/odishatv-khabar/media/post_attachments/uploadimage/library/16_9/16_9_0/Balijatra_1702041254.jpg)
Balijatra
ବାଲିଯାତ୍ରାରେ ମହାଦୁର୍ନୀତି ଅଭିଯୋଗ । ବିରୋଧୀଙ୍କ କଥା ଛାଡ଼ନ୍ତୁ ଖୋଦ୍ ଶାସକ ଦଳର କର୍ପୋରେଟର ମଧ୍ୟ ଦୁର୍ନୀତି ଅଭିଯୋଗ । ଅସ୍ଥାୟୀ ତୋରଣ ହେଉ କି ଲେଜର ଲାଇଟ୍ ଶୋ ସବୁଥିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମେୟର କହିଛନ୍ତି କୌଣସି ଦୁର୍ନୀତି ହୋଇନାହିଁ । ତଦନ୍ତ ପାଇଁ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଦେବା ପରେ ବିଲ୍ ଦିଆଯିବ ।
ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ତୋରଣର ଅଟକଳ ହୋଇଛି ୧୬ ଲକ୍ଷ ଟଙ୍କା । ବେଲଭ୍ୟୁ ଛକ ଓ ତେଲେଙ୍ଗାପେଣ୍ଠ ନିକଟରେ ହୋଇଥିବା ୨ଟି ତୋରଣର ମୂଲ୍ୟ ୩୨ ଲକ୍ଷ ଟଙ୍କା । ସେହିପରି ୯୬ ଲକ୍ଷ ଟଙ୍କା ବ୍ୟୟରେ ସିଏମସି ପକ୍ଷରୁ ଏକ ସଂସ୍ଥାକୁ ବାଲିଯାତ୍ରାରେ ଲେଜର ଶୋ କରିବା ପାଇଁ ଟେଣ୍ଡର ଦିଆଯାଇଥିଲା । ମାତ୍ର ତାହା ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ । ଫଳରେ ମାତ୍ର ଦୁଇ ଦିନ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା ।
କେବଳ ତୋରଣ କି ଲେଜର ଶୋ ନୁହେଁ, ବାଲିଯାତ୍ରାରେ ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ଓ ଶାସକ ଦଳର କର୍ପୋରେଟର ଭିଜିଲାନ୍ସ ତଦନ୍ତ ଦାବି କରିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । କିଛି ବିଜେଡି ନେତା ମଧ୍ୟ ଆରଡିସିଙ୍କୁ ଭେଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।
ଅନ୍ୟପଟେ ମେୟର ସୁବାସ ସିଂ କହିଛନ୍ତି ବାଲିଯାତ୍ରାରେ କୌଣସି ଦୁର୍ନୀତି ହୋଇନାହିଁ । ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ ହୋଇଛି । କମିଟି ରିପୋର୍ଟ ପରେ ବିଲ୍ ଦିଆଯିବ ବୋଲି ମେୟର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)