• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ । ୨୬ରେ ଜଣାପଡ଼ିବ କିଏ ମାରିବ ବାଜି, ଆଉ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ଭୋଟର ? ଏହାରି ଭିତରେ ଏବେ ଭୁବନେଶ୍ୱର ମେୟର ନିର୍ବାଚନକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ରାଜଧାନୀରେ ଭୁବନେଶ୍ୱରରେ କିଏ ପିନ୍ଧିବେ ମେୟର ମୁକୁଟ ? ମଇଦାନରେ ଅଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।

ତେବେ ଆପଣମାନେ ଜାଣନ୍ତି କି କ’ଣ ରହିଛି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର ? କ’ଣ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ? ସେମାନଙ୍କ ରାଜନୈତିକ ପୁଷ୍ଠଭୂମି କ’ଣ ? କାହିଁକି, କେବେ ଓ କେମିତି ସେମାନେ ରାଜନୀତିକୁ ଆସିଲେ ? ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରର ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀଙ୍କ ବିଷୟରେ ।

ସୁଲୋଚନା ଦାସ:-

ବିଜେଡିରୁ ମେୟର ପ୍ରାର୍ଥୀ ହୋଇଛନ୍ତି ସୁଲୋଚନା ।

ଶିକ୍ଷାଗତ ଯୋଗ୍ୟତା

ଯାଜପୁର ଜିଲ୍ଲା ବିଞ୍ଝାରପୁର ଗାଁ ସ୍କୁଲରୁ ତାଙ୍କର ପାଠପଢ଼ା ଆରମ୍ଭ । ପରେ ଭଦ୍ରକ କଲେଜରୁ ସ୍ନାତକ ପାସ୍‌ କରିଥିଲେ । ଆଉ ତାପରେ ସେ ଆସିଥିଲେ କଟକ ରେଭେନ୍ସା କଲେଜ । ସେଠାରେ ଇକୋନୋମିକ୍ସରେ ସ୍ନାତକୋତ୍ତର ଶେଷ କରିଥିଲେ । ଏହାସହ ସାମ୍ବାଦିକତାରେ ମଧ୍ୟ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଖାଲି ସେତିକି ନୁହେଁ ସେ ଏଲ୍‌ଏଲ୍‌ବି ମଧ୍ୟ କରିଛନ୍ତି ।

ବୃତ୍ତି

ପାଠ ପଢ଼ା ସରିବା ପରେ ସେ ପ୍ରଥମେ ଗୋଟିଏ କଲେଜରେ ଅଧ୍ୟାପିକା ଥିଲେ । କିଛି ଦିନ ଏହି ବୃତ୍ତିରେ ରହିଥିଲେ । ବିବାହ ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇ ଦଳର ମୁଖପାତ୍ର ହୋଇଥିଲେ । ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୭ରେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ସୁଲୋଚନା । ତାଙ୍କୁ ବିଜେଡିର ମୁଖପାତ୍ର କରାଯାଇଥିଲା । ଏବେ ସେ ଭିନ୍ନକ୍ଷମ କମିଶନର ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

ସମ୍ପତ୍ତି

ନିର୍ବାଚନ କମିଶନଙ୍କୁ ସୁଲୋଚନା ଦେଇଥିବା ତଥ୍ୟ ଅନୁସାରେ, ତାଙ୍କ ନାଁରେ ଥିବା ସମ୍ପତ୍ତିର ମଲ୍ୟ ୨୬ ଲକ୍ଷ ୩୨ ହଜାର ୮୧୬ ଟଙ୍କା । ସେହିଭଳି ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଦାସଙ୍କ ସଂପତ୍ତିର ମଲ୍ୟ ୭୧ ଲକ୍ଷ ୨୭ ହଜାର ୫୨୨ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନନ୍ଦା ଦେବୀ ଭିଆଇପି ଏନ୍‌କ୍ଲେଭ୍‌ରେ ତାଙ୍କ ସ୍ୱାମୀଙ୍କ ନାଁରେ ଗୋଟିଏ ଫ୍ଲାଟ୍‌ ରହିଛି । ଯାହାର ମୂଲ୍ୟ ୮୫ ଲକ୍ଷ ଟଙ୍କା ହେବ । ସୁଲୋଚନାଙ୍କ ନାଁରେ କୌଣସି ଜମିଜମା ନାହିଁ । ତାଙ୍କର ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ରହିଛି ଏବଂ ପ୍ରଫୁଲ୍ଲଙ୍କର ଗୋଟିଏ ଚାରି ଚକିଆ ରେନଲ୍ଟ ଡଷ୍ଟର ରହିଛି ।

ସୁନୀତି ମୁଣ୍ଡ:-

ବିଜେପିରୁ ଭୁବନେଶ୍ୱର ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ । ସେ ଏକାଧାରରେ ଜଣେ ଲେଖିକା, ସ୍ତମ୍ଭକାର, ସମ୍ପାଦକ, ପ୍ରକାଶକ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ । ସୁନୀତି ନୂଆପଡ଼ାର ମୂଳ ବାସିନ୍ଦା ।

ଶିକ୍ଷାଗତ ଯୋଗ୍ୟତା

ସୁନୀତି ସମ୍ବଲପୁର ୟୁନିଭରସିଟି ଅଧିନ ଭବାନୀପାଟଣା କଲେଜରୁ ଓଡ଼ିଆରେ ଏମ୍‌ଏ ପାସ୍‌ କରିଛନ୍ତି । ଏହାସହ ସେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ପିଜି ମଧ୍ୟ କରିଛନ୍ତି । ଏମିତିକି ସେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି (ଇଗ୍ନୋ)ରୁ ରୁରାଲ ଡେଭଲପ୍‌ମେଣ୍ଟରେ ମଧ୍ୟ ପିଜି କରିଛନ୍ତି ।

ବୃତ୍ତି

ଦକ୍ଷା ଫାଉଣ୍ଡେସନ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଟ୍‌ରେଚର୍‌ର ଚେୟାରପର୍ସନ ହେଉଛନ୍ତି ସୁନୀତି । ଏହାସହ ସେ ଦକ୍ଷା ଭେନ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ମଧ୍ୟ ରହିଛନ୍ତି । ଦକ୍ଷା ବୁକ୍‌ସର ପବ୍ଲିଶର ମଧ୍ୟ ସୁନୀତି । ଖାଲି ସେତିକି ନୁହେଁ ସେ ଦକ୍ଷା ଏବଂ ତନୁଜା ମାଗାଜିନ୍‌ର ସଂପାଦିକା ମଧ୍ୟ ରହିଛନ୍ତି ।

ସମ୍ପତ୍ତି

ସୁନୀତି ମୁଣ୍ଡ ହେଉଛନ୍ତି ମେୟର ପ୍ରାର୍ଥୀ ମାନଙ୍କ ମଧ୍ୟରେ ଦ୍ୱିତୀୟ ଧନୀ ପ୍ରାର୍ଥୀ । ତାଙ୍କର ମୋଟ୍‌ ସମ୍ପତ୍ତିର ମୂଲ୍ୟ ହେଉଛି ଏକ କୋଟି ୮ ଲକ୍ଷ ୨ ହଜାର ୬୭୧ ଟଙ୍କା । ତାଙ୍କ ବ୍ୟାଙ୍କ ଖାତାରେ ୧୨ ଲକ୍ଷ ୨ ହଜାର ୬୭୧ ଟଙ୍କା ଜମା ରହିଛି । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ତାଙ୍କର ଗୋଟିଏ ୬୦ ଲକ୍ଷ ଟଙ୍କାର ଫ୍ଲାଟ୍‌ ରହିଛି । ସୁନୀତିଙ୍କ ନାଁରେ ୧୮ ଲକ୍ଷ ଟଙ୍କାର ଗୋଟିଏ ପ୍ଲଟ୍‌ ମଧ୍ୟ ରହିଛି । ତାଙ୍କର ଗୋଟିଏ ମାରୁତି ସୁଜୁକି କାର୍‌ ମଧ୍ୟ ରହିଛି ।

ମଧୁସ୍ମିତା ଆଚାର୍ଯ୍ୟ:-

ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେ ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ । ଭୁବନେଶ୍ୱର ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି ମଧୁସ୍ମିତା । ସେ ଜଣେ ଜଣାଶୁଣା ଚେହେରା ।

ଶିକ୍ଷାଗତ ଯୋଗ୍ୟତା

ମହର୍ଷି କଲେଜ ଅଫ୍‌ ନ୍ୟାଚୁରାଲ ଲ’ରୁ ମଧୁସ୍ମିତା ଯୁକ୍ତ ୨ ପାସ୍‌ କରିଛନ୍ତି । ପରେ ଭୁବନେଶ୍ୱର କମଳା ନେହରୁ ମହିଳା କଲେଜରୁ ଗ୍ରାଜୁଏସନ୍‌ କରିଛନ୍ତି । ସେ କସ୍‌ମେଟୋଲୋଜିରେ ଏମ୍‌ବିଏ ମଧ୍ୟ କରିଛନ୍ତି ।

ରାଜନୈତିକ କ୍ୟାରିଅର

କମଳା ନେହରୁ କଲେଜରେ ପାଠ ପଢ଼ୁଥିବା ବେଳେ ଛାତ୍ରୀ ସଂସଦର ସଭାନେତ୍ରୀ ଥିଲେ ମଧୁସ୍ମିତା । ସେ ପୂର୍ବତନ ଧର୍ମଶାଳା କଂଗ୍ରେସ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ ।

ସମ୍ପତ୍ତି

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ମଧୁସ୍ମିତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨ ଲକ୍ଷ ୩୧ ହଜାର ୫୦୬ ଟଙ୍କା । ତାଙ୍କ ସ୍ୱାମୀଙ୍କ ନାଁରେ ରହିଛି ୮୨ ହଜାର ୧୦୦ ଟଙ୍କାର ସମ୍ପତ୍ତି ।