• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫ ରାଜ୍ୟର ନିର୍ବାଚନ ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ । ଏକ୍‌ଜାଟ୍‌ ହେଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ । ତେଣୁ ନିର୍ବାଚନ ଫଳାଫଳକୁ ନେଇ କେହି ବି ଆଶ୍ଚର୍ଯ୍ୟ ନୁହଁନ୍ତି । କାରଣ ଦୁଇ ଦିନ ପୂର୍ବରୁ ସବୁ ଏକ୍‌ଜିଟ୍‌ ପୋଲ ସଂସ୍ଥା ପ୍ରାୟ ସମାନ ରିପୋର୍ଟ ଦେଇଥିଲେ । ଏକ୍‌ଜିଟ୍‌ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍‌ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।

କିନ୍ତୁ ଏବେ ପଞ୍ଜାବ ନିର୍ବାଚନ ଫଳାଫଳ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ପଞ୍ଜାବରେ ଥିଲା କଂଗ୍ରେସର ଦବଦବା । ଆଉ ନୂଆ କରି ଏଠାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚରଣଜିତ୍‌ ସିଂହ ଚନ୍ନି । କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ଦଳୀୟ ବିବାଦ କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚନ୍ନି ହୋଇଥିଲେ ମୁଖ୍ୟମନ୍ତ୍ରୀ । ଚନ୍ନିଙ୍କ ବେଶ୍‌ ଭଲ ଲୋକପ୍ରିୟତା ଥିବା ମଧ୍ୟ କୁହାଯାଉଥିଲା । ହେଲେ ଏଥର ନିର୍ବାଚନରେ ଚନ୍ନି ମାରିଲେ ଚିତ୍‌ପଟାଙ୍ଗ । ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ଆସନରୁ ଲଢ଼ୁଥିବା ବେଳେ କୌଣସି ଥରେ ବିଜୟ ହାସଲ କରିପାରି ନାହାନ୍ତି । ଯାହାକି କଂଗ୍ରେସର ମୁଣ୍ଡ ତଳକୁ କରିଦେଇଛି ।

ତେବେ ଚନ୍ନିଙ୍କ ପରାଜୟ ନେଇ ଯେତିକି ଆଲୋଚନା ହେଉଛି, ତା’ଠାରୁ ଅଧିକ ଆଲୋଚନା ଚନ୍ନିଙ୍କୁ ହରାଇଲା କିଏ ? କିଏ ତାଙ୍କ ବିରୋଧରେ ଲଢ଼ୁଥିଲା ? ସେ କ’ଣ ରାଜ୍ୟର ଜଣେ ଲୋକପ୍ରିୟ ନେତା ? ନା ଖୁବ୍‌ ପଇସା ବାଲା ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଏହାର ଉତ୍ତରଟି ହେଲା, ଚନ୍ନିଙ୍କୁ ହରାଇଥିବା ପ୍ରାର୍ଥୀ କୌଣସି ବଡ଼ ନେତା ନୁହଁନ୍ତି କିମ୍ବା ପଇସା ବାଲା ଲୋକ ନୁହଁନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଉଭୟ ଚମକୌର ସାହିବ ଏବଂ ଭଦୌର ବିଧାନସଭା ଆସନରୁ ଲଢ଼ୁଥିଲେ । ଏବଂ ନିର୍ବାଚନ ପୂର୍ବରୁ କହିଥିଲେ ଯଦି ଦୁଇଟି ଯାକ ଆସନରୁ ସେ ଜିତିବେ, ତେବେ ଚମକୌର ସାହିବ ଆସନ ଛାଡ଼ିଦେବେ । ହେଲେ ବିଡ଼ମ୍ବନାର ବିଷୟ ସେ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ତେବେ ଭଦୌର ଆସନରେ ଯିଏ ଚନ୍ନିକୁ ପରାଜିତ କରିଛନ୍ତି ସେ ହେଉଛନ୍ତି ଲାଭ ସିଂହ । ସେ ଜଣେ ସାଧାରଣ ମୋବାଇଲ ରିପ୍ୟାରିଂ ଦୋକାନୀ । ତାଙ୍କ ବାପା ଜଣେ ଦିନ ମଜୁରିଆ ଆଉ ମାଆ ହେଉଛନ୍ତି ସରକାରୀ ସ୍କୁଲର ଜଣେ ସ୍ୱିପର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ । ସମ୍ପତ୍ତି କହିଲେ ଗୋଟିଏ ଦୁଇ ଚକିଆ ହିରୋ ହୋଣ୍ଡା ଗାଡ଼ି । ଆଉ ତାହା ପୁଣି ୮ ବର୍ଷ ପୁରୁଣା । ହେଲେ ଚନ୍ନିଙ୍କୁ ସେ ୩୭ ହଜାର ୫୫୮ ଭୋଟରେ ପରାସ୍ତ କରିଛନ୍ତି । ଆମ୍‌ ଆଦମୀ ପାର୍ଟିରୁ ପ୍ରାର୍ଥୀ ହେବା ପରେ ଲାଭ ସିଂହ କହିଥିଲେ ସେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇ ଇତିହାସ ସୃଷ୍ଟି କରିବେ ।

ଲାଭ ସିଂ ୨୦୧୩ରେ ଜଣେ ଭଲ୍ୟୁଣ୍ଟର ଭାବେ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗ ଦେଇଥିଲେ । ମୋବାଇଲ୍ ରିପ୍ୟାରିଂ କରୁଥିବା ଲାଭ ସିଂହ କହିଥିଲେ ‘ଭଦୌର ବିଧାନସଭା ଆସନ ବିଷୟରେ ଚନ୍ନିଙ୍କ ବିଶେଷ ଜ୍ଞାନ ନାହିଁ । ଏଠାରେ ୭୪ଟି ଗାଁ ଅଛି, ଆଉ ପ୍ରତ୍ୟେକ ଗାଁରେ କ’ଣ ଅସୁବିଧା ରହିଛି ତାହା ମୁଁ ଜାଣିଛି । ମୋ ପାଇଁ ଭଦୌର ନିର୍ବାଚନ ମଣ୍ଡଳୀ ନୁହେଁ, ଏହା ମୋର ପରିବାର । ଚନ୍ନି ସାହେବ ଭଦୌରର ୧୦ଟି ଗାଁ ନାଁ ମଧ୍ୟ କହିପାରିବେ ନାହିଁ । ତାଙ୍କ ପାଇଁ ଭଦୌର କେବଳ ଏକ ନିର୍ବାଚନୀ କ୍ଷେତ୍ର ।