• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ପୁଣି ତେଜିଲା 'ମହାନଦୀ' ରାଜନୀତି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ । ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମ ଦିନରେ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ବୁଲି ଦେଖିଛି । ତେଣେ ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲକୁ ଯିବାର ନଥିଲା ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟରେ ବି ରାଜନୀତି ତେଜିଛି ।

ଓଡ଼ିଶା-ଛତିଶଗଡ଼ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନର ୫ ବର୍ଷ ପରେ, ପ୍ରଥମ ଥର ପାଇଁ ଟ୍ରିବ୍ୟୁନାଲ୍ ଟିମ୍ କ୍ଷେତ୍ର ପରିଦର୍ଶନରେ ବାହାରିଛି । ଆଜି ଗସ୍ତ ଥିଲା ମହାନଦୀର ଉତ୍ପତ୍ତିସ୍ଥଳ- ଛତିଶଗଡ଼ର କୋଟଶ୍ୱର ଧାମ, ଫାରସିୟା ଓ ସିହାୱାକୁ ଆଦି ଅଞ୍ଚଳକୁ ।

ତେଣେ ଟ୍ରିବ୍ୟୁନାଲ୍ ଟିମ୍ ଫିଲ୍ଡ ସର୍ଭେ ଆରମ୍ଭ କରୁ କରୁ ନିଜ ଆଭିମୁଖ୍ୟକୁ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । କହିଛନ୍ତି ମହାନଦୀ ଛତିଶଗଡ଼ରୁ ବାହାରିଛି, ସବୁ ପାଣି ଓଡ଼ିଶାକୁ ଯାଉଛି । ଆମର ଏଠି କୌଣସି ବନ୍ଧ ନାହିଁ । କେବଳ ୭ଟି ବ୍ୟାରେଜ୍‌କୁ ନେଇ ଏହି ବିବାଦ । ତେବେ ଏହି ମାମଲା ଟ୍ରିବ୍ୟୁନାଲକୁ ଯିବାର ନଥିଲା ବୋଲି କହିଛନ୍ତି ଭୂପେଶ । ମାମଲା ଟ୍ରିବୁନାଲକୁ ଯିବାରୁ ଛତିଶଗଡ଼ରେ ଉଚ୍ଚତର ଡ୍ୟାମ ଓ ବ୍ୟାରେଜ୍ ଯୋଜନା ଅଟକି ରହିଛି । ତେଣୁ ବନ୍ଧ ନିର୍ମାଣ ପାଇଁ ଛତିଶଗଡ଼କୁ ଅନୁମତି ମିଳିବା ଉଚିତ ବୋଲି ସେ ଯୁକ୍ତି ରଖିଛନ୍ତି ।

ଏପଟେ ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଆକ୍ଷେପ କରିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କେବଳ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ମିଛରେ ନାଟକ କରୁଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ପାତରଅନ୍ତର ନୀତି ଆପଣାଉଛି ବୋଲି କହିଛି ବିଜେଡି । 

ମହାନଦୀ ଜଳର ସୁଷମ ଭାଗବଣ୍ଟା ଯେ କେତେ ଗମ୍ଭୀର ପ୍ରସଙ୍ଗ, ତାହା ବୟାନ କରୁଛି ମହାନଦୀର ଶୁଷ୍କ ନଦୀଶଯ୍ୟା । ଏହି ବିବାଦର ସମାଧାନ ପାଇଁ ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଆଜିଠାରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.ଏମ୍. ଖାନୱିଲକରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଛତିଶଗଡ଼ରେ ପରିଦର୍ଶନ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୨୨ ତାରିଖ ପର୍ଯ୍ୟନ୍ତ ମହାନଦୀର ଉତ୍ପତ୍ତିସ୍ଥଳ, ରବିଶଙ୍କର ଡ୍ୟାମ୍, ବଙ୍ଗୋ ଜଳଭଣ୍ଡାର ସମେତ ମହାନଦୀ, ଏହାର ଶାଖା ଓ ଉପନଦୀରେ ଛତିଶଗଡ ନିର୍ମାଣ କରିଥିବା ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରାଯିବ ।

ନିୟମ ଅନୁସାରେ ସେସବୁ ନିର୍ମାଣ ହୋଇଛି ନା ନାହିଁ, ସେସବୁରେ କେତେ ପରିମାଣର ପାଣି ଗଚ୍ଛିତ ରଖାଯାଉଛି, ବର୍ଷା ଓ ଖରା ଦିନରେ ଜଳ ପରିଚାଳନା କିଭଳି କରାଯାଉଛି, ଏସବୁ 
ବିଷୟରେ ଅନୁଧ୍ୟାନ ହେବ । ଛତିଶଗଡ଼ ଓ ଓଡିଶାର ଲିଗାଲ୍ ଏକ୍ସପର୍ଟ ଓ ଅଫିସର୍ ଟିମ୍ ମଧ୍ୟ କ୍ଷେତ୍ର ପରଦର୍ଶନ ବେଳେ ଉପସ୍ଥିତ ରହୁଛନ୍ତି ।