ଦୁଇ ଫାଳ ହେବ କି କଂଗ୍ରେସ? ଶେଷରେ ଚରମ ପରିଣତିର ଦ୍ୱାର ଦେଶରେ ଉପନୀତ ହୋଇଛି କି ଭାରତୀୟ ରାଜନୀତିର ସର୍ବପୁରାତନ ଦଳ ? ୨୦୧୪ ସାଧାରଣ ନିର୍ବାଚନରେ ପରାଜୟ ପରେ କ୍ରମାଗତ ଭାବେ ଅବକ୍ଷୟମୁଖୀ ହୋଇଥିବା କଂଗ୍ରେସ ଏବେ ବିଲୁପ୍ତ ପ୍ରାୟ ଦଳକୁ ପୁନର୍ଜୀବିତ କରିବା ଲାଗି ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ମହୌଷଧୀ ସାବ୍ୟସ୍ତ ହେବ ବୋଲି କୁହାଯାଉଥିଲା । ମାତ୍ର ସମସ୍ତ ୫ ରାଜ୍ୟରେ ଦଳ ଏକରକମ ନିଶ୍ଚିହ୍ନ ହୋଇଯିବା ପରେ ପୁଣି ଜୋର ଧରିଛି ନେତୃତ୍ୱ ପରିବର୍ତ୍ତନ ଦାବି । ଚାଟୁକାରଙ୍କୁ ହଟାଇ ବାସ୍ତବତାକୁ ଗ୍ରହଣ ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଛି ବିଦ୍ରୋହୀ ଜି-୨୩ ଗୋଷ୍ଠୀ ।
ଦଳକୁ ବଞ୍ଚାଇବାକୁ ଅଛି ତ ଆମ କଥା ଶୁଣ, ନଚେତ୍ ଆମେ ବିକଳ୍ପ ଦେଖିବୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜି-୨୩ ନେତାଙ୍କ ଚରମବାଣୀ ଶୁଣାଇଛନ୍ତି । ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଗାନ୍ଧୀ ପରିବାରର ନେତୃତ୍ୱ ପାଇଁ ଥିଲା ଏସିଡ୍ ଟେଷ୍ଟ । କାରଣ ଦୀର୍ଘ ଦିନ ହେଲା ନେତୃତ୍ୱ ପରିବର୍ତ୍ତନ ଲାଗି ଦାବି କରି ଆସୁଥିଲେ ଗୁଲାମ ନବୀ ଆଜାଦ୍, କପିଲ ସିବଲ ଓ ଶଶି ଥରୁରଙ୍କ ଭଳି ୨୩ ନେତାଙ୍କ ଜି-୨୩ ଗୋଷ୍ଠୀ ।ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଅଲ-ଆଉଟ୍ ଉଦ୍ୟମ ଓ ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରେ ରାହୁଲଙ୍କ ମାରାଥନ୍ ପ୍ରଚାର ସତ୍ତ୍ୱେ କଂଗ୍ରେସକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଦେଇଛନ୍ତି ଭୋଟର୍ । ତେଣୁ ଦଳକୁ ପୁନର୍ଜୀବିତ କରିବା ଲାଗି ଉଭୟ ରାହୁଲ ଓ ସୋନିଆଙ୍କ ସ୍ୱପ୍ନ ଶୂନ୍ୟରେ ମିଳାଇ ଯିବା ପରେ ସେମାନଙ୍କ ନେତୃତ୍ୱରେ ସଂପୂର୍ଣ୍ଣ ଆସ୍ଥା ହରାଇଛି ଜି-୨୩ ଗୋଷ୍ଠୀ ।
ତେବେ ଏଥର ସେମାନଙ୍କ ଟାର୍ଗେଟରେ ଗାନ୍ଧି ପରିବାର ନୁହନ୍ତି ବରଂ କଂଗ୍ରେସ ନେତୃତ୍ୱକୁ ଭ୍ରମରେ ରଖୁଥିବା ଚାଟୁକାର ଗୋଷ୍ଠୀ । ବାସ୍ତବତା ସଂପର୍କରେ ଦଳୀୟ ନେତୃତ୍ୱକୁ ଅବଗତ ନକରି ଗାନ୍ଧୀ ଅନୁଗତ ସବୁବେଳେ କାମଚଳା ପଦକ୍ଷେପ ନେଉଥିବା ଅଭିଯୋଗ କରିଛନ୍ତି ।
ଗାନ୍ଧୀ ପରିବାର ଦଳୀୟ ପଦପଦବୀରେ କେବଳ ନିଜ ଅନୁଗତଙ୍କୁ ବସାଇଥିବା ଜି-୨୩ ଗୋଷ୍ଠୀ ଅଭିଯୋଗ କରିଛି । ତେଣୁ ତୁରନ୍ତ ସେମାନଙ୍କୁ ପଦରୁ ହଟାଇବା ସହ ବାସ୍ତବତାକୁ ଗ୍ରହଣ ଲାଗି ସୋନିଆଙ୍କୁ ମେସେଜ୍ ଦିଆଯାଇଛି । ଚାଟୁକାରଙ୍କୁ ହଟାଇ ଦଳ କିଭଳି ପୁନର୍ଜୀବିତ ହେବ ସେନେଇ ପଦକ୍ଷେପ ନନେଲେ ସେମାନଙ୍କୁ ବିକଳ୍ପ ପଦକ୍ଷେପ ନେବାକୁ ପଡିବ ବୋଲି ଗୋଷ୍ଠୀ ସ୍ପଷ୍ଟ କରିଦେଇଛି ।
ଜି-୨୩ ଗୋଷ୍ଠୀର ଏଭଳି ସଳଖବାର୍ତ୍ତାରୁ ଏହା ସ୍ପଷ୍ଟ ଯେ, ଆଗାମୀ ଦିନରେ ଦୁଇ ଭାଗ ହେବାକୁ ଯାଉଛି କଂଗ୍ରେସ । ଆତ୍ମ ଅଭିମାନ ଛାଡ଼ି ସୋନିଆ, ରାହୁଲ ଓ ପ୍ରିୟଙ୍କା ଯଦି ବରିଷ୍ଠଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ହେବ । ଦଳୀୟ ନେତୃତ୍ୱରୁ ଓହରି ଯିବା ସହ ଗଣତାନ୍ତ୍ରିକ ଉପାୟରେ ସାଂଗଠନିକ ପଦପଦବୀ ପୂରଣ ଲାଗି ରାଜି ହୁଅନ୍ତି, ତେବେ ଦଳର ହୃତ ଗୌରବ ଫେରାଇ ଆଣିବା ଲାଗି ବିଶେଷ ଅସୁବିଧା ହେବନି ବୋଲି ଏହି ନେତାମାନଙ୍କ ବିଶ୍ୱାସ ରହିଛି ।
ଜି-୨୩ ଗୋଷ୍ଠୀର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଖୁବ ଶୀଘ୍ର ସୋନିଆଙ୍କୁ ଭେଟି ନିଜ ନିଷ୍ପତ୍ତି ଜଣାଇବେ । ତେବେ ଗାନ୍ଧୀ ପରିବାର ଏହି ପ୍ରସ୍ତାବକୁ କିଭଳି ଗ୍ରହଣ କରୁଛି ଏବେ ତା ଉପରେ ନଜର ରହିଛି ।
୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦଳର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଗୋଟିକ ପରେ ଗୋଟିଏ ରାଜ୍ୟରୁ ଦଳ କ୍ଷମତାଚ୍ୟୁତ ହେବା ସହ ଏବେ ଛତିଶଗଡ଼ ଓ ରାଜସ୍ଥାନକୁ ଛାଡି ଦେଲେ ଅନ୍ୟ କେଉଁଠି ଏକାକୀ ଶାସନ କ୍ଷମତାରେ ନାହିଁ । ବିଭିନ୍ନ ରାଜ୍ୟରେ ଗୋଷ୍ଠୀ କନ୍ଦଳ ଚରମସୀମାରେ ଥିବା ବେଳେ ବହୁ ବରିଷ୍ଠ ନେତା ଦଳ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ଏହାସତ୍ତ୍ୱେ ମଧ୍ୟ ଗାନ୍ଧୀ ପରିବାର ନିଜ ଅନୁଗତମାନଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରୁଥିବା ଅଭିଯୋଗ ହୋଇଆସୁଛି । ତାସହିତ ନିଷ୍ପତ୍ତି ନେବାରେ ସ୍ଥାଣୁତା ଗୁଲାମନବୀ ଆଜାଦଙ୍କ ଭଳି ଜି-୨୩ ଗୋଷ୍ଠୀର ବରିଷ୍ଠ ନେତାମାନଙ୍କୁ ଅତିଷ୍ଠ କରିଛି ।
ନିକଟରେ ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିରେ ସୋନିଆଙ୍କ ନେତୃତ୍ୱ ପ୍ରତି ଦଳ ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ପରେ ତତ୍ପର ହୋଇଛି ଜି-୨୩ ଗୋଷ୍ଠୀ । କଂଗ୍ରେସକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବି ସିଡବ୍ଲୁସି ସୋନିଆଙ୍କୁ ପୂର୍ଣ୍ଣ କ୍ଷମତା ଦେଇଥିଲା । ତେବେ ଏହା ପରେ ବର୍ଷିଥିଲେ ବରିଷ୍ଠ ନେତା କପିଲ ସିବଲ । ସେ ସବକି କଂଗ୍ରେସ ଚାହାଁନ୍ତି, ଘରକି କଂଗ୍ରେସ ନୁହେଁ ବୋଲି ଟୁଇଟ୍ କରିବା ସହ ଗାନ୍ଧୀ ପରିବାର କ୍ଷମତାରୁ ହଟି ଯାଆନ୍ତୁ ବୋଲି ପରୋକ୍ଷରେ ବାର୍ତ୍ତା ଦେଇଥିଲେ ।
ସେହିପରି ଆପେ ଆପେ କୌଣସି ଚମତ୍କାର ହୋଇଯିବ ବୋଲି କଂଗ୍ରେସ ନେତୃତ୍ୱ ଭ୍ରମରେ ଥିବା କହିଥିଲେ ସିବଲ । ଏହାପରେ ଅଶୋକ ଗେହଲଟ ଓ ଅଧୀର ରଂଜନ ଚୌଧୁରୀଙ୍କ ଭଳି ଗାନ୍ଧୀ ଅନୁଗତ ତାଙ୍କ ଉପରେ ଜୋରଦାର ପ୍ରତି ଆକ୍ରମଣ କରିଥିଲେ । ଏସବୁ ଭିତରେ ସୋନିଆ କ୍ଷମତା ମୋହ ଛାଡି ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନେଉଛନ୍ତି, ନା ରାହୁଲଙ୍କୁ ଯେକୌଣସି ପ୍ରକାରେ କଂଗ୍ରେସ ନେତୃତ୍ୱ ଶୀର୍ଷରେ ରଖିବାକୁ ଉଦ୍ୟମ କରୁଛନ୍ତି ତା ଉପରେ ନଜର ରହିଛି ।