Advertisment

ସତ ଏମାନଙ୍କୁ ବାଧୁଛି; ପ୍ରତିକ୍ରିୟାରେ ଢାଙ୍କୁଣୀ ଦେବାକୁ ଚେଷ୍ଟା

କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜ୍ ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Interview with Kashmir Pandit Sushil Pandit on related to The Kashmir Files

Interview with Kashmir Pandit Sushil Pandit on related to The Kashmir Files

ଅନୁପମ ଖେର୍ ଅଭିନୀତ ‘ଦ କାଶ୍ମୀର ଫାଇଲ୍’ ଏବେ ସାରା ଦେଶରେ ଚର୍ଚ୍ଚାର ଶୀର୍ଷରେ ରହିଛି। କାଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ବର୍ବରତାକୁ ନେଇ ପ୍ରସ୍ତୁତ ଏହି ଫିଲ୍ମକୁ ଯିଏ ଦେଖୁଛି ତା’ ଆଖି ଛଳ ଛଳ ହୋଇଯାଉଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫିଲ୍ମକୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ କିଛି ନିର୍ଦ୍ଦିଷ୍ଟ ସଂଗଠନ ଏହାକୁ ବିରୋଧ କରୁଥିବା ଦେଖାଯାଏ।

Advertisment

କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜି ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ‘ଓଟିଭି’କୁ ଦେଇଛନ୍ତି ତାଙ୍କର ସାକ୍ଷାତକାର। ଏହାକୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ପ୍ରଶ୍ନ: ଫିଲ୍ମ ଓ ବାସ୍ତବା ମଧ୍ୟରେ କ’ଣ ଅନ୍ତର?

ଉତ୍ତର: କିଛି ବି ଅନ୍ତର ନାହିଁ। ପ୍ରଥମ ଥର ଏମିତି ଲାଗିଲା ସତ୍ୟ ଓ ସତ୍ୟର ପ୍ରଦର୍ଶନରେ ସବୁ ଅନ୍ତର ନଷ୍ଟ ହୋଇଯାଇଛି। ଲୋକଙ୍କୁ ତ ଏମିତି ଲାଗୁଥିଲା ଯେ ଫିଲ୍ମ ଦେଖୁ ନାହାନ୍ତି, ସତେ ଯେମିତି ସାମ୍ନାରେ କିଛି ଘଟିଯାଉଛି। ଜଣେ ବନ୍ଧୁ ତ ଫିଲ୍ମ ଦେଖି ମତେ କହିଲେ ଏତେ ବ୍ୟାକୁଳତା ମତେ ଅନୁଭବ ହେଲା ସତେ ଯେମିତି ମନ କହୁଥିଲା ସାମ୍ନାରେ ଯାହା ଘଟୁଛି ତାକୁ ଯାଇ ରୋକିବି, କିନ୍ତୁ ଏମିତି ହୋଇପାରିଲା ନାହିଁ। ବେଳେବେଳେ ଏମିତି ହୁଏ ଯେ ସତକୁ ଲୁଚେଇବା ପାଇଁ ଏଥିରେ କୌଣସି ମିଠାପଣ ଭରି, କିଛି ରୋମାନ୍ସ କରେଇ, ବିଭିନ୍ନ ପ୍ରକାର ମନୋରଂଜନ କରେଇଦିଆଯାଏ। କିନ୍ତୁ ଏହି ଫିଲ୍ମରେ ନିର୍ମାତା କିମ୍ବା ନିର୍ଦ୍ଦେଶକଙ୍କ ଦ୍ୱାରା ସେଭଳି କିଛି ଛଳନା କରାଯାଇ ନାହିଁ।

Advertisment

ପ୍ରଶ୍ନ: ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ସହିତ ପ୍ରକୃତରେ କ’ଣ ହୋଇଥିଲା?

ଉତ୍ତର: ଜାତି ସଂହାର ହୋଇଥିଲା। ଏକ ସମୁଦାୟକୁ ସମୂଳ ନଷ୍ଟ କରିବାର ପ୍ରୟାସ କରାଯାଇଥିଲା। ଏକ ବ୍ୟାପକ ଓ ଜଘନ୍ୟ ହିଂସା ଦ୍ୱାରା ଆମକୁ କାଶ୍ମୀର ଘାଟିରୁ ଖାଲିକରି ଦିଆଯାଇଥିଲା। ପୂରା ସମୁଦାୟକୁ ଆତଙ୍କିତ କରିଦିଆ ଯାଇଥିଲା। ଆତଙ୍କିତ କରିବା ପାଇଁ ହତ୍ୟା, ବଳାତ୍କାର, ଅପହରଣ ଚାଲିଲା। ଘର ପୋଡିଦିଆଗଲା, ମନ୍ଦିର ଭାଙ୍ଗି ଦିଆଗଲା, ଲୁଟି ନିଆଗଲା ଆଉ ବହୁତ ନିର୍ମମତା ଓ କ୍ରୂରତାର ସହ ମାରିଦିଆଗଲା। ଛୋଟ ଛୋଟ ଅବୋଧ ପିଲାଙ୍କୁ ନିଷ୍ଠୁରତାର ସହ ହତ୍ୟା କରାଗଲା।

ପ୍ରଶ୍ନ: ୩୨ ବର୍ଷ ପରେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସୁଛି କିଛି ସଂଗଠନ ଏହାକୁ ଅଧା ସତ ବୋଲି କହୁଛନ୍ତି। ଏହା ଉପରେ କ’ଣ କହିବେ?

ଉତ୍ତର: ଏହା ଏଥିପାଇଁ ଯେ ଏ ସତ ସେମାନଙ୍କୁ ବାଧୁଛି। ଯେତେବେଳେ ସତ ବାହାରକୁ ଆସୁଛି ସେମାନଙ୍କ ଭିତରେ ଏକ ଅପରାଧପଣ ଜାଗୁଛି। ସେମାନଙ୍କୁ ଲାଗୁଛି ଯେ ସେମାନେ ଯାହା କରିଛନ୍ତି ଆଉ ଲୁଚେଇଛନ୍ତି ତାହା ଆଉ ଲୁଚି ରହିବ ନାହିଁ। ଏହା ଏକ ଅପରାଧୀ ମନର ପ୍ରତିକ୍ରିୟା। ସେମାନଙ୍କୁ ଭଲ ଭାବେ ଜଣା ଯେ ସେମାନେ ଅପରାଧ କରିଛନ୍ତି। କିନ୍ତୁ ପ୍ରତିକ୍ରିୟାରେ ସେମାନେ ଏହାକୁ ଢାଙ୍କୁଣୀ ଦେବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ସେମାନେ ମିଛ କହୁଛନ୍ତି। ସେମାନଙ୍କ କହିବା କଥା ଏହା ଅଧା ସତ, ଆଉ ଏଥିରେ ଅଧା ସତ ମିଶାଯାଉ, ଯାହାଫଳରେ ଆମେ ଖସିଯାଇ ପାରିବୁ। ସେମାନଙ୍କ ଅପରାଧ ପ୍ରମାଣିତ ନ ହେଉ ଏହି ପ୍ରୟାସ ଚାଲିଛି।

ପ୍ରଶ୍ନ: ସେତେବେଳେ ଆପଣଙ୍କୁ କେତେ ବୟସ ହୋଇଥିଲା ଆଉ କେଉଁ ସବୁ ଘଟଣା ମନେଅଛି?

ଉତ୍ତର: ସେତେବେଳେ ମତେ ବୋଧେ ୨୬/୨୭ ବର୍ଷ ହୋଇଥିଲା। ମୁଁ ଦିଲ୍ଲୀକୁ ପଢିବାକୁ ଆସିଥିଲି ଏବଂ ପଢା ପରେ ଏଠି ଚାକିରି କରିବାର ଥିଲା। ଆମ ପରିବାରର ସମସ୍ତେ ସେଠାରେ ଥିଲେ। ଘଟଣା ପରେ ୧୯୯୦ରେ ସେମାନେ ସବୁ ଜାଗା ଛାଡି ପଳେଇ ଆସିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଯାହା କେବେ ଚିନ୍ତା ବି କରାଯାଇ ନଥିଲ।

ପ୍ରଶ୍ନ: ଏବେ କାଶ୍ମୀରରୁ ୩୭୦ ଧାରା ଉଠିଛି, ପରିସ୍ଥିତିରେ କିଛି ସୁଧାର ଆସିଛି କି?

ଉତ୍ତର: ଏହା ବି ଏକ ବଡ ଭ୍ରମ। ୩୭୦ ଉଠିବାର ଥିଲା, ଏହା ପ୍ରଥମ ପଦକ୍ଷେପ ଥିଲା, ଏହା ଶେଷ ନଥିଲା। ଏହା ପରେ ବ୍ୟବସ୍ଥାକୁ ଠିକ କରିବାର ଥିଲା କିନ୍ତୁ ହେଲାନି, ଏହାପରେ ସୁରକ୍ଷା ପ୍ରତି ଦୃଷ୍ଟିଦେବାର ଥିଲ କିନ୍ତୁ ତାହା ବି ହେଲାନି, ଅପରାଧୀଙ୍କୁ ଦଣ୍ଡ ମିଳିବାର ଥିଲା କିନ୍ତୁ ହେଲାନି, ପୀଡିତଙ୍କୁ ନ୍ୟାୟ ମିଳିବାର ଥିଲା କିନ୍ତୁ ମିଳିଲାନି।

କାଶ୍ମୀର ପଣ୍ଡିତମାନେ ୧୯୯୦ରୁ ନିଜ ନିଜ ଭିଟାମାଟି ଛାଡି ଏଣେ ତେଣେ ବିଚ୍ଛିନ୍ନ ହୋଇ ଅଛନ୍ତି। ସେମାଙ୍କୁ ନ୍ୟାୟ ମିଳୁ ନଥିବାରୁ ନିଜ ଜନ୍ମମାଟିକୁ ନ ଫେରି ଦୂରେଇ ରହିଛନ୍ତି। ସରକାରଙ୍କ ପଦକ୍ଷେପକୁ ଚାହିଁ ରହିଛନ୍ତି କେବେ ସେମାନଙ୍କୁ ଫେରେଇବାର ବ୍ୟବସ୍ଥା କରାଯିବ।

(ରିପୋର୍ଟ : ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ)

Interview The Kashmir Files
Advertisment
Advertisment