Advertisment

କ୍ୟାମ୍ପସରେ ରାଜନୀତି ତାତି ! ‘ନୂଆ ଓଡ଼ିଶା’ ବନାମ ୟୁଜିସିର ‘ମୋଦି ସେଲ୍ଫି ପଏଣ୍ଟ’

କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ ।

author-image
Satyendu Shekher Mishra
NUA ODISHA NAVEEN ODISHA

NUA ODISHA NAVEEN ODISHA

କ୍ୟାମ୍ପସରେ ନୂଆ ଓଡ଼ିଶା ବନାମ ମୋଦି ସେଲ୍ଫି ପଏଣ୍ଟ । ଆଇୱାଇଡିପି ନାଁ ବଦଳେଇ ନୂଆ-ଓ କଲା ବିଜେଡି ସରକାର । ଏପଟେ ଉଚ୍ଚ ଶିକ୍ଷାନୁଷ୍ଠାନରେ ମୋଦି ସେଲ୍ଫି ପଏଣ୍ଟ ସ୍ଥାପନ ପାଇଁ ୟୁଜିସି ଚିଠି ଫୋକସରେ ଯୁବ ଭୋଟର, ଘନେଇଲା ରାଜନୀତି ।

Advertisment

କଲେଜ କ୍ୟାମ୍ପସରେ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ପାଇଁ ନଭେମ୍ୱରରୁ ଉଚ୍ଚଶିକ୍ଷା ଓ କ୍ରୀଡା ବିଭାଗ ମିଳିତ ଭାବେ ଆରମ୍ଭ କରିଛନ୍ତି, ଇଣ୍ଟିଗ୍ରେଟେଡ ୟୁଥ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ। ସରକାର ପାଣ୍ଠି ବି ପ୍ରଦାନ କରିଛନ୍ତି। କିନ୍ତୁ ହଠାତ ପ୍ରୋଗ୍ରାମ ନାଁ ବଦଳାଇ ନୂତନ ଉନ୍ନତ ଅଭିଳାଶ ଓଡିଶା ବା NUA-O କୁ ପରିବର୍ତ୍ତନ କରାଗଲା। ସବୁ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରିହେଲା।

ହେଲେ କାହିଁକି ଏ ନାଁ ପରିବର୍ତ୍ତନ ? ବିରୋଧୀଙ୍କ ଅଭିଯୋଗ ଆଇୱାଇଡିପିରେ ବୋଧହୁଏ ନବୀନଙ୍କ ବ୍ରାଣ୍ଡିଂ କମିଗଲା। ସେଥିଲାଗି ନବୀନଙ୍କ ନାଁ ଓ ଫଟୋ ଥିବା ନୂଆ ଓକୁ ଏବେ ଶାସକ ଦଳ ବ୍ରାଣ୍ଡିଂ କରୁଛି। ରାଜ୍ୟର ତମାମ କଲେଜ କ୍ୟାମ୍ପସ ଏବେ ନୂଆ ଓ ପୋଷ୍ଟର ବ୍ୟାନରରେ ଛାଇଯାଇଛି। ସେପଟେ ୟୁନିଭରସିଟି ଗ୍ରାଣ୍ଟ କମିଶନ ମୋଦିଙ୍କ ଫଟୋ ସମ୍ବଳିତ ସେଲଫି ପଏଣ୍ଟ ସ୍ଥାପନା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ଚିଠି ଲେଖିଛି। ଯାହାକୁ ନେଇ ରାଜନୀତି ଆହୁରି ତେଜିଛି।

Advertisment

ବିଜେପିର ଯୁକ୍ତି, ନୂଆ ଶିକ୍ଷାନୀତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଲାଗି ମୋଦି ସେଲଫି ପଏଣ୍ଟ ନିଷ୍ପତ୍ତି। କିନ୍ତୁ ବିଜେଡି ସରକାର ନିଜ ରଙ୍ଗରେ କ୍ୟାମ୍ପସକୁ ରଙ୍ଗେଇ ଭୋଟ୍ ପ୍ରଚାର କରୁଛି। ବିଜେଡିର ଜବାବ ହେଲା ଯୁବବର୍ଗଙ୍କୁ ଏକତ୍ରିତ କରିବାକୁ ଏ ଯୋଜନା। ନାଁ ପରିବର୍ତ୍ତନ ସହ ରାଜନୀତିର ସମ୍ପର୍କ ନାହିଁ। ତେବେ କଂଗ୍ରେସ କହିଛି ଲୋକଙ୍କ ଟଙ୍କାରେ ନୂଆ ଓ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ଓ ବିଜେଡି ପ୍ରଚାର ପ୍ରସାରରେ ମାତିଛନ୍ତି।

ଗୁରୁତ୍ୱପୂର୍ଣ୍ଣ ହେଉଛି ଗଲା ୫ ବର୍ଷ ଧରି କଲେଜ ଛାତ୍ର ସଂସଦ ନିର୍ବାଚନ କରାଉନାହାଁନ୍ତି ସରକାର। ଯାହାକୁ ନେଇ ନିକଟରେ ବିଜେଡିରୁ ବିଦା ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଭାଷଣ ବାଣ ମାରିଥିଲେ । ଏପଟେ କଲେଜ ଇଲେକ୍ସନ ବନ୍ଦ କିନ୍ତୁ ଚଳିତ ବର୍ଷଠୁ କ୍ୟାମ୍ପସ କମିଟି ଗଢ଼ି ମେମ୍ବରସିପ୍ ଡ୍ରାଇଭ୍ ଚଳାଇଛି ବିଜେଡି ।

ଆଉ ଏବେ ନୂଆ ଓ’କୁ ଅସ୍ତ୍ରକରି ୨୪ ନିର୍ବାଚନ ପୂର୍ବରୁ ମାହୋଲ ବନାଇବାକୁ ଚାହୁଁଛି ଶାସକ ଦଳ। ହେଲେ ଏପଟେ କିନ୍ତୁ ରାଜ୍ୟର ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖେଳ ପଡିଆ ନାହିଁ। କ୍ଲାସ୍ ରୁମର ବି ଘୋର ଅଭାବ ରହିଛି। ଅଧ୍ୟାପକ ମରୁଡି କଥା କାହାରିକୁ ଅଛପା ନାହିଁ। କିନ୍ତୁ ଭିତ୍ତିଭୂମିର ବିକାଶ ବଦଳରେ କ୍ରୀଡା, ନାଚ- ଗୀତ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ସାଧାରଣ ନିର୍ବାଚନକୁ ୫ମାସ ବାକି ଥିବା ବେଳେ ଏଭଳି କାର୍ଯ୍ୟକ୍ରମ ସବୁ ରାଜନୈତିକ ସ୍ୱାର୍ଥ ଆଡ଼କୁ ଇଙ୍ଗିତ କରୁଛି ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ। 

ନେତୃତ୍ବର ବିକାଶ ଛାତ୍ର ଅବସ୍ଥାରୁ ହିଁ ହୁଏ। କିନ୍ତୁ ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଅନ୍ୟପଟେ ରାଜନୈତିକ ଦଳର କ୍ୟାମ୍ପସ୍ ଆକ୍ଟିଭିଟି ଆଗକୁ ନେତା ତିଆରି କମ୍ ରାଜନୀତିର ଦଳର ଗୋଡ଼ାଣିଆ ହେବାକୁ ପ୍ରଶ୍ରୟ ଦେଉନି କି ।

BJD BJP Congress Odisha Politics
Advertisment
Advertisment