• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଭାବନୀୟ ଘଟଣା । କୁନି କୁନି ପିଲାଙ୍କୁ ସ୍କୁଲରେ ଛାଡ଼ୁଥିବା ଗାଡ଼ି ହେଲା ଦୁର୍ଘଟଣାଗ୍ରସ୍ତ । ରାସ୍ତାରେ ଯାଉଥିବା ବେଳେ ଫାଟିଗଲା ରେଡିଏଟର । ଗୁରୁତର ହେଲେ ତିନି କୁନି ଶିଶୁ । ଯେଉଁମାନଙ୍କର ବୟସ ମାତ୍ର ୫ରୁ ୭ ବର୍ଷ । ଆଉ ସେମାନେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି ।

ଖବର ଅନୁସାରେ, ରାସ୍ତାରେ ପିଲାଙ୍କୁ ନେଇ ଯାଉଥିବା ବେଳେ ସ୍କୁଲ ଗାଡିର ରେଡିଏଟର ଫାଟିଯାଇଥିଲା । ଆଉ ତିନି ଜଣ ଛାତ୍ର ଗୁରୁତର ହୋଇଥିଲେ । ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ମାର୍ଶାଘାଇରେ । ଏକ ଘରୋଇ ସ୍କୁଲର ଗାଡ଼ି ପିଲାଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ସେପଟେ ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳକୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । 

ସେପଟେ ଦୁର୍ଘଟଣା ଘଟିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ୩ ଛାତ୍ରଙ୍କୁ ଉଦ୍ଧାର କରି ମାର୍ଶାଘାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ ଜଣେ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି । ଗାଡ଼ିର ଫିଟନେସ ଅବଧୀ ସରି ଯାଇଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଲା ଫିଟ୍‌ନେସ୍‌ ନଥିବା ଗାଡ଼ିରେ ପିଲାଙ୍କୁ ବୋହିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ କିଭଳି ଅନୁମତି ଦେଇଥିଲେ । ଗାଡ଼ି ଡ୍ରାଇଭର ଏଥିପାଇଁ ଯେତିକି ପରିମାଣର ଦାୟୀ, ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସମାନ ପରିମାଣର ଦାୟୀ ।