି କିଛି ନାହିଁ ।

author-image
Akshaya Kumar Sahoo
BJD

BJD

ଓଡ଼ିଶାର ସବୁଠାରୁ ବଡ଼ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (BJD) ଏବେ ନିଜର ସ୍ଥିତି ରକ୍ଷା ପାଇଁ ଲଢ଼େଇ କରୁଥିବା ଦେଖିବାକୁ ମିଳୁଛି । ବିଦ୍ରୋହ ଓ ନେତୃତ୍ୱ ସଙ୍କଟରେ ୨୮ ବର୍ଷର ଏହି ଦଳ ଏକ ପ୍ରକାର ଆଉଟୁପାଉଟୁ ହେଉଛି । ଦୁର୍ବଳ ସ୍ୱାସ୍ଥ୍ୟ ସହିତ ଲଢ଼ୁଥିବା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ତାଙ୍କର ଏକାନ୍ତ ଅନୁଗତ ତଥା କିଛି ଦିନ ପୂର୍ବେ ରାଜନୀତିରୁ ସନ୍ନ୍ୟାସ ନେବା ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିୟାନ ଏବେ ଦଳରେ ପୁଣି ସକ୍ରିୟ ହେବା ଦଳର ବହୁ ପୁରୁଣା ନେତାଙ୍କୁ ଏକ ପ୍ରକାର ଅଶ୍ୱସ୍ତିକର ପରିସ୍ଥିତିରେ ପକାଇଦେଇଛି । ସେମାନେ ଦଳ ଭିତରେ ଅଣନିଃଶ୍ୱାସୀ ଅନୁଭବ କରୁଥିବା ଅନେକ ସମୀକ୍ଷକ ମନେ କରୁଛନ୍ତି ।

Advertisment

ବିଜୁ ଜନତା ଦଳରେ କିଛି ଦିନ ହେବ ଯେଉଁଭଳି ଘଟଣାମାନ ଘଟି ଚାଲିଛି, ତାହାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସାମ୍ନାକୁ ଆସୁଛି, ତାହା ହେଲା ନବୀନଙ୍କ ଠାରୁ ଓ ନବୀନ ନିବାସ ନିକଟରୁ ପୁରୁଣା ନେତାମାନେ ନିଜକୁ ଦୂରେଇ ରଖିବା । ଏହାର ମୁଖ୍ୟ କାରଣ ହେଲା ସେମାନଙ୍କୁ ନବୀନ ନିବାସ ଦାୟିତ୍ୱରେ ରହିଥିବା ନେତାମାନଙ୍କର ସେମିତି ଆଦରଯତ୍ନ ମଳିବା ପରିବେର୍ତ୍ତେ ହତାଦର ଓ ଅବହେଳା ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି । ନବୀନ ସମ୍ ହସ୍ପିଟାଲରେ ଥିବା ବେଳେ ସୌଜନ୍ୟତା ଦୃଷ୍ଟିରୁ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅନ୍ୟନେତାମାନେ ସେମାନଙ୍କୁ ଦେଖିବା ପାଇଁ ଯାଇଥିଲେ । ସେଠାରେ ଶ୍ରୀ ସ୍ୱାଇଁଙ୍କୁ କିଭଳି ସମ୍ମାନ ମିଳିଲା, ତାହା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା ।

ଦିନ ଥିଲା, ନବୀନଙ୍କ ନେତୃତ୍ୱ ଥିଲା ସମସ୍ତ ପ୍ରଶ୍ନର ଉର୍ଦ୍ଧ୍ୱରେ – ସେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ । ତାଙ୍କ ନେତୃତ୍ୱ ନେଇ କାହାର କିଛି ଆପତ୍ତି ନଥିଲା । ତାଙ୍କର କଥା ଓ ହୁକୁମ ବେଦର ଗାର ଠାରୁ କମ୍ ଟାଣ ନଥିଲା । ତାଙ୍କ ବିରୋଧରେ ତୁଣ୍ଡ ଖୋଲିଲେ, ନିମିଷକ ମଧ୍ୟରେ ମୁଣ୍ଡ ଗଡ଼ୁଥିଲା । ଏତେ ପରିମାଣର ମୁଣ୍ଡ ଗଡ଼ିଲା ଯେ ଏବେ ଆଉ ସେହିଭଳି ବଡ଼ ମୁଣ୍ଡ ଗଡ଼ାଇବା ପାଇଁ କେହି ନାହାନ୍ତି । ଯେଉଁମାନେ କିଛି ଅଛନ୍ତି, ସେମାନଙ୍କ ମୁଣ୍ଡ ଗଡ଼ାଇଲେ କିଛି ନାହିଁ ବା ନଗଡ଼ାଇଲେ କିଛି ନାହିଁ । କାରଣ ସେମାନେ ବୟସର ଅପରାହ୍ନରେ ଅବତୀର୍ଣ୍ଣ ଅବା ସେମାନଙ୍କର ସାରା ଓଡ଼ିଶାରେ ସେମିତି କିଛି ପ୍ରଭାବ ନାହିଁ । କିଛି ଦିନ ପୂର୍ବରୁ ରାଜ୍ୟବାସୀ ଦେଖିଥିଲେ କିପରି ଅଧା ଡ଼ଜନ ପାଖାପାଖି ନେତା ନବୀନ ଓ ତାଙ୍କର ଏକାନ୍ତ ବିଶ୍ୱସ୍ତ ଭୈରବ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ବିରୋଧରେ କିପରି ଅସନ୍ତୋଷ ଝାଡ଼ିଥିଲେ । ଏହି ତାଲିକାରେ ଏବେ ନାମ ଲେଖାଇଛନ୍ତି ଶ୍ରୀମୟୀ ମିଶ୍ର ।

Advertisment

ସୋସିଆଲ ମିଡିଆରେ ସେ ଯେଉଁ ‘ଦୁର୍ଯ୍ୟୋଧନ’ ଓ ସନ୍ନ୍ୟାସୀ’ ଛାୟା ଚରିତ୍ରର ଅବତାରଣା କରିଛନ୍ତି, ତାହା ଆଜି ବିଜୁ ଜନତା ଦଳରେ କମ୍ପନ ସୃଷ୍ଟି କରିଛି । ଏହି ଦୁଇ ଛାୟା ଚରିତ୍ର ଯଥାକ୍ରମେ ନବୀନ ଓ ପାଣ୍ଡିୟାନଙ୍କୁ ସୂଚିତ କରୁଛି ବୋଲି ସମୀକ୍ଷକମାନେ ମନେ କରୁଛନ୍ତି । ଶ୍ରୀମୟୀଙ୍କ କଟାକ୍ଷ ବିଜୁ ଜନତା ଦଳର ଛବିକୁ ଯେତିକି କ୍ଷତି ପହଞ୍ଚାଇଛି ବା ନବୀନ ଓ ପାଣ୍ଡିୟାନଙ୍କ ନେତୃତ୍ୱକୁ ଯେଉଁଭଳି କାଠଗଡ଼ାରେ ଛିଡ଼ା କରାଇଛି, ପୂର୍ବରୁ ଏମିତି କେବେ କେହି କରିପାରିବାର ସାହସ ଜୁଟାଇ ପାରିନଥିଲେ । ହେଲେ ତାଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡ଼ି ନେତୃତ୍ୱ ସାହସ କୁଳେଇ ପାରିଲେ ନାହିଁ । ଶୃଙ୍ଖଳା କମିଟି ବସିଲା, ହେଲେ ନିଷ୍ପତ୍ତି ହୋଇପାରିଲା ନାହିଁ । ଅବଶ୍ୟ ଆଗକୁ କାର୍ଯ୍ୟାନୁଷ୍ଠାନ ନହେବ ବୋଲି କହିହେବ ନାହିଁ ।

କଟାକ୍ଷ ମାଧ୍ୟମରେ ଶ୍ରୀମୟୀ ସାଙ୍କେତିକ ଭାବେ ଦେଇଥିବା ବାର୍ତ୍ତା ଠିକ୍ ବୋଲି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିବା ବିଜେଡ଼ିର ବର୍ତ୍ତମାନର ତୁଙ୍ଗ ନେତାମାନଙ୍କ ମୁଣ୍ଡବ୍ୟଥାରେ କାରଣ ହୋଇଛି । ଯଦି ଶ୍ରୀମୟୀଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଲୋକେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବେ । ଶ୍ରୀମୟୀ ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାରେ ବିଜେଡ଼ି ପାଇଁ ବେଶ୍ ପରିଶ୍ରମ କରିଛନ୍ତି । ଗୋଟିଏ ସମୟରେ ସେ ବଲାଙ୍ଗୀରରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ଆଲୋଚନା ହେଉଥିଲା । ହେଲେ ପରିବାରବାଦ ରାଜନୀତିରେ ଅଧିକ ଭରସା କରୁଥିବା ନବୀନ ପଟ୍ଟନାୟକ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁତ୍ର କଳିକେଶ ସିଂଓଦେଓଙ୍କୁ ସେଠାରେ ଟିକେଟ୍ ଦେବାରୁ ତାଙ୍କର ଆଶା ମଉଳିଯାଇଥିଲା । ଏହାପରେ ଭୁବନେଶ୍ୱର ସାଂସଦ ଆସନରୁ ତାଙ୍କୁ ଟିକେଟ୍ ଦିଆଯିବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ରାଜନେତାମାନଙ୍କ ପୁତ୍ରମାନଙ୍କୁ ଏଠି ପୁଣିଥରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ୍ ଦେଇ ତାଙ୍କୁ ଶେଷ ମୁହୂର୍ତ୍ତରେ ଏଥିରୁ ବଞ୍ଚିତ କଲେ ।

ଶ୍ରୀମୟୀଙ୍କ ପ୍ରତି ଅବିଚାର ହୋଇଥିବା କଥା ଦେବାଶିଷ କହିବା ପରେ ବିଜେଡ଼ି ବର୍ତ୍ତମାନ ଟିକିଏ ସତର୍କ ହୋଇ ଗୋଟି ଚଳାଉଥିବା ଜଣାଯାଏ । ବିଜେଡ଼ିର ସତର୍କତା ଦଳର ଦୁର୍ବଳ ସ୍ଥିତିକୁ ସୂଚାଉଛି ବୋଲି ଅନେକ ସମୀକ୍ଷକ ମନେ କରୁଛନ୍ତି ।
ଗଣତନ୍ତ୍ରରେ ରାଜନୈତିକ ଦଳ ଯେତେ ବିକେନ୍ଦ୍ରୀକରଣ ସ୍ଥିତି ଦେଇ ଗତିକରିବ, ଦଳ ସେତିକ ଶକ୍ତ ଓ ମଜବୁତ ରହିବ । ପ୍ରତ୍ୟେକ ନେତା ନିଜର ସାମର୍ଥ୍ୟ ଓ ଯୋଗ୍ୟତା ଅନୁସାରେ ଆଗକୁ ବଢିପାରିବେ । କିନ୍ତୁ ବିଜେଡ଼ିରେ ସମସ୍ତ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ଠୁଳ ହେବା ଏବଂ ପ୍ୟାରୀମୋହନ ମହାପାତ୍ର ଓ ପାଣ୍ଡିୟାନଙ୍କ ଭଳି ଲୋକଙ୍କ ଦ୍ୱାରା ବହୁ କଷ୍ଟ କରି ନିର୍ବାଚିତ ହୋଇଆସିଥିବୋ ନେତାମାନଙ୍କୁ ଅଧସ୍ତନ କର୍ମଚାରୀ ଭଳି ବ୍ୟବହାର ଦେଖାଉଥିଲେ । ଏହା ସେମାନଙ୍କ ମନରେ ଅସନ୍ତୋଷର ବୀଜବପନ କରିବା ସହିତ ସେମାନଙ୍କର ଆଶା ଓ ସ୍ୱପ୍ନକୂ ଚୁରମାର କରିଦେଉଥିଲା ।

ଅନେକ ବରିଷ୍ଠ ନେତା ଯଥା ପ୍ରଫୁଲ ମଲ୍ଲିକ, ଅମର ପ୍ରସାଦ ଶତପଥୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା ଓ ଡକ୍ଟର ଅରୁଣ କୁମାର ସାହୁ ଦଳ ଏକ ପ୍ରକାର ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଥିବା ନେଇ ଇଙ୍ଗିତ କରିଛନ୍ତି । ଏ ସମସ୍ତଙ୍କ ବିରୋଧରେ ନବୀନ କାର୍ଯ୍ୟାନୁଷ୍ଠାନ ନେବା ନବୀନଙ୍କ ପାଇଁ ସେତେ ସହଜ ନୁହେଁ । ଯଦି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କିଛି ସାଙ୍କେତିକ ବାର୍ତ୍ତା ଦେବାକୁ ଚାହାନ୍ତି, ତେବେ ତାହା ଯେ ଅନ୍ୟମାନଙ୍କ ମନରେ ସେମିତି କିଛି ଭୟ ସଂଚାର କରିବ, ସେ ଆଶା ବି ଏବେ କ୍ଷୀଣ । କାରଣ ଦଳର ପ୍ରମୁଖ ନେତାମାନେ ଏବେ ଜାଣିଛନ୍ତି ଯେ ଦଳର ପାଣ୍ଠିରେ ବହୁତ ଅର୍ଥ ନିର୍ବାଚନ ଲଢିବା ପାଇଁ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ରାଜନୈତିକ ବିଚାର ଓ ଆଦର୍ଶ ବୋଲି ସେମିତି କିଛି ନାହିଁ ।
ବିଚାର ତଥା ଆଦର୍ଶ ବିବର୍ଜିତ ଦଳ ପ୍ରତିପକ୍ଷ ସହିତ ଲଢିବା କେବଳ କଷ୍ଟକର ନୁହେଁ, ଦୁଃସାଧ୍ୟ ମଧ୍ୟ । ଦଳକୁ ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଓ ବିଜେଡ଼ି ଦଳର କାର୍ଯ୍ୟଶୈଳୀରେ ନିକଟ ଭବିଷ୍ୟତରେ ସେମିତି କିଛି ପରିବର୍ତ୍ତନ ଆସୁଛି କି ନାହିଁ , ତାହା ଦେଖିବାର କଥା ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ଶଙ୍ଖ ଦଳରେ କିଏ ସେ ସୁପରଲିଡର ? ପରୋକ୍ଷରେ ପାଣ୍ଡିଆନଙ୍କୁ ଜୟନାରାୟଣଙ୍କ ନିଶାନା

Odisha BJD BJP Congress Odisha Politics Biju Janata Dal
Advertisment
Related Articles
Advertisment