ବରଗଡ଼ରେ ହେଉଛି ଘମାଘୋଟ ଲଢ଼େଇ । କାଉନ୍ସିଲର ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋରଦାର ଛକାପଞ୍ଝା । କେହି କାହାକୁ ଛାଡ଼ିବାକୁ ନାରାଜ । ଗୋଟିଏ ପଟେ ବିଜେଡି ସରକାରୀ ଦମ୍ ଦେଖାଉଥିବା ବେଳେ ଅନ୍ୟପଟେ ବିଜେପି-କଂଗ୍ରେସ ବି ଜୋରଦାର ଆଟାକ୍ କରୁଛନ୍ତି ।
ସାରା ରାଜ୍ୟରେ ପୌରପାଳିକା ନିର୍ବାଚନୀ ଉଷ୍ଣତା ଲାଗି ରହିଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ବରଗଡ ସହର । ୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦ, ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ନିର୍ବାଚନରେ ଭାଗନେଇଛି । ଦୀର୍ଘ ୧୫ ବର୍ଷ ଧରି ବିଜେଡି ଦଳ ହାତରେ ରହି ଆସିଛି ଏହି ପୌର ପରିଷଦ । ତେବେ ଏଥର ସମସ୍ତ ୱ।ର୍ଡରେ ଅନେକ ସମସ୍ୟା ଭରି ରହିଥିବାରୁ ଏହା ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର ପାଲଟିଛି । ଲୋକଙ୍କ ସମସ୍ୟା ଓ ସରକାରୀ ଦଳର ଅପାରଗତାକୁ ନେଇ ବିରୋଧୀ ଲୋକଙ୍କ ନିକଟତର ହେଉଥିବା ବେଳେ, ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଢ଼ାଲ କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ।
Also Read
କୁଢ କୁଢ ଅଳିଆରେ ଭର୍ତ୍ତି ସାରା ରାସ୍ତା । ଡ୍ରେନ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ବହୁଛି ନାଳ ନର୍ଦ୍ଦମାର ପାଣି । ୧ ନମ୍ବର ୱ।ର୍ଡ କେଶବ ନଗର କଥା ନ କହିଲେ ଭଲ । ଏଠି ଲୋକେ ଚାଲିକି ଯିବା ବି ମୁସ୍କିଲ । କେବଳ ଏହି ସାହି ନୁହେଁ, ବରଗଡ଼ ସହରରେ ଅନେକ ସାହି ଓ ୱାର୍ଡ ଏଭଳି ସମସ୍ୟା ରହିଛି ।
ତେବେ ଡ୍ରେନେଜ୍ ସମସ୍ୟା ସାଙ୍ଗକୁ ଏଠି ପାନୀୟ ଜଳର ମଧ୍ୟ ଘୋର ସମସ୍ୟା ରହିଛି । ଯାହାକି ଲୋକଙ୍କୁ ନାନା ସମୟରେ ହଇରାଣ ହେବାକୁ ପଡ଼ୁଛି । ତେବେ ଏହି ସବୁ ସମସ୍ୟା ପାଇଁ ସରକାରୀ ଦଳ ପ୍ରତି ସହରବାସୀଙ୍କ ଆକ୍ରୋଶ ରହିଛି । ହେଲେ ସବୁ ଅସନ୍ତୋଷ ଓ ଆକ୍ରୋଶକୁ ସାମ୍ନା କରିବାରେ ମାହିର ବିଜେଡି ଏଥର ବରଗଡବାସୀଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି ତାହା ଉପରେ ସଭିଙ୍କ ନଜର ।
ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯିଏ ଏହି ସବୁ ସମସ୍ୟା ଦୂର କରିବ ବୋଲି ଅନୁଭବ କରାଇବ ତାକୁ ହିଁ ଭୋଟ ମିଳିବ । ବର୍ତ୍ତମାନ ପୌର ପରିଷଦ ନିର୍ବାଚନ ପାଇଁ ସାରା ବରଗଡ ସହରରେ ଉଷ୍ଣତା ଲାଗି ରହିଛି । ୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦରେ ପରିମଳ ପରିଚାଳନା, ପାନୀୟ ଜଳ ସମସ୍ୟା, ହିତାଧିକାରୀଙ୍କୁ ରାସନ କାର୍ଡ ନମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେବା, ରାସ୍ତାଘାଟ ପରି ସମସ୍ୟା ଭରି ରହିଛି ।
ଦୀର୍ଘ ୧୫ ବର୍ଷ ଧରି ବିଜେଡି ହାତରେ ଥିବା ଏହି ପରିଷଦ, ସମସ୍ୟା ସମାଧାନ ଦିଗରେ ସମ୍ପୂର୍ଣ୍ଣ ଫେଲ ମାରିଛି । ଏଣୁ ଭୋଟର ମଧ୍ୟ ଅସନ୍ତୋଷ ଥିବା ବେଳେ ବିରୋଧୀ ଦଳ ଏହାକୁ ପ୍ରମୁଖ ଅସ୍ତ୍ର କରିଛନ୍ତି । ସେହିପରି ବରଗଡ଼ ସହର ମଧ୍ୟରେ ବହି ଯାଇଥିବା ଜୀରା ନଦୀ ଉପରେ ଦୀର୍ଘ ବର୍ଷ ହେବ ନିର୍ମାଣଧୀନ ବ୍ରିଜ ସଂପୂର୍ଣ୍ଣ ନ ହେବା ଏବଂ ସହର ମଧ୍ୟରୁ ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତରଣ ବିଜେଡି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି ସ୍ଥାନୀୟ ରାଜନୀତି ବିଶେଷଜ୍ଞଙ୍କ ମତ ରହିଛି ।
ବରଗଡ଼ ସହର ମଧ୍ୟରେ ରହିଥିବା ଅନେକ ଜଳାଶୟ ତଥା ପୋଖରୀର ପୁନରୁଦ୍ଧାର ନ ହେବାରୁ ପୋତି ହେବାକୁ ଲାଗିଲାଣି । ଏହି ସମସ୍ୟା ନେଇ ବିରୋଧୀ ଦଳ ଗୁଡ଼ିକ ଘରକୁ ଘର ବୁଲି ନିଜର ଭୋଟ ପ୍ରଚାର ଚଳାଇଛନ୍ତି । ତେବେ ନବୀନ ସରକାରଙ୍କ କଲ୍ୟାଣକାରୀ ଯୋଜନା ଧରି ନିର୍ବାଚନ ବୈତରଣୀ ପାର ହେବାର ଲକ୍ଷ୍ୟ ରଖିଛି ବିଜେଡି ।
ଅନ୍ୟପଟେ ଏଥର ୧୯ଟି ୱ।ର୍ଡ ପାଇଁ ୬୮ ଜଣ କାଉନସିଲର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ଏହି ପଦବୀ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥର ମଧ୍ୟ ତ୍ରିମୁଖି ଲଢେଇ ହେବାକୁ ଯାଉଛି । ବିଜେଡିରୁ କଳ୍ପନା ମାଝୀ, ବିଜେପି ପକ୍ଷରୁ ଅନୁରାଧା ଅଗ୍ରୱାଲ, କଂଗ୍ରେସ ପକ୍ଷରୁ ତପସ୍ଵିନୀ ବେହେରା ପ୍ରାର୍ଥୀ ହୋଇଛନ୍ତି । ତେବେ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ଏହି ନିର୍ବାଚନରେ ଭାଗ ନେଇଛି ।
୧୯୫୨ ମସିହାରୁ ଗଠିତ ବରଗଡ଼ ପୌରପରିଷଦ ସମୟ କ୍ରମେ ବୃଦ୍ଧି ଘଟି ୧୯ ଗୋଟି ୱ।ର୍ଡ଼କୁ ପହଞ୍ଛିଛି । ଏଥର ଭୋଟର ସଂଖ୍ୟା ରହିଛି ୬୪୪୨୦ । ତନ୍ମଧ୍ୟରୁ ୩୨ ହଜାର ୭୭୬ ଜଣ ପୁରୁଷ ଭୋଟର ରହିଥିବା ବେଳେ ୩୧ ହଜାର ୬୪୩ ଜଣ ମହିଳା ଭୋଟର ଏବଂ ଜଣେ ତୃତୀୟ ଲିଙ୍ଗ ରହିଛନ୍ତି । ତେବେ ଶାସକ ଦଳ ନିଜର ଗଡ଼ ବଞ୍ଚାଇ ପାରୁଛି ନା ନାହିଁ ତାହା ଭୋଟରଙ୍କ ଉପରେ ନିର୍ଭର କରୁଛି ।