• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ପଷ୍ଟ ହେଲା ଗୋଆର ଚିତ୍ର । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେଲା ବିଜେପି । ଏକାକୀ ବିଜେପିକୁ ମିଳିଲା ୨୦ ସିଟ୍ । ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ଦୂରରେ ବିଜେପି । କଂଗ୍ରେସକୁ ୧୧ ଏବଂ ଆପ୍‌କୁ ମିଳିଛି ୨ଟି ସିଟ୍ ।

ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ । ମହାରାଷ୍ଟ୍ରବାଦୀ ଗୋମୋନ୍ତକ ପାର୍ଟି ଏବଂ ସ୍ୱାଧୀନ ସମର୍ଥନରେ ଦଳ ସରକାର ଗଢିବାକୁ ଅଣ୍ଟା ଭିଡିଥିବା ବେଳେ ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବ ଦେବ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାନକ୍ୱେଲିମ୍ ଆସନରୁ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଧର୍ମେଶ ସାଗଲାନିଙ୍କୁ ୬ଶହ ଭୋଟରେ ମାତ୍ ଦେବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ପ୍ରମୋଦ ସାୱନ୍ତ । ସେପଟେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । ଗୋଆ ଫରୱାର୍ଡ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢୁଥିବା କଂଗ୍ରେସକୁ ମିଳିଛି ୧୧ଟି ସିଟ୍ । ସେହିପରି ଗୋଆରେ ଖାତା ଖୋଲିଛି ଆମ୍ ଆଦମୀ ପାର୍ଟି । ଦଳକୁ ମିଳିଛି ୨ଟି ସିଟ୍ । ସେହିପରି ମହାରାଷ୍ଟ୍ରବାଦୀ ଗୋମୋନ୍ତକ ପାର୍ଟି ୨, ଆରଜିପି ୧ ଏବଂ ଜିଏଫପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

ସେପଟେ ଉତ୍ତରପ୍ରଦେଶରେ ପୁଣି ଯୋଗୀ ରାଜ୍ । ଦୀର୍ଘ ୩୭ ବର୍ଷ ପରେ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ଶାସନ ଗାଦିକୁ ଫେରିଛନ୍ତି କୌଣସି ମୁଖ୍ୟମନ୍ତ୍ରୀ । ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି । ୨୦୧୭ ତୁଳନାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଥିଲେ ବି ବିଜୟଠାରୁ ବହୁ ଦୂରରେ ରହିଯାଇଛି ।

ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଯାହା ସୂଚନା ମିଳିଛି, ୪୦୩ ଆସନ ବିଶିଷ୍ଟ ଦେଶର ଏଇ ବଡ଼ ରାଜ୍ୟରୁ ବିଜେପି ମେଣ୍ଟ ବିପୁଳ ବିଜୟ ସହ ୨୭୪ ଆସନ ଜିତିବାକୁ ଯାଉଥିବା ବେଳେ ସମାଜବାଦୀ ପାର୍ଟି ଓ ଏହାର ମେଣ୍ଟ ୧୨୪ ଆସନ ପାଇବାକୁ ଯାଉଛି । ସବୁଠୁ ଉଲ୍ଲେଖନୀୟ ହେଉଛି ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ ମାତ୍ର ୨ଟି ଆସନ ପାଉଥିବା ବେଳେ ବିଏସ୍‌ପି ଖାତାକୁ ଯାଉଛି ମାତ୍ର ଗୋଟିଏ ଆସନ ।