• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ତା’ସହ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ । 

ଏଥିସହ ଆସନ୍ତା ୧୬ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ଏବଂ ୧୫ ତାରିଖରେ ହେବାକୁ ଥିବା ଧନୁ ସଂକ୍ରାନ୍ତି ନେଇ ନୀତିନିର୍ଘଣ୍ଟ କରାଯାଇଛି । ତାସହ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ତେବେ ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ରାତି ୨ଟାରେ ସିଂହଦ୍ୱାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପର୍ଣ୍ଣ ହେବ । ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେପଟେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ତାରିଖରେ ଦିବା ପହୁଡ ହେବନାହିଁ ବୋଲି ମଧ୍ୟ ମୁଖ୍ୟ ପ୍ରଶାସକ କହିଛନ୍ତି । ଆଜି ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଅନୁମୋଦନ ପରେ ପରିଚାଳନା କମିଟିରେ ପାରିତ କରାଯିବ । 

  • Reported by:
  • PRADEEP MAHANTY