• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଏପଟେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ନିଜର ମହତ୍ୱାକାଂକ୍ଷାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ନଉପୁଜୁ । ଏପଟେ ବିଜେପି ପରେ ବିଜେଡି ଓ କଂଗ୍ରେସ ମଧ୍ୟ ୨୪ ନିର୍ବାଚନ ଲାଗି  କର୍ମୀଙ୍କୁ ସକ୍ରୀୟ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଶିବିର କରିବାକୁ ଯୋଜନା କଲେଣି ।

ତେବେ ‘ନବୀନ ସରକାରଙ୍କୁ ହଟାଇବ ଅସମ୍ଭବ ନୁହେଁ । ତୃଣମୂଳସ୍ତରରେ ସଙ୍ଗଠନ ମଜଭୁତ୍ କର । ମିଳିମିଶି କାମ୍ କରିବା ସହ ସରକାର ବିରୋଧୀ ପରିବେଶ ସୃଷ୍ଟି କର ।’ ପୁରୀରେ ଆୟୋଜିତ ୩ ଦିନିଆ ଶିବିରରେ ନେତା ଓ କର୍ମୀଙ୍କୁ ଏଭଳି ଆହ୍ୱାବାନ ଦେଇଛନ୍ତି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ । ପୁରୀ ଟ୍ରେନିଂ ଶିବିର ଫୋକସରେ ଥିଲା ନିର୍ବାଚନ ପରିଚଳନା, ରାଜନୈତିକ ଖସଡ଼ା ଓ ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା । ଶେଷ ଦିନରେ ସନ୍ତୋଷ ଦେଢଘଣ୍ଟା ଧରି କ୍ଲାସ୍ ନେଇଥିଲେ । ସଙ୍ଗଠନକୁ ସଜାଡିବା ଓ ରାଜ୍ୟ ସରକାର ବିରୋଧରେ କିଭଳି ଲଢିବାକୁ ହେବ ସେନେଇ ଦେଇଥିଲେ ଗୁରୁମନ୍ତ୍ର ।

ଲୋକେ ନବୀନ ସରକାର ବଦଳାଇବାକୁ ଚାହୁଁଛନ୍ତି । ତେଣୁ ତାକୁ ଆଖି ଆଗରେ ରଖି କାମ କରିବାକୁ ଆହ୍ୱାନ ଦେଇଛନ୍ତି ସଙ୍ଗଠନ ମହାମନ୍ତ୍ରୀ । ବୁଥ୍, ଶକ୍ତି କେନ୍ଦ୍ର ଓ ମଣ୍ଡଳ ସ୍ତରରେ ସଙ୍ଗଠନକୁ ମଜଭୁତ, କେନ୍ଦ୍ରୀୟ ଯୋଜାନ ହାଇଜାକ୍, ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ପଂଚାୟତ ସ୍ତରରେ ଆନ୍ଦୋଳନ କରି ସରକାର ବିରୋଧୀ ହାଓ୍ୱା ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ସନ୍ତୋଷ ।

ଆସନ୍ତା ୨୯ ଓ ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର ଓ ବରଗଡ କିମ୍ବା ସମ୍ବଲପୁରରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେବେ । ସନ୍ତୋଷଙ୍କ ଗୁରୁମନ୍ତ୍ର ଓ ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ ଥିବା ବେଳେ ଦଳୀୟ ଏକତା ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସୁରେଶ ପୂଜାରୀ । ଦଳକୁ କ୍ଷମତାକୁ ଆଣିବାକୁ ହେଲେ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରିଛନ୍ତି ସାଂସଦ ପୂଜାରୀ । ଏପଟେ ନିଜ ନିଜର ମହତ୍ୱାକାଂକ୍ଷା ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି ନକରୁ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ବିଜେପିର ଟ୍ରେନିଂ ଶିବିର ପରେ ବିଜେଡି ଓ କଂଗ୍ରେସ ମଧ୍ୟ ପ୍ରଶିକ୍ଷଣ ଶିବିର ଆୟୋଜନ ଲାଗି ସଜବାଜ୍ ଆରମ୍ଭ କରିଛନ୍ତି । ବିଜେଡି ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରଶିକ୍ଷଣ ଶିବିର କରି ସଙ୍ଗଠନ ଦୃଢ କରିବା ସହ ଲୋକଙ୍କ ନିକଟରେ ସରକାରଙ୍କ ସଫଳତା ଓ ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଚାଇଂବାକୁ ଯୋଜାନ କରିଛି । ଅକ୍ଟୋବର ଦୁଇ ପଦଯାତ୍ରାର ଏହା ମୁଖ୍ୟ ଫୋକସ ରହିବ । ସେପଟେ କଂଗ୍ରେସ ଅକ୍ଟୋବର ସୁଦ୍ଧା ପିସିସି କମିଟି ଚୂଡାନ୍ତ କରିବ । ତାପରେ ପ୍ରଶିକ୍ଷଣ ଓ ସମାବେଶ କରିବା ପାଇଁ ଯୋଜନା କରିଛି । ତେବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଓଡିଶାରେ କିଭଳି ହେବ ସେନେଇ ଆସନ୍ତାକାଲି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ, ଜୟରାମ ରମେଶ ଓଡିଶା ପହଚିଂବେ ।

ସାଧାରଣ ନିିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ହଲଚଲ । ତେବେ ବିଜେଡିକୁ ମାତ୍ ଦେବା ପାଇଁ ବିଜେପିର ଷ୍ଟ୍ରାଟେଜି କେତେ କାମ ଦେଉଛି ତାଉପରେ ନଜର ରହିବ ।