ସ୍ୱୟଂ ସହାୟକ ଗୋଷ୍ଠୀରୁ କଟିଯିବ ବିଜେଡିର ଚେର ! କାରଣ ଏଇ ମାସରୁ ରାଜ୍ୟବ୍ୟାପି SHG ମହିଳା କମିଟିରେ ହେବ ପରିବର୍ତ୍ତନ । ଏଥିପାଇଁ ବଡ଼ ରୋଡମ୍ୟାପ୍ ତିଆରି କରିଛନ୍ତି ମୋହନ ସରକାର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ା ଯାଉଥିଲା । ତେଣୁ ଯେଉଁମାନେ ପୂର୍ବରୁ ସଭାପତି ଓ ସମ୍ପାଦକ ରହିଛନ୍ତି, ତାଙ୍କ ସ୍ଥାନରେ ନୂଆ ଲୋକଙ୍କୁ ଭର୍ତ୍ତି କରାଯିବ । ସମସ୍ତଙ୍କୁ GPLF ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ ।
ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ
ସାଜିଥିଲେ ଶଙ୍ଖଦଳର ହାତବାରିସୀ ! କେଉଁଠି ଖୁଲମଖୁଲ୍ଲା ବିଜେଡି ସପକ୍ଷରେ ପ୍ରଚାର କରୁଥିଲେ ତ କେଉଁଠି ଭୋଟ୍ ପାଇଁ ନୋଟ୍ ବଣ୍ଟନରେ ମସଗୁଲ୍ ଥିଲେ କହିବାକୁ ଗଲେ ମହିଳାଙ୍କ ସଶକ୍ତୀକରଣ ନାଁରେ ବିଜେଡି ପାଇଁ ବନିଥିଲେ ନିର୍ବାଚନୀ ଅସ୍ତ୍ର । ହେଲେ ଏବେ ଆଉ ଚଳିବନି ସେହି ପୁରୁଣା ଷ୍ଟ୍ରାଟେଜି । କାରଣ ଚଳିତ ମାସରୁ ହେବାକୁ ଯାଉଛି SHGର ନବକଳେବର । ପୁନର୍ଗଠନ ପାଇଁ ମିଶନ ମୋଡରେ ଲାଗିଛି ମିଶନ ଶକ୍ତି ବିଭାଗ । ତିଆରି ହୋଇଛି ସ୍ବତନ୍ତ୍ର ଖସଡ଼ା ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ । ଏହାପର ମାସରେ GPLF, CLF, BLFଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରରେ ଦିଆଯିବ ନୂଆ ନିଯୁକ୍ତି । କାରଣ ପୂର୍ବ ସରକାରରେ ବହୁ ମହିଳା SHGରୁ ବଞ୍ଚିତ ଅଛନ୍ତି । ଏବେ ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛ ପ୍ରୟାସ । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଗ୍ରୁପ୍ ସହ ଯୋଡ଼ିଥିଲେ । ଏବେ ସମସ୍ତଙ୍କୁ ଗ୍ରାମ ପଞ୍ଚାୟତ ଲେଭଲ ଫେଡେରସନ ବା GPLF ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ।
ପୂର୍ବରୁ ଯେଉଁମାନେ ୨ ଥର ୪ ବର୍ଷରୁ ଅଧିକ ସମୟ ଧରି ସଭାପତି ଓ ସଂପାଦକ ଅଛନ୍ତି, ତାଙ୍କ ବଦଳରେ ନୂଆ ଲୋକଙ୍କୁ ସାମିଲ କରାଯିବ । ପୂର୍ବ ସରକାରରେ ବିନା ରେଜିଷ୍ଟ୍ରେସନରେ SHGଗୁଡ଼ିକୁ କୋଟି କୋଟି ଟଙ୍କା ଦିଆଯାଇଥିବାବେଳେ ତାର ଅଡ଼ିଟ୍ ହୋଇନାହିଁ। କଣ ପାଇଁ SHG ତିଆରି କରିଥିଲେ, ଏଥିରୁ ସହଜରେ ବୁଝିହେଉଥିବା ପ୍ରଭାତୀ କହିଛନ୍ତି।।
ରାଜ୍ୟରେ ପ୍ରାୟ ୭୦ ଲକ୍ଷ ମହିଳା ଅଛନ୍ତି SHGରେ । ତେବେ ୨୪ ନିର୍ବାଚନ ବେଳେ ବିଜେଡି ପାଇଁ କେମିତି ହାତବାରସୀ ସାଜିଥିଲେ SHG, ଧରାପଡ଼ିଥିଲା ଗୋଟିଏ ପରେ ଗୋଟିଏ ଘଟଣା । ଏହାପୂର୍ବରୁ ୨୦୨୨ ଧାମନଗର ଉପନିର୍ବାଚନବେଳେ SHG ଦ୍ବାରା ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଟଙ୍କା ବଣ୍ଟନର ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଥିଲା । ତା’ପରେ ୨୪ ନିର୍ବାଚନ ବେଳେ ବିଜେଡି ପାଇଁ ଭୋଟ୍ ମାଗିବା ସହ ଏସଏଚଜି ମହିଳାଙ୍କୁ ପ୍ରଚାର ପାଇଁ ଯିବାକୁ କହୁଥିବାର ମାଳ ମାଳ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏପରିକି ଭୋଟ୍ ନଦେଲେ ଋଣ ମିଳିବନି କି ଛାଡ଼ ବି ମିଳିବନି ବୋଲି ଦିଆଯାଇଥିଲା ଖୋଲା ଧମକ । ତେବେ କ୍ଷମତାକୁ ଆସିବା ପରେ SHGର ପୁନର୍ଗଠନ ନେଇ ବିଜେପି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଗତ ଫେବ୍ରୁଆରୀରେ କିଛି ଏସଏଚଜିଙ୍କ ସହ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ମତ ରଖିଛନ୍ତି । ବିଜେଡିର ପାଲଟା ଅଭିଯୋଗ, ରାଜନୈତିକ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ବ୍ୟବହାର କରୁଛନ୍ତି ବିଜେପି ସରକାର । ସେପଟେ କଂଗ୍ରେସର କହିଛି, ମହିଳାଙ୍କୁ ସବୁବେଳେ ଭୋଟ ବ୍ୟାଙ୍କ ହିସାବରେ ଦେଖାଯାଉଛି ।